କୋର୍ଟଙ୍କ ଆଦେଶ ସତ୍ତ୍ବେ ସ୍ଥାନାନ୍ତର ହେଉନି କଂସେଇଖାନା

ଦୂଷିତ କରୁଛି ପରିବେଶ, ଉତ୍କଟ ଗନ୍ଧରେ ଲୋକେ ଅସ୍ତବ୍ୟସ୍ତ; ସ୍ଥାନାନ୍ତର ପାଇଁ ଉପଯୁକ୍ତ ସ୍ଥାନ ଖୋଜା ଚାଲିଛି: କମିସନର

କଟକ: ବକ୍ସିବଜାର ଗୋପବନ୍ଧୁ ବାଗ୍‌ରୁ କ୍ୟାଣ୍ଟନମେଣ୍ଟ ରୋଡ। ସହରର ସବୁଠାରୁ ଚଳଚଞ୍ଚଳ ତଥା ଜନଗହଳି ଅଞ୍ଚଳ। ବାରବାଟୀ ଷ୍ଟାଡିୟମ, ଓଡ଼ିଶା କ୍ରିକେଟ୍ ଏକାଡେମି, ଜିଲ୍ଲା ଶିଳ୍ପ ନିର୍ଦ୍ଦେଶାଳୟ, ରୋଟାରୀ ଚକ୍ଷୁ ଚିକିତ୍ସାଳୟ, ‘ଦି ୟୁନିଭର୍ସ’, ୱାଇଏମ୍‌ସିଏ ଭଳି ପ୍ରମୁଖ ଅନୁଷ୍ଠାନମାନ ଏଠାରେ ଚାଲିଛି। ସାଧାରଣ ଲୋକଙ୍କ ସମେତ ବହୁ ଆଇପିଏସ୍‌, ଜଷ୍ଟିସ୍, ପ୍ରଫେସରଙ୍କ ଭଳି ଭିଆଇପିମାନଙ୍କ ସରକାରୀ ବାସଭବନ ଏହି ଅଞ୍ଚଳରେ।

ଅନତିଦୂରରେ ରହିଛି ପୁଲିସ୍ ମୁଖ୍ୟାଳୟ। ସହରର ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଦୀର୍ଘ ଦିନ ହେଲା ଚାଲିଛି କଂସେଇଖାନା। ଏହାକୁ ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ବହୁ ପ୍ରତିବାଦ ତଥା ବିକ୍ଷୋଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଏହାକୁ ସ୍ଥାନାନ୍ତର ପାଇଁ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ବି ଦେଇଛନ୍ତି। ତଥାପି ସ୍ଥାନାନ୍ତର ହେଉନି ସଂପୃକ୍ତ କଂସେଇଖାନା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ବାରବାଟୀ ଷ୍ଟାଡିୟମ ପାଇଁ କଟକ ସହର ସାରା ବିଶ୍ବରେ ପରିଚିତ। ବିଭିନ୍ନ ଦୃଷ୍ଟି ‌କୋଣରୁ ବିଚାର କଲେ ବକ୍ସିବଜାର, ବାରବାଟୀ ଷ୍ଟାଡିୟମ-କ୍ୟାଣ୍ଟେନ‌୍‌ମେଣ୍ଟ ଅଞ୍ଚଳ ଏବେ କଟକର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ବର୍ଷର ବହୁ ସମ‌ୟରେ କ୍ରୀଡ଼ା ସମେତ ଏଠାରେ ବହୁ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୁଏ। ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅଞ୍ଚଳକୁ ବିଭିନ୍ନ ସମୟରେ ଆଗଗନ କରିଥାନ୍ତି। ଖାଲି ସେତିକି ନୁହେଁ, ସହରର ହଜାର ହଜାର ଲୋକ ଏହି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ଚଳବିଚଳ ହୁଅନ୍ତି।

ସବୁଠାରୁ ଦୁଃଖ ଓ ପରିତାପର ବିଷୟ, ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଦୀର୍ଘ ଦିନ ହେଲା ବଡ଼ ପଶୁମାନଙ୍କ କଂସେଇଖାନା ଚାଲିଛି। ଏହାକୁ ସ୍ଥାନାନ୍ତର କରିବା ଦିଗରେ ସିଏମ୍‌ସି ପକ୍ଷରୁ ନିଜ ଆଡୁ କେବେ ବି ଉଦ୍ୟମ ହୋଇନାହିଁ। କୁକୁର, ବିଲେଇଙ୍କ ଦ୍ବାରା ବଡ଼ ପଶୁଙ୍କ ପରିତ୍ୟକ୍ତ ଅଙ୍ଗପ୍ରତ୍ୟଙ୍ଗ ରାସ୍ତାଘାଟରେ ଏଣେ ତେଣେ ପଡ଼ିବା ଓ କଂସେଇଖାନା ବର୍ଯ୍ୟବସ୍ତୁରୁ ଉତ୍କଟ ଗନ୍ଧ ବାହାରିବାରୁ ସ୍ଥାନାନ୍ତର ପାଇଁ ଲୋକେ ପ୍ରତିବାଦ କରିବା ଆରମ୍ଭ କଲେ।

ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହାକୁ ଅନ୍ୟତ୍ର ଉଠାଇନେବାକୁ ଲୋକଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ସମେତ ସିଏମ୍‌ସି କମିସନରଙ୍କୁ ସ୍ମାରକପତ୍ର ଦିଆଯାଇଛି। ବିକ୍ଷୋଭ ‌ଅଧିକ ହେବାରୁ ୨୦୧୫ରେ ସିଏମ୍‌ସି ପକ୍ଷରୁ ପଡ଼ ପଶୁଙ୍କୁ ଏଠାରେ ହତ୍ୟା କରିବାକୁ ନିଷେଧ ଆଦେଶ ଦିଆଗଲା। ଏହି ଆଦେଶ ପରେ ବଡ଼ ପଶୁମାନଙ୍କୁ ସହରର ଅନ୍ୟସ୍ଥାନରେ ହତ୍ୟା କରାଯାଇ ସେଠାରେ ବିକ୍ରୟ ହେଲା। କିନ୍ତୁ ପରିବେଶ ଯେଉଁ ଦୂଷିତକୁ ସେହି ଦୂଷିତ ହେଲା। ‌ଶେଷରେ ଏହାର ସ୍ଥାନାନ୍ତର ପାଇଁ ଓଡ଼ିଶା କ୍ରିକେଟ୍ ଏକାଡେମି ଓ ମୁନ୍ତାକିମ୍‌ ବକ୍ସଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହେଲା।

୨୦୧୯, ଏପ୍ରିଲ୍ ୧୧ତାରିଖରେ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟର ବିଚାରପତି ଜ‌ଷ୍ଟିସ୍ ବିଶ୍ବନାଥ ରଥ ଏହାକୁ ସହର ମଧ୍ୟରୁ ସ୍ଥାନାନ୍ତର ପାଇଁ ସି‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ଦେଢ଼ ବର୍ଷ ବତିଯାଇଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ଏଦିଗରେ କୌଣସି ଉତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ୁନାହିଁ। ବୁଲା କୁକୁର, ବିଲେଇଙ୍କ ଦ୍ବାରା ବଡ଼ ପଶୁଙ୍କ ହାଡ଼, ମାଂସ ବାହାରେ ପଡ଼ିବା, ପବନ ବହ‌ିଲେ ଉତ୍କଟ ଦୁର୍ଗନ୍ଧ ବାହାରିବାରୁ ସେଠାରେ ‌ରହୁଥିବା ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।

ତେଣୁ ଏହାର ସ୍ଥାନାନ୍ତରଣ ପାଇଁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସିଏମ୍‌ସି କମିସନର ଅନନ୍ୟା ଦାସ କହିଛନ୍ତି ଯେ କଟକ ଜିଲ୍ଳାପାଳଙ୍କୁ ସହର ଉପକଣ୍ଠରେ ଏକ ଜାଗା ଯୋଗାଇ ଦେବାକୁ ସିଏମ୍‌ସି ପକ୍ଷରୁ ଲିଖିତ ଅନୁରୋଧ ହୋଇଥିଲା। ତହସିଲ୍‌ଦାର ନରାଜ ପାଖରେ ଏକ ସ୍ଥାନ ଚୟନ କରିଥିଲେ। କିନ୍ତୁ ସେଠାରେ ପାଣିର ସୁବିଧା ନ ଥିବାରୁ ସେଠାକୁ କଂସେଇଖାନା ନେବା ପ୍ରସଙ୍ଗ ବାତିଲ ହେଲା। ଏ ସଂକ୍ରାନ୍ତରେ ପୁଣି ଥରେ ଜିଲ୍ଳାପାଳଙ୍କୁ ସ୍ଥାନ ପ୍ରଦାନ ପାଇଁ ଚିଠି କରାଯାଇଛି। ସ୍ଥାନ ଚୟନ ହେଲେ ଆମେ ତୁରନ୍ତ ନିର୍ମାଣ କାର୍ଯ୍ୟ କରି ସଂପୃକ୍ତ କଂସେଇଖାନାକୁ ଜନବସତିରୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେବୁ ବୋଲି କମିସନର ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର