କଟକ: ଦିନ କେଇଟାରେ ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର। ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଏହି ଦିନର ମହତ୍ବକୁ ଦ୍ବିଗୁଣିତ କରିଥାଏ। ରାକ୍ଷୀ ବାନ୍ଧି ଭଉଣୀର ସୁରକ୍ଷା ପ୍ରତି ଭାଇଟିଏ ପ୍ରତିବଦ୍ଧ ହୋଇଥାଏ। ଭାଇ-ଭଉଣୀଙ୍କ ଏହି ନିଆରା ସମ୍ପର୍କଙ୍କୁ ଦୃଷ୍ଟିରେ ରଖି କଟକର ଈଶ୍ବର ସାହୁ ନୂଆ କରି ତିଆରି କରିଛନ୍ତି ‘ଏଗ୍ରିମେଣ୍ଟ୍‌ ରାକ୍ଷୀ କିଟ୍‌’ ଓ ଫଟୋ ରାକ୍ଷୀ। ଏହି ଏଗ୍ରିମେଣ୍ଟ୍‌ ରାକ୍ଷୀ କିଟ୍‌ରେ ‘ବ୍ରଦର୍‌-ସିଷ୍ଟର୍‌ ଏଗ୍ରିମେଣ୍ଟ ପେପର୍‌’ ସମେତ ରହିଛି ୭ଟି ସାମଗ୍ରୀ। ‘ଏଗ୍ରିମେଣ୍ଟ୍‌ ପେପର୍‌’ରେ ରହିଛି ୫ଟି ସର୍ତ୍ତାବଳୀ। ଚାଉଳିଆଗଞ୍ଜସ୍ଥିତ ଆରାଧ୍ୟା ଗ୍ରାଫିକ୍‌ର ମାଲିକ ଈଶ୍ବର ସାହୁ ଭାଇ-ଭଉଣୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଦିନକୁ ନଜରରେ ରଖି ତିଆରି କରିଛନ୍ତି ଏଗ୍ରିମେଣ୍ଟ ରାକ୍ଷୀ କିଟ୍‌ ଓ ଫଟୋ ରାକ୍ଷୀ। ‘ବ୍ରଦର୍‌-ସିଷ୍ଟର୍‌ ଏଗ୍ରିମେଣ୍ଟ୍‌ ପେପର୍‌’ରେ ଭାଇଭଉଣୀଙ୍କ ଫଟୋ ସମେତ ରହିଛି ୫ଟି ସର୍ତ୍ତାବଳୀ। ଏହାସହ ରହିଛି ଗୋଟିଏ ଫଟୋ ରାକ୍ଷୀ, ଚକ‌ୋଲେଟ୍‌, ସେଣ୍ଟ, ଚାବି ରିଙ୍ଂ, ଚାଉଳ, ସିନ୍ଦୂର ଓ ଭାଇମାନଙ୍କ ପାଇଁ ଶୁଭେଚ୍ଛା କାର୍ଡ। କାଠ ତିଆରି ବା ‘ଉଡେନ୍‌ ବକ୍ସ୍‌’ ମଧ୍ୟରେ ଏହି ସବୁ ଜିନିଷ ରଖି ସେ ତିଆରି କରିଛନ୍ତି ଏଗ୍ରିମେଣ୍ଟ ରାକ୍ଷୀ କିଟ୍‌। ଦର ରହିଛି ୨୬୦ ଟଙ୍କା। ଏହାସହ ରହିଛି ଫଟୋ ରାକ୍ଷୀ, ଯାହାର ଦର ୫୦ ଟଙ୍କା।

Advertisment

ଏଗ୍ରିମେଣ୍ଟ ‌ଫଟୋ ରାକ୍ଷୀ ଅର୍ଡର ସହ ‘ବ୍ରଦର୍‌-ସିଷ୍ଟର୍‌ ଏଗ୍ରିମେଣ୍ଟ ପେପର୍‌’ ପାଇଁ ଭାଇ-ଭଉଣୀଙ୍କୁ ନିଜ ଫ‌ଟୋ ଦେବାକୁ ପଡ଼ିଥାଏ। ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ‘ବ୍ରଦର୍‌-ସିଷ୍ଟର୍‌ ଏଗ୍ରିମେଣ୍ଟ ପେପର୍‌’ରେ ଥିବା ୫ଟି ସର୍ତ୍ତାବଳୀ ପଢ଼ି ଉଭୟ ଭାଇ-ଭଉଣୀ ଏଥିରେ ଦସ୍ତଖତ କରି ଏହାକୁ ନିଜ ପାଖରେ ସ୍ମୃତି କରି ରଖିପାରିବେ। ସେହିପରି ଫଟୋ ରାକ୍ଷୀ ପାଇଁ ନିଜ ମୁତାବକ ଫଟୋ ଦେଇ ଏହାକୁ ଅର୍ଡର କରିପାରିବେ ଗ୍ରାହକ। କଟକ ‌ସମେତ ରାଜ୍ୟର ସମସ୍ତ ଅଞ୍ଚଳରେ ପହଞ୍ଚିବ ଏହି ଏଗ୍ରିମେଣ୍ଟ ରାକ୍ଷୀ କିଟ୍‌ ଓ ଫଟୋ ରାକ୍ଷୀ। କଟକରେ ଅର୍ଡର‌୍ କରିବାର କିଛି ସମୟ ମଧ୍ୟରେ ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ଅର୍ଡର‌୍ର ୩ ରୁ ୫ ଦିନ ମଧ୍ୟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ସାମଗ୍ରୀ। ଦୂରତା ଅନୁଯାୟୀ ଡେଲିଭରି ପାଇଁ ୧ଶହରୁ ୨ଶହ ଟଙ୍କା ଅଧିକ ଚାର୍ଜ ରହିଛି। ଫେସବୁକ ପେଜ୍‌ (Srav Photos) ଓ ମୋବାଇଲ ନମ୍ବର୍‌ ୮୨୪୯୨-୬୬୯୬୩ରେ ଏହା ଅର୍ଡର‌୍ କରିବାର ସୁବିଧା ରହିଛି।

publive-image Sambad

ଈଶ୍ବର ସାହୁ କୁହନ୍ତି...
୩ ବର୍ଷ ହେଲା ରାକ୍ଷୀ ବ୍ୟବସାୟ କରୁଛି। ଗ୍ରାହକଙ୍କ ପସନ୍ଦକୁ ନେଇ ଚଳିତବର୍ଷ ଭିନ୍ନ ଢ଼ଙ୍ଗରେ ପ୍ରସ୍ତୁତ କରିଛି ‘ଏଗ୍ରିମେଣ୍ଟ ରାକ୍ଷୀ କିଟ୍‌’। ପ୍ରଥମବର୍ଷ ‌ଗ୍ରାହକମାନେ ଡେଲିଭରି ବ୍ୟବସ୍ଥାକୁ ଭଲରେ ଗ୍ରହଣ କରିଥିଲେ। ଦୁଇବର୍ଷ କୋଭିଡ୍‌ ସମୟରେ ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରିଛନ୍ତି।