‘ପୁନ୍ୟା’କୁ କୋଳାଇଲେ ଯୁକ୍ତରାଷ୍ଟ୍ର ଆମେରିକାର ଦମ୍ପତି

ଝୁଲାରେ ଥୋଇ ପଳାଇଥିଲେ ପରିବାର; ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର

କଟକ: ବସୁନ୍ଧରା ଗେଟ୍ ବାହାରେ ଥିବା ଏକ ଝୁଲାରେ ପରିବାର ସଦସ୍ୟ ଛାଡ଼ିଦେଇଯାଇଥିବା ଏକ ଶିଶୁକୁ କୋଳେଇ ନେଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକୀୟ ଦମ୍ପତି। ଏହି ଅସହାୟ ଶିଶୁ ‘ପୁନ୍ୟା’କୁ ଦମ୍ପତି କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା(କାରା) ମାଧ୍ୟମରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ତାନ ଗ୍ରହଣ କରାଯାଇଥିଲା।
ସୂଚନା ଅନୁଯାୟୀ, ୨୦୨୦ ଜୁଲାଇରେ କରୋନାର ପ୍ରଥମ ଲହର ସମୟରେ ବସୁନ୍ଧରା ବାହାରେ ଥିବା ଏକ ଝୁଲାରେ ଜଣେ ଶିଶୁଙ୍କୁ କେହି ଛାଡ଼ି ଦେଇଯାଇଥିଲେ। ବସୁନ୍ଧରା ପକ୍ଷରୁ ଶିଶୁକୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଥିଲା। କିନ୍ତୁ ଏହି ଶିଶୁକୁ ନେବାକୁ କେହି ପରିବାର ସଦସ୍ୟ ଆସି ନଥିଲେ କି ଦାବି କରି ନଥିଲେ। ଏହି ଶିଶୁକୁ କେହି ଚାହିଁଲେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ କଟକ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଗଲା ୨୦୨୧ ଜାନୁଆରି ୧୯ ତାରିଖରେ ଏ ନେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା କଲୋରାଡ଼ୋ ରାଜ୍ୟର ଡେଭିଡ୍ ଆଲାନା ହେସଲେ ଏବଂ ତାଙ୍କ ପତ୍ନୀ ଆବି କ୍ୟାମିଲେ ହେସଲେଙ୍କୁ କାରା ଓ୍ବେବସାଇଟ୍ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଆବେଦନ କରିଥିଲେ।

ଡେଭିଡ୍ ପେସାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ କ୍ୟାମିଲେ ଜଣେ ଡାକ୍ତର। ଆବେଦନ ଅନୁଯାୟୀ ବସୁନ୍ଧରାରେ ଥିବା ‘ପୁନ୍ୟା’କୁ ନେବାକୁ ଚୟନ ହୋଇଥିଲା। କାରା ଏବଂ ଓଡ଼ିଶା ରାଜ୍ୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା(ସାରା) ବିନା ଆପତ୍ତିରେ ଯୁକ୍ତରାଷ୍ଟ୍ର ଆମେରିକାର ଏହି ଦମ୍ପତିଙ୍କୁ ଶିଶୁଟିକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଚଳିତ ବର୍ଷ ଫେବ୍ରୁଆରି ୧୧ ତାରିଖରେ ଅନୁମତି ପ୍ରଦାନ କରିଥିଲା। ଗଲା ମେ ୧୮ ତାରିଖରେ କଟକ ଜିଲ୍ଲା କୋର୍ଟ ପୁନ୍ୟାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ହେସଲେ ଦମ୍ପତିଙ୍କୁ ଆଦେଶ ଦେଇଥିଲେ। ପୁନ୍ୟାଙ୍କ ପାସପୋର୍ଟ ଓ ଭିସା ପ୍ରସ୍ତୁତ କରାଯାଉଥିବା ବେଳେ ଆସନ୍ତା ୧୯ ତାରିଖରେ ପୁନ୍ୟାଙ୍କୁ ଧରି ଏହି ଦମ୍ପତି ଆମେରିକା ଅଭିମୁଖେ ଯାତ୍ରା କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ କାର୍ଯ୍ୟାଳୟରେ ଏହି ଆମେରିକୀୟ ଦମ୍ପତିଙ୍କୁ ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଡିସିପିଓ ପ୍ରଗତୀ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର