କଟକ ଜିଲ୍ଲାର ସବୁ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ଚୌଦ୍ୱାର, ବାଙ୍କୀ ପାଇଁ ବିବାଦ ନାହିଁ; ଆଠଗଡ଼ ପାଇଁ କେଁ

କଟକ : ଆଗାମୀ ପୌର ନିର୍ବାଚନରେ କଟକ ଜିଲ୍ଲାର ଗୋଟିଏ ପୌର ପରିଷଦ, ଦୁଇଟି ଏନ୍‌ଏସି ଅଧ୍ୟକ୍ଷ ଆସନରେ ବସିବେ ମହିଳା। ପୂର୍ବରୁ କଟକ ମହାନଗର ନିଗମ ମେୟର ପଦ ଅସଂରକ୍ଷିତ ରହିଥିବା ବେଳେ ଆଜି ୩ରୁ ୩ ପୌର/ଏନଏସି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ଘଟଣାରେ ବିଭିନ୍ନ ଦଳର ପ୍ରଭାବଶାଳୀ ନେତା ମାନଙ୍କୁ ହତାଶ କରିଛି। କଟକ ମେୟର, ଚୌଦ୍ବାର ପୌର ପରିଷଦ ଏବଂ ଆଠଗଡ଼ ଓ ବାଙ୍କୀ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରଥମ ଥର ସିଧାସଳଖ ନିର୍ବାଚନ ହେବାକୁ ଯାଉଥିବାରୁ ଏହାର ଗୁରୁତ୍ବ ବଢି ଯାଇଛି। ଏଭଳି ସ୍ଥିତିରେ ସବୁ ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ଘଟଣା ରାଜନୈତିକ ସମୀକରଣକୁ ଓଲଟପାଲଟ କରି ଦେଇଛି। କିନ୍ତୁ ଆଠଗଡ଼ର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରହିବାର ଯଥାର୍ଥତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଗତ ନିର୍ବାଚନରେ ଚୌଦ୍ବାର ପୌର ପରିଷଦ ଅଧ୍ୟକ୍ଷ ପଦ ପଛୁଆ ବର୍ଗ, ଆଠଗଡ଼ ଏନଏସି ଅଧ୍ୟକ୍ଷ ପଦ ପଛୁଆ ବର୍ଗ ମହିଳା ଏବଂ ବାଙ୍କୀ ଏନଏସି ଅଧ୍ୟକ୍ଷ ପଦ ପଛୁଆ ବର୍ଗ ପାଇଁ ସଂରକ୍ଷିତ ଥିଲା। ଚୌଦ୍ବାରରେ ସ୍ବର୍ଗତ କୈଳାସ ପୃଷ୍ଟି, ଆଠଗଡ଼ରେ ସୁଚିତ୍ରା ସାହୁ ଓ ବାଙ୍କୀରେ ଅକ୍ଷୟ ନାୟକ ଅଧ୍ୟକ୍ଷ ଆସନରେ ବସିଥିଲେ। ସଂରକ୍ଷଣର ବଦଳ ନୀତି ଆଧାରରେ ଏଥର ଚୌଦ୍ବାର ଓ ବାଙ୍କୀ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ‌ାରେ ଯଦିଓ କୌଣସି ସମସ୍ୟା ନାହିଁ କିନ୍ତୁ ଆଠଗଡ଼ ପୂର୍ବରୁ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତିରେ ଆପତ୍ତି ଅଭିଯୋଗ ଦାଖଲ ପରେ ଆଠଗଡ଼ର ସଂରକ୍ଷଣ ହୁଏତ ବଦଳିବାର ସମ୍ଭାବନା ରହିଛି। ପୂର୍ବ ଇତିହାସକୁ ଦେଖିଲେ ଏଯାଏ ଆଠଗଡ଼ ଏନଏସିରେ ଦୁଇ ଥର, ଚୌଦ୍ୱାର ପୌରପରିଷଦ ଓ ବାଙ୍କୀ ଏନଏସିରେ ଥରେ ଲେଖାଏ ମହିଳା ନଗରପାଳ ହେବାର ସୁଯୋଗ ପାଇଛନ୍ତି।

କିନ୍ତୁ ମହିଳା ସଂରକ୍ଷଣ ସ୍ଥିତିରେ ସବୁ ବର୍ଗର ମହିଳାଙ୍କ ପାଇଁ ପ୍ରତିଦ୍ବନ୍ଦ୍ବିତାର ସୁଯୋଗ ରହିଛି। ଫଳରେ ବହୁ ବରିଷ୍ଠ ନେତା ଏବେ ନିଜେ କାଉନସିଲର ନିର୍ବାଚନ ନ ଲଢି ନିଜ ପତ୍ନୀଙ୍କୁ ଅଧ୍ୟକ୍ଷ ନିର୍ବାଚନରେ ଉତାରିବାକୁ ଯୋଜନା ଆରମ୍ଭ କରି ଦେଇଛନ୍ତି। ଚୌଦ୍ବାର ଏବଂ ଆଠଗଡ଼ରେ ବିଜେଡି ପାଇଁ ବିଶେଷ ଚାଲେଞ୍ଜ ନାହିଁ। କିନ୍ତୁ ବାଙ୍କୀରେ ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପି ଚାଲେଞ୍ଜ ଦେବା ସ୍ଥିତିରେ ଅଛନ୍ତି। କଟକ ମେୟର ଏବଂ ଚୌଦ୍ବାର, ଆଠଗଡ଼, ବାଙ୍କୀ ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ କଟକ ଏବଂ ବାଙ୍କୀରେ ଅଧିକ ରୋଚକ ଲଢେଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କଟକ ମହାନଗରରେ ୫୯ଟି ୱାର୍ଡ ଥିବା ବେଳେ ଚୌଦ୍ବାର ପୌର ପରିଷଦରେ ୧୯ଟି, ଆଠଗଡ ଏନଏସିରେ ୧୮ଟି ଏବଂ ବାଙ୍କୀ ଏନଏସିରେ ୧୭ଟି ୱାର୍ଡ ରହିଛି।

ସମ୍ବନ୍ଧିତ ଖବର