ବାଣ ବିକ୍ରି ଓ ଫୁଟାଇବା ଅନୁମତି କଟକଣାକୁ ଚାଲେଞ୍ଜ, ନଭେମ୍ବର ୧ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି
କଟକ: ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଅନୁମତି ପ୍ରସଂଗରେ ସ୍ବତନ୍ତ୍ର ରିଲିଫ କମିସନର(ଏସଆରସି) ସାନି ଶୁଣାଣି କରି ନିଷ୍ପତ୍ତି ନେବେ। ଆଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ଓ କେତେକ ଡିଲରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୩୦ ଦିନ ୧୧ଟାରେ ଏସଆରସି ଏହି ପ୍ରସଂଗରେ ନିଜ କାର୍ଯ୍ୟାଳୟରେ ଶୁଣାଣି କରିବେ। ଆବେଦନକାରୀଙ୍କୁ ପକ୍ଷ ଏସଆରସି ଶୁଣିବେ। ଏହି ପ୍ରସଂଗରେ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟ ଅର୍ଜୁନ୍ ଗୋପାଳ ମାମଲାରେ ପ୍ରଦାନ କରିଥିବା ନିର୍ଦ୍ଦେଶ ସହିତ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ଜାରି କରିଥିବା ନିୟମାବଳୀ ଓ କରୋନା ସ୍ଥିତିକୁ ବିଚାରକୁ ନିଆଯିବ। ଅକ୍ଟୋବର ୩୦ ଦିନ ୧ଟା ସୁଦ୍ଧା ଏସଆରସି ଶୁଣାଣି ଶେଷ କରିବେ। ଗ୍ରିନ୍ କ୍ରାକର ବିକ୍ରି ଓ ଅନୁମତି ସଂପର୍କିତ ଆବେଦନକାରୀଙ୍କ ଅନୁରୋଧ ଉପରେ ନଭେମ୍ବର ୧ ତାରିଖ ଦିନ ସାଢେ ଦଶଟା ସୁଦ୍ଧା ଏସଆରସି ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ଆବେଦନକାରୀଙ୍କୁ ଏହି ନିର୍ଦ୍ଦେଶର କପି ପ୍ରଦାନ କରାଯିବ। ଏହି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଉପସ୍ଥାପନ କରାଯିବ। ନଭେମ୍ବର ୧ ତାରିଖ ଦିନ ୨ଟାରେ ଏହି ମାମଲାର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଆସୋସିଏସନ୍ ଓ ଡିଲରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ଓ ଗ୍ରିନ୍ ଫାୟରକ୍ରାକର ବା ସବୁଜ ବାଣ ଫୁଟାଇବା ସହିତ କରୋନା ମହାମାରୀ ସଂକ୍ରମଣର କିଛି ସଂପର୍କ ନାହିଁ। ଗ୍ରିନ୍ କ୍ରାକର ପାଇଁ ଏନଜିଟି ଅନୁମତି ଦେବା ସହିତ ୨୦୨୦, ଡିସେମ୍ବର ୧ରେ ଏ ସଂପର୍କିତ ନିୟମାବଳୀ ଜାରି କରିଥିଲେ। ଏଥିସହିତ ଅଜୁର୍ନ ଗୋପାଳ ବନାମ କେନ୍ଦ୍ର ସରକାର ମାମଲାରେ ୨୦୧୮, ଅକ୍ଟୋବର ୨୩ ଓ ୨୦୧୯, ଏପ୍ରିଲ ୨୧ରେ ସୁପ୍ରିମକୋର୍ଟ ବାଣ ଅନୁମତି ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବାୟୁର ମାନ ମଧ୍ୟ ଭଲ ରହିଛି। ଏଭଳି ସ୍ଥିତିରେ ଗ୍ରିନ୍ କ୍ରାକର ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ସ୍ପଷ୍ଟ କରାଯାଇଥିଲା ଯେ ଆସନ୍ତା ଦୀପାବଳି ଉତ୍ସବରେ ଅନୁମତିପ୍ରାପ୍ତ ଗ୍ରିନ କ୍ରାକର ବ୍ୟବହାର ପ୍ରସଂଗରେ କୌଣସି ଆପତ୍ତି ନାହିଁ। ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭସ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ)ର ଡେପୁଟି ଚିଫ୍ କଂଟ୍ରୋଲର ଅଫ୍ ଏକ୍ସପ୍ଲୋସିଭସ୍ଙ୍କ ପକ୍ଷରୁ ଦାଖଲ ଜବାବରେ ଅର୍ଜୁନ ଗୋପାଳ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ସହିତ ଏନଜିଟିଙ୍କ ନିୟମାବଳୀ ଡିଲରଙ୍କ ଦ୍ବାରା ପାଳନ ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଦୀପାବଳି ଉତ୍ସବ ସମୟରେ ବୈଧ ଲାଇସେନ୍ସଧାରୀଙ୍କ ମାଧ୍ୟମରେ ଉତ୍ପାଦନକାରୀଙ୍କ ଲେବଲ, ବାର୍ କୋଡ୍ ଓ ବ୍ୟବହାର ସଂପର୍କିତ ବିସ୍ତୁତ ସୂଚନା ଥିବା ଅନୁମତିପ୍ରାପ୍ତ ଗ୍ରିନ୍ ଫାୟାରୱାର୍କସ ବିକ୍ରି ଓ ବ୍ୟବହାର ପ୍ରସଂଗରେ ଏହି କାର୍ୟ୍ୟାଳୟର କୌଣସି ଆପତ୍ତି ନାହିଁ ବୋଲି ସତ୍ୟପାଠରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ସତ୍ୟପାଠରେ ରହିଥିବା ତଥ୍ୟ ଓ ସୁପ୍ରିମକୋର୍ଟରେ ଅର୍ଜୁନ ଗୋପାଳ ମାମଲା ବିଚାରାଧୀନ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଏହି ପ୍ରସଂଗରେ ଏସଆରସିଙ୍କୁ ସାନି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଜି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ବିନା କୌଣସି କାରଣରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର କରାଯାଇଛି। ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ ସଂକ୍ରମଣ କମ୍ କରିବା ଉଦ୍ଦେଶ୍ୟ ନେଇ ସରକାର ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ବୋଲି ଗତ ବର୍ଷ କହିଥିଲେ। ଚଳିତ ବର୍ଷ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ବେଳେ ପୁଣି ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ବାୟୁର ମାନ ଓଡ଼ିଶାରେ ଭଲ ଅଛି ଓ ପ୍ରଦୂଷଣକୁ ନେଇ କୌଣସି ପ୍ରକାର ଚିନ୍ତାଜନକ ସ୍ଥିତି ନାହିଁ। ଏଭଳି ସ୍ଥିତିରେ ବାଣ ଫୁଟାଇବାରେ କିଛି ସମସ୍ୟା ନାହିଁ। ତେଣୁ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯିବା ଅନାବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଲୋଡ଼ି ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ମାମଲାକୁ ଗତ ୨୫ ତାରିଖ ଦିନ ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଥିଲା। ସାନି ଆବେଦନ ଦାୟର ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ଏହାପରେ ଆସୋସିଏସନ୍ ଓ କେତେକ ଡିଲରଙ୍କ ତରଫରୁ ପୁଣି ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଛନ୍ତି।