ହାଇକୋର୍ଟ କ୍ଷୁବ୍ଧ ହେବା ପରେ ବି… ସୁଧୁରିଲାନି ସହରର ରାସ୍ତା, ଲାଇଟ୍

କଟକ: କଟକର ଗଣପର୍ବ ଦଶହରା ସରିଗଲା। ରାସ୍ତାରେ ପିଚୁ କି ମାଟି ମୁଠେ ପଡିଲାନି। ପ୍ରତିବର୍ଷ ବର୍ଷାରେ ସହରର ଖରାପ ହୋଇ ଯାଇଥିବା ରାସ୍ତାକୁ ଦଶହରା ପୂର୍ବରୁ ମରାମତି କରାଯାଏ। ମାତ୍ର ଚଳିତ ବର୍ଷ ରାସ୍ତା ମରାମତିକୁ ସିଏମସି ସମ୍ପୂର୍ଣ୍ଣ ଭାବେ ଭୁଲିଗଲା। ଗୋଟିଏ ରାସ୍ତା ନିର୍ମାଣ କରି ପ୍ରଶାସନ ପ୍ରଶଂସା ଗୋଟାଇବାକୁ ଉଦ୍ୟମ କରୁଥିବା ବେଳେ ସହରର ସବୁ ରାସ୍ତା ଏବେ ଶୋଚନୀୟ। ଚାରିଆଡେ ଖାଲଖମା।

ଏଥର ମରାମତି ବଦଳରେ ନୂଆ ରାସ୍ତା ତିଆରି ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଥିବା ବେଳେ ସେ ସମୟ କେବେ ଆସିବ ବୋଲି ଏବେ ଲୋକେ ପ୍ରଶ୍ନ କରୁଛନ୍ତି। ଏ ପ୍ରସଙ୍ଗରେ ହାଇକୋର୍ଟ କ୍ଷୁବ୍ଧ ହେବା ପରେ ବି ସ୍ଥିତି ସୁଧୁରୁନି। ରାସ୍ତା ଲାଇଟ୍ ଅବସ୍ଥା ବି ତଦ୍ରୁପ। ଅଧିକାଂଶ ଲାଇଟ ଅଚଳ ହେଇ ପଡିଥିବା ବେଳେ ତାହା ବି ମରାମତି ହେଉନି। ଲୋକେ ଅଭିଯୋଗ କଲେ ଯାଇ ଲାଇଟ୍ ମରାମତି ହେବ ବୋଲି ସିଏମସି ପକ୍ଷରୁ ବିଚିତ୍ର ସଫେଇ ଦିଆଯାଉଛି।

 

Sambad

ପାର୍ବଣସମୟ ପୂର୍ବରୁ ପ୍ରତିବର୍ଷ ମହାନଗର ନିଗମର ବିଭିନ୍ନ ୱାର୍ଡର ରାସ୍ତା, ଆଲୋକ, ଡ୍ରେନ ଓ ସ୍ଲାବ୍‌ ମରାମତି କାମ କରଯାଏ। ବର୍ଷାରେ ନଷ୍ଟ ହୋଯାଇଥିବା ସହରର ରାସ୍ତା ଓ ଇଲେକ୍ଟ୍ରିକ ଖୁଣ୍ଟିର କାମହୁଏ। ପ୍ରତିବର୍ଷ ଦଶହରା ପୂର୍ବରୁ ସହରରେ ପଟହୋଲ କାମ କରାଯାଏ। ଗତବର୍ଷ କାଉନସିଲ ନଥିଲେ ବି ସିଏମସିର ୫୯ଟି ୱାର୍ଡରେ ୪ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କାରେ ୧୮୩ଟି ପଟହୋଲ କାମ କରାଯାଇଥିଲା। ହେଲେ ଚଳିତ ବର୍ଷ କରୋନା ଆଳରେ ସିଏମସି ପଟହୋଲ କାମକୁ ବାଦ ଦେଇ ଦେଇଛି।

ଅନ୍ୟପଟେ ସହରରେ ଖରାପ ରାସ୍ତାର ମରାମତି ବଦଳରେ ନୂଆ ରାସ୍ତା କରିବାକୁ ମହାନଗର ନିଗମ ତରଫରୁ କୁହାଯାଇଥିଲା। ହେଲେ ସହରର କେଉଁଠାରେ ବି ନୂଆ ରାସ୍ତାକାମ ଦେଖିବାକୁ ମିଳୁନାହିଁ। ବି‌େଶଷ ଭାବେ କଟକର ପ୍ରବେଶ ପଥ କୁହାଯାଉଥିବା ଖାନନଗର ରିଂ ବନ୍ଧ ଏବେ ଶୋଚନୀୟ। ପ୍ରେସଛକ ଓଭର ବ୍ରିଜରୁ ନେଇ ହାଇକୋର୍ଟ ଗଡା ପର୍ଯ୍ୟନ୍ତ ରାସ୍ତା ଖାଲଖମାରରେ ପୂର୍ଣ୍ଣ। ପ୍ରତିଦିନ ଏ ରାସ୍ତା ଦେଇ ସହରରକୁ ବାହାର ଅଞ୍ଚଳର ଲୋକେ ଆସୁଥିବା ବେଳେ ରାସ୍ତାର ଅବସ୍ଥା ସହରର ଚିତ୍ରକୁ ମଳିନ କରୁଥିବାର ଅଭିଯୋଗ ହୋଇଛି। ଖାନନଗର ସହରର ପ୍ରବଶ ପଥ ହୋଇଥିଲେ ବି ଏହାର ରାସ୍ତାକୁ ଦୀର୍ଘଦିନ ହେବ ମରାମତି କରାଯାଇ ନାହିଁ।

ରାସ୍ତାର ଅବସ୍ଥା ଦେଖି ଅନ୍ୟ ଅଞ୍ଚଳରୁ କଟକକୁ ଆସୁଥିବା ଲୋକଙ୍କ ମନରେ ସହରର ପ୍ରତି ଏକ ଭିନ୍ନ ଚିନ୍ତା ତିଆରି ହେଉଛି ବୋଲି ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସଂପାଦକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି। ସିଏମସି ତୁରନ୍ତ ସହରର ଖାଲଖମାର ରାସ୍ତାର ମରାମତି କିମ୍ବା ନୂଆ ରାସ୍ତା ତିଆରି କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର