କଟକ: ଉଭୟ ହିନ୍ଦୁ ଓ ଜୈନ ଧର୍ମରେ ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ପବିତ୍ର ଦିନ ଭାବେ ବିଚାର କରାଯାଏ। ସେଥିପାଇଁ କୌଣସି ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଅନେକ ଏହି ଦିନକୁ ଚୟନ କରିଥାନ୍ତି। ବିବାହ ହେଉ କି ବିବାହ ପାଇଁ ନିର୍ବନ୍ଧ, କୌଣସି ବ୍ୟବସାୟ ଆରମ୍ଭ ହେଉ ଅଥବା ଚାଷ ଅନୁକୂଳ ଅଥବା ଘର ନିର୍ମାଣ ଶୁଭ କି ଘର ପ୍ରତିଷ୍ଠା.... ଅକ୍ଷୟ ତୃତୀୟାରେ ଅନ୍ୟ ଶୁଭାଶୁଭ ଯୋଗ ବିଚାର ନ କରି ସର୍ବଶୁଭ ବୋଲି ଗ୍ରହଣ କରି କାର୍ଯ୍ୟ କରାଯାଏ। ବ୍ୟକ୍ତିର ସୁଖ, ସମୃଦ୍ଧି, ସଫଳତା, ଆନନ୍ଦ ଯେଭଳି କମ୍ ନହୋଇ ସବୁ ବେଳେ ବଜାୟ ରହିବ, ସେହି ଆଶାରେ ଅକ୍ଷୟ ତୃତୀୟା ଦିନରୁ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯାଏ। ହିନ୍ଦୁ ବା ସନାତନ ଧର୍ମ ବିଚାରରେ ଏଭଳି ଅନେକ କଥା ଏହି ଦିନ ଘଟିଛି, ଯେଉଁଥିପାଇଁ ଏହି ଦିନ ବିଶେଷ ମହତ୍ତ୍ବପୂର୍ଣ୍ଣ ହୋଇ ଯାଇଛି। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଭାବେ ପର୍ଶୁରାମଙ୍କୁ ବିଚାର କରାଯାଉଥିବା ବେଳେ ଏହି ଦିନ ପର୍ଶୁରାମଙ୍କ ଜନ୍ମ ହୋଇଥିଲା। ତେଣୁ ଏହି ଦିନକୁ ପର୍ଶୁରାମଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ଏହି ଦିନ ଗଙ୍ଗା ଭୂପୃଷ୍ଠରେ ଅବତରଣ କରିଥିଲେ ବୋଲି ବିଚାର କରାଯାଏ। ଏହି ବିଶ୍ବାସରେ ଶୀତ ଦିନେ ବନ୍ଦ ରହୁଥିବା ଉତ୍ତରାଖଣ୍ଡର ଯମୁନେତ୍ରୀ ମନ୍ଦିର, ଗଙ୍ଗୋତ୍ରୀ ମନ୍ଦିର ଅକ୍ଷୟ ତୃତୀୟାରେ ହିଁ ସାଧାରଣ ଦର୍ଶନ ପାଇଁ ଖୋଲି ଥାଏ। କେଦାର ନାଥ ମନ୍ଦିର ବି ଏହି ଦିନ ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହୋଇଥାଏ।
ପୁରାଣ ବର୍ଣ୍ଣନା ଅନୁଯାୟୀ ଏହି ଦିନ କୁବେରଙ୍କୁ ଧନର ଦେବତା ଭାବେ ଅଧିଷ୍ଠିତ କରାଯାଇଥିଲା। ତେଣୁ କୁବେରଙ୍କ ଧନ କେବେ କ୍ଷୟ ହୁଏ ନାହିଁ ବୋଲି ବିଶ୍ବାସ ରହି ଆସିଛି। ଏହି ଦିନ ସୁଦାମା ତାଙ୍କ ପିଲା ଦିନର ସାଙ୍ଗ ଶ୍ରୀକୃଷ୍ଣଙ୍କୁ ଭେଟି ଥିଲେ ଏବଂ ସୁଦାମାଙ୍କ ଦୁଃଖ, ଗରିବୀ ଇତ୍ୟାଦି ସବୁ ସମସ୍ୟାର ସମାଧାନ ହୋଇଯାଇଥିଲା। ତାଙ୍କର ସୁଖ ସମୃଦ୍ଧିର ଦିନ ଆରମ୍ଭ ହୋଇଥିଲା। ଦ୍ବାପର ଯୁଗରେ ଏହି ଦିନ ଦ୍ରୌପଦୀଙ୍କୁ ‘ଅକ୍ଷୟ ପାତ୍ର’ ମିଳିଥିଲା। ଅର୍ଥାତ ଏହି ପାତ୍ରରୁ କେବେ ଖାଦ୍ୟ ସରେ ନାହିଁ। ପାଣ୍ଡବମାନଙ୍କ ବନବାସ ସମୟରେ ହଠାତ ଅନେକ ଋଷ ସେମାନଙ୍କ ପାଖରେ ପହଞ୍ଚି ଯାଇ ଖାଦ୍ୟ ଭିକ୍ଷା ମାଗି ଥିଲେ। କିନ୍ତୁ ଋଷି ମାନଙ୍କୁ କେମିତି ଖାଦ୍ୟ ଦେବେ ବୋଲି ପାଣ୍ଡବମାନେ ଓ ଦ୍ରୌପଦୀ ବିଚଳିତ ହୋଇ ପଡିଥିଲେ। ଏଭଳି ସ୍ଥିତିରେ ଯୁଧିଷ୍ଠିର ସୂର୍ଯ୍ୟ ଭଗବାନଙ୍କ ଆରାଧନା କରିଥିଲେ ଏବଂ ସୂର୍ଯ୍ୟ ତାଙ୍କୁ ଅକ୍ଷୟ ପାତ୍ର ଦେଇଥିଲେ। ଯୁଧିଷ୍ଠିର ସେହି ପାତ୍ର ନେଇ ଦ୍ରୌପଦୀଙ୍କୁ ଦେଇଥିଲେ। ଏହି ପାତ୍ରର ବିଶେଷତ୍ବ ଥିଲା ଯେ ଦ୍ରୌପଦୀ ଯେଉଁ ପର୍ଯ୍ୟନ୍ତ ଏହି ପାତ୍ରରୁ ଖାଦ୍ୟ ପରସି ଚାଲିଥିବେ, ସେ ପର୍ଯ୍ୟନ୍ତ ପାତ୍ରରୁ ଖାଦ୍ୟ ଶେଷ ହେବ ନାହିଁ। ଯେତେ ଲୋକ ଖାଇଲେ ବି ସେଥିରୁ ଖାଦ୍ୟ ସରୁ ନଥିବାରୁ ତାହାର ନାମ ଥିଲା ଅକ୍ଷୟ ପାତ୍ର। ତେଣୁ ଏଭଳି ସବୁ ଧାର୍ମିକ ବିଶ୍ବାସ ଓ ବିଶେଷତାକୁ ନେଇ ଅକ୍ଷୟ ତୃତୀୟା ଅତ୍ୟନ୍ତ ପବିତ୍ର ଦିନ ଭାବେ ପରିଗଣିତ ହୁଏ। ବିଶ୍ବାସର ସହ ଏହି ଦିନରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ ବୋଲି ମଧ୍ୟ ବିଶ୍ବାସ କରାଯାଏ।