ପଦୋନ୍ନତି ପରେ ବି ଅଟକିଛି ବଦଳି; କରୋନା ଭୟରେ ଆସୁ ନାହାନ୍ତି ଥାନା ବାବୁ!

କଟକ: କଟକ କମିସନରେଟର ୫ ଥାନା ଇନସ୍‌ପେକ୍ଟରଙ୍କ ବଦଳି ପ୍ରକ୍ରିୟା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କିନ୍ତୁ ୩ଟି ଥାନାର ବଦଳି ପ୍ରକ୍ରିୟା ଝୁଲି ରହିଛି। ପୁରୀଘାଟ ଓ ଚାଉଳିଆଗଞ୍ଜ ଥାନା ଆଇଆଇସି ଡିଏସ୍‌ପି ପାହ୍ୟାକୁ ଏକ ମାସ ହେବ ପଦୋନ୍ନତି ପାଇଥିବା ବେଳେ ସେମାନଙ୍କ ବଦଳି ହୋଇପାରୁ ନାହିଁ। କନ୍ଦରପୁର ଥାନା ଆଇଆଇସି ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇ ନାହିଁ। କୁହାଯାଉଛି, କରୋନା ସମୟରେ ଅନେକ ନୂଆ ପୁଲିସ ଅଫିସର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଭୟ କରୁଛନ୍ତି। ସେହି ଭୟରେ ଏଭଳି ବଦଳି ପ୍ରକ୍ରିୟା ଝୁଲି ରହିଥିବା ଚର୍ଚ୍ଚା ହେଉଛି। କେବଳ କମିସନରେଟ୍ ପୁଲିସରେ ନୁହେଁ, ରାଜ୍ୟର ଏକାଧିକ ଥାନାରେ ସମାନ ସ୍ଥିତି ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, କ୍ୟାଣ୍ଟନମେଣ୍ଟ୍‌ ଥାନାର ତତ୍କାଳୀନ ଇନ୍‌ସପେକ୍ଟର୍‌ ଇମନ କଲ୍ୟାଣ ନାୟକ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ କ୍ରାଇମ୍‌ବ୍ରାଞ୍ଚକୁ ବଦଳି ହୋଇ ଯିବା ପରେ ତାଙ୍କ ସ୍ଥାନରେ ଦୀନକୃଷ୍ଣ ମିଶ୍ର ଗଲା ମେ’ ୧୦ ତାରିଖରୁ ଯୋଗ ଦେଲେଣି। ବିଡ଼ାନାସୀ ଇନ୍‌ସପେକ୍ଟର ଲକ୍ଷ୍ମୀନାରାୟଣ ତିଓ୍ବାରୀ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସର ଡିଆଇବିକୁ ବଦଳି ହୋଇଛନ୍ତି। ଗଲା ୨ ତାରିଖରେ ତାଙ୍କ ସ୍ଥାନରେ ମର୍କତନଗର ଥାନା ଆଇଆଇସି ପ୍ରଦୀପ କୁମାର ନାୟକ ଯୋଗ ଦେଇଛନ୍ତି। ଶ୍ରୀ ନାୟକଙ୍କ ସ୍ଥାନରେ ନୂଆ ଇନ୍‌ସପେକ୍ଟର ବ୍ୟୁଟି ମହାନ୍ତି ସେହିଦିନ ହିଁ ମର୍କତନଗର ଥାନାରେ ଯୋଗ ଦେଇଛନ୍ତି। ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ କଟକ ଡିସିପି ଅଫିସର ଇହାତୁକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଶୁକ୍ରବାର ଶ୍ରୀ ଭଞ୍ଜ ଦାୟିତ୍ବ ନେବା ପରେ ଶ୍ରୀ ମିଶ୍ର ବଦଳି ହୋଇ ଯିବେ। କନ୍ଦରପୁର ଆଇଆଇସି ସତ୍ୟତିଜ ଦାସଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ହୋଇଛି। ସେ ଗଲା ମେ୍’ ୧୨ ତାରିଖରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇ ଗଲେଣି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ଥାନରେ ନୂଆ ଇନ୍‌ସପେକ୍ଟର ନିଯୁକ୍ତ ହୋଇ ନାହାନ୍ତି। ଚାଉଳିଆଗଞ୍ଜ ଆଇଆଇସି ତାପସ ପ୍ରଧାନଙ୍କ ମଧ୍ୟ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ହୋଇଛି। କିନ୍ତୁ କେହି ନୂଆ ଆଇଆଇସି ନିଯୁକ୍ତ ହୋଇ ନାହାନ୍ତି। ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କର ଜଗତସିଂହପୁର ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ ତାଙ୍କ ସ୍ଥାନରେ କେହି ନୂଆ ଅଫିସର ଆସି ନ ଥିବାରୁ ସେ ବି ଥାନା ଛାଡ଼ିନାହାନ୍ତି। ଗଲା ମେ’ ଦ୍ବିତୀୟ ସପ୍ତାହରେ ୧୩୮ ଜଣ ଇନ୍‌ସପେକ୍ଟର ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ନୂଆ ଇନ୍‌ସପେକ୍ଟର ନିଯୁକ୍ତ ଓ ବଦଳି ପ୍ରକ୍ରିୟା ତ୍ବରିତ ହେଉ ନ ଥିବାରୁ ଡିଏସ୍‌ପି ପାହ୍ୟାର ଅଧିକାରୀ ଏବେ ବି ଥାନା ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର