ଇଣ୍ତିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ କଟକର ଅମନଦୀପ

କଟକ: ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ କଟକର ୨ ବର୍ଷୀୟ ଶିଶୁ ଅମନଦୀପ ସାହୁ। ୨୭ଟି ଭିଡିଓ ମାଧ୍ୟମରେ ୭୭ଟି ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ନାମ, ୧୩ଟି ଯାନବାହନ, ୧୨ଟି ରଙ୍ଗ, ୧୫ଟି ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ୍‌, ୨୩ଟି ଶରୀର ଅଙ୍ଗପ୍ରତ୍ୟଙ୍ଗ, ଦେଶବିଦେଶର, ଜାତୀୟ ଚିହ୍ନ, ୧୨ ମାସ, ୧୧ଟି ଫୁଲ, ୨୫ଟି ଫଳର ନାମ କହି ଏହି ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଆଠଗଡ଼ର ମୂଳ ବାସିନ୍ଦା ପ୍ରଦୀପ ସାହୁ ଓ କବିତା ସାହୁଙ୍କ ପୁଅ ଅମନଦୀପ ସାହୁ। ବୟସ ୨ ବର୍ଷ ୧୦ ମାସ। ଏହି ବୟସରେ ସ୍କୁଲ୍‌ ଯାଇନଥିବା ବେଳେ ଏଭଳି ଜିନିଷର ନାମ ମନେ ରଖିପାରିଛନ୍ତି। ଅମନଦୀପଙ୍କ ମା’ ଗତ ଜାନୁଆରି ମାସରେ ପୁଅର ଏଭଳି ସ୍ମରଣଶକ୍ତି ଦେଖି ଭିଡିଓ ଉତ୍ତୋଳନ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପାଇଁ ଆବେଦନ କରିଥିଲେ।

ପରେ ଉକ୍ତ ଭିଡିଓ ଦେଖି ଅମନଦୀପଙ୍କୁ ଚୟନ କରାଯାଇ ନାମ ଘୋଷଣା କରାଯିବା ପରେ ଶନିବାର କୋରିଅର୍‌ ମାଧ୍ୟମରେ ଏହି ରେକର୍ଡସ୍‌ର ପୁରସ୍କାର ପାଇଛନ୍ତି। ଯେଉଁଥିରେ ରହିଛି ମାନପତ୍ର ଓ ପଦକ। ଏନେଇ ଅମନଦୀପଙ୍କ ମା’ ଓ ବାପା କହନ୍ତି, ଅମନଦୀପ ସ୍କୁଲ୍‌ ନ ଯାଇ ମଧ୍ୟ ଏପରି ଜିନିଷ ସବୁ ମନେରଖି ପାରୁଥିବା ଦେଖି ଏଥିରେ ଭାଗ ‌ନେବା ପାଇଁ ସ୍ଥିର କରିଥିଲୁ ଏବଂ ନିଜେ ଭିଡିଓ ଉତ୍ତୋଳନ କରି ପଠାଇଥିଲୁ। ଆଗାମୀ ଦିନରେ ଅନ୍ୟ ପ୍ରତିଯୋଗିତା ପାଇଁ ପୁଅକୁ ପ୍ରସ୍ତୁତ କରାଇବୁ।

ସମ୍ବନ୍ଧିତ ଖବର