କଟକ: ସିଡିଏ-୧୧ରୁ ନୂଆପାଟଣା ଜାତୀୟ ରାଜପଥ-୫୫କୁ ସଂଯୋଗ କରିବା ପାଇଁ ୨୦୧୮ ଏପ୍ରିଲ ୧ ତାରିଖରେ ମହାନଦୀ ଉପରେ ଉତ୍କଳ ଗୌରବ ମଧୁସୂଦନ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଉକ୍ତ ପୋଲ ଯୋଗୁଁ କଟକରୁ ଚୌଦ୍ବାର ଓ ଆଠଗଡକୁ ରାସ୍ତା କମିଯାଇଛି। ତିନି କିଲୋମିଟର ଲମ୍ବ ଉକ୍ତ ବ୍ରିଜଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାର ଦୁଇ ଓ ଚାରି ଚକିଆ ଗାଡି ଯିବା ଆସିବା କରୁଛି। ଏତେ ସଂଖ୍ୟାରେ ଗାଡି ଯିବା ଆସିବା କରୁଥିଲେ ବି ବ୍ରିଜର ରାସ୍ତା ବାଲିରେ ଭର୍ତ୍ତି ହୋଇ ରହିଛି। ଅନ୍ୟପଟେ ପୋଲଟି ଉଦ୍ଘାଟନ ହେବାର ଅଢେଇ ବର୍ଷରୁ ଅଧିକ ଦିନ ବିତିଯାଇ ଥିଲେ ବି ଏହାକୁ ଆଲୋକୀକରଣ କରିବାରେ ବିଫଳ ହୋଇଛି ପ୍ରଶାସନ।
ବାଲି ସଫା କରିବା ଓ ଆଲୋକର ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଆରଆଣ୍ଡବି ବିଭାଗ ହାତ ବାନ୍ଧି ବସିଛି। ବାଲି ଯୋଗୁଁ ଅନେକ ସମୟରେ ପୋଲ ଉପରେ ଗାଡି ଚକା ଖସି ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ଅନ୍ଧାର ଯୋଗୁଁ ରାତିରେ ବ୍ରିଜ ଉପରେ ଅସାମାଜିକଙ୍କ ଆଡ୍ଡା ଜମୁଥିବାର ଦେଖିବାକୁ ମିଳିଛି। ସିଡିଏ-୧୧ ପାର୍ଶ୍ବରୁ ପୋଲକୁ ସଂଯୋଗ କରୁଥିବା ଗୋଲେଇ ଛକରେ ଉତ୍କଳ ଗୌରବ ମଧୁସୂଦନଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଗତ ଦୁଇମାସ ପୂର୍ବରୁ ଉନ୍ମୋଚନ କରାଯାଇଛି। ମାତ୍ର ପ୍ରତିମୂର୍ତ୍ତି ନିକଟରେ ମଧ୍ୟ ଆଲୋକର ବ୍ୟବସ୍ଥା କରିବାକୁ ପ୍ରଶାସନ ଭୁଲି ଯାଇଛି। ରାତିର ଅନ୍ଧାର ମଧ୍ୟରେ ଗୋଲେଇ ଛକରେ କାହାର ପ୍ରତିମୂର୍ତ୍ତି ରହିଛି ତାହା ଜଣା ପଡୁନାହିଁ। ପୋଲରୁ ବାଲି ସଫା କରିବା ସହିତ ବ୍ରିଜ ଓ ଏହାର ଆଖପାଖ ଅଞ୍ଚଳକୁ ଆଲୋକୀକରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।
/sambad/media/post_attachments/wp-content/uploads/2020/11/MADHUSUDAN-SETU-3114616-300x200.jpg)
ଇଲେକ୍ଟ୍ରି ସ˚ଯୋଗ ଦେଉନି ସିଏମସି
ସିଡିଏ ପଟେ ମଧୁସୂଦନ ସେତୁ ନିକଟରେ ଫେଜ୍-୨ ଥାନା ପୁଲିସ ପକ୍ଷରୁ ପୁଲିସର ଅସ୍ଥାୟୀ ଏଡ୍ ପୋଷ୍ଟ୍ ଖୋଲାଯାଇଛି। ୮ ଘଣ୍ଟା ଲେଖାଏ ଦୈନିକ ଦୁଇଜଣ ପୁଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି। କିନ୍ତୁ ତାଙ୍କୁ ଜରୁରୀ ପରିସ୍ଥିତିରେ କୌଣସି ସହୟତା ଯୋଗାଇବା କିମ୍ବା ସୂଚନା ପଠାଇବା ପାଇଁ ଭିଏଚଏଫ୍ ବି ଯୋଗାଇ ଦିଆଯାଇ ନାହିଁ। ବ୍ରିଜ ଉପରେ ମୋବାଇଲ୍ ନେଟଵାର୍କ ସମସ୍ୟା ରହୁଥିବାରୁ ଦୁର୍ଘଟଣା ଘଟିଲେ କିମ୍ବା ଥାନାକୁ ଜରୁରୀ ସୂଚନା ପଠାଇବାକୁ ଆବଶ୍ୟକ ପଡ଼ିଲେ ସମ୍ଭବପର ହୋଇପାରୁ ନାହିଁ। ଏଡ୍ ପୋଷ୍ଟରେ ବିଜୁଳି ସ˚ଯୋଗ ନଥିବାରୁ ମୋବାଇଲ୍ ଚାର୍ଜ କରିବାରେ ବି ସମସ୍ୟା ଦେଖା ଦେଉଛି। ଗୋଟିଏ ପଟେ ଭିଏଚଏଫ୍ ନାହିଁ, ଅନ୍ୟପଟେ ମୋବାଇଲ୍ ସମସ୍ୟା ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ପିଇବା ପାଇଁ ପାଣି ବି ସୁବିଧା ନାହିଁ।
ଏକ କିମି ଦୂର ଥାନାରୁ ପୁଲିସ କର୍ମଚାରୀ ପିଇବା ପାଣି ଆଣିବାକୁ ପଡ଼ୁଛି। ବ୍ରିଜ ଆରମ୍ଭରୁ ସିଡିଏ ପଟେ ଥିବା ଗୋଲେଇ ଛକରେ ଷ୍ଟ୍ରିଟ୍ ଲାଇଟ୍ ବି ନାହିଁ। ଗୋଲେଇଛକ ଅଞ୍ଚଳ ଅନ୍ଧାର ଥିବାବେଳେ ଅପରାଧୀଙ୍କ ଚଳପ୍ରଚଳ ବୃଦ୍ଧି ପାଉଛି। ବ୍ରିଜ୍ର ଦୁଇପଟ ଇଲେକ୍ଟ୍ରି ଲାଇଟ୍ ନଥିବାରୁ ଅସାମାଜିକ ବ୍ୟକ୍ତିମାନେ ମଦ ଆସର ଜମାଉଛନ୍ତି। ରାସ୍ତା ଦୁଇପାର୍ଶ୍ବରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ବ୍ରିଜ ଆରମ୍ଭରୁ ସିସି କ୍ୟାମେରା ବ୍ୟବସ୍ଥା ନଥିବାରୁ ବ୍ରିଜ ଉପରେ ଆଡ୍ଡା ଜମାଉଥିବା ଅସାମାଜିକ ବ୍ୟକ୍ତିଙ୍କୁ ଠାବ କରିବା ସହଜ ହେଉ ନାହିଁ। ସିଡିଏ ଫେଜ-୨ ଥାନା ଆଇଆଇସି ବିଜୟିନୀ ସି˚ହ କହିଛନ୍ତି ଯେ ବ୍ରିଜରେ ଷ୍ଟ୍ରିଟ୍ ଲାଇଟ୍ ସ˚ଯୋଜ କରିବା ପାଇଁ ସିଏମ୍ସିକୁ ବାରମ୍ବାର ଡିସିପିଙ୍କ ଅଫିସ ତରଫରୁ କୁହାଯାଇଛି। ଏହା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ସ˚ଯୋଗ ହୋଇପାରିଲା ନାହିଁ। ପୁଲିସର ଅସ୍ଥାୟୀ ଏଡ୍ ପୋଷ୍ଟକୁ ଇଲେକ୍ଟ୍ରି ସ˚ଯୋଗ ବି ଏଯାଏ କରାଗଲା ନାହିଁ। ଇଲେକ୍ଟ୍ରି ନଥିବାରୁ ଭିଏଚଏଫ୍ ବ୍ୟବହାର କରାଯାଇ ପାରୁ ନାହିଁ। ବ୍ରିଜ ଉପର ଅନ୍ଧାର ରହୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଯଦିଓ ପିସିଆର୍ ଭ୍ୟାନ୍ ଓ ବାଇକ୍ ପାଟ୍ରୋଲି˚ ୨୪ ଘଣ୍ଟିଆ ଡ୍ୟୁଟି କରୁଛି, ପୁରା ବ୍ରିଜ ଅନ୍ଧାର ଥିବାରୁ ଛିନତାଇର ଆଶଙ୍କା ବଢ଼ିଯାଉଛି।