କଟକରେ ଆରମ୍ଭରୁ ଆଣ୍ଠେଇଲାଣି ଅମୃତ ଯୋଜନା: ୧୦ ଘଣ୍ଟା ସ୍ଥାନରେ ୮ ଘଣ୍ଟା ମିଳୁଛି ପାଣି

କଟକ: ସହରବାସୀଙ୍କୁ ଅମୃତ ଯୋଜନାରେ ୨୪ ଘଣ୍ଟିଆ ପାଣି ଦେବାକୁ କୁହାଯାଇଥିଲା। ମାତ୍ର ଏବେ ସହରର କେତେକ ସ୍ଥାନରେ ଏହାର ଓଲଟା ଘଟୁଥିବା ଦେଖାଯାଉଛି। ପୂର୍ବରୁ ଦିନକୁ ୧୦ ଘଣ୍ଟା ପାଣି ସହରବାସୀଙ୍କ ଘରକୁ ଦିଆଯାଉଥିବା ବେଳେ ‌ଏବେ ଏହା ୮ ଘଣ୍ଟାକୁ କମାଇ ଦିଆଯାଇଛି। ଅମୃତ ଯୋଜନାରେ ଅନେକ କିଛି ଆଶା ରଖିଥିବା କଟକବାସୀଙ୍କୁ ଏବେ ନିରାଶ ହେବାକୁ ପଡିଛି। ସେପଟେ ପାଣି ଯୋଗାଣ ସମୟ କମାଇବା ନେଇ ସହରବାସୀଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସ‌େନ୍ତାଷ ବଢିବାରେ ଲାଗିଛି। ଅନ୍ୟପଟେ ଯୋଜନାରେ ସମସ୍ତ ସହରବାସୀଙ୍କୁ ୨୪ଘଣ୍ଟିଆ ପାଣି ମିଳିବାକୁ ଆହୁରି ୨ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି ୱାଟ୍‌କୋ ପକ୍ଷରୁ କୁହାଯାଇଛି। କଟକରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ‌ଦୂର ହେବ। ଏଥିପାଇଁ ସହରବାସୀଙ୍କୁ ଭୂତଳ ଜଳ ବଦଳରେ ୨୪ ଘଣ୍ଟିଆ ନଦୀଜଳ ଯୋଗାଣ ପାଇଁ ଅମୃତ ଯୋଜନାରେ ୨୦୧୪ରୁ କାମ ଆରମ୍ଭ ହୋଇଥିଲା। ତେବେ ଯୋଜନା ମାଧ୍ୟମରେ ଏବେ ସହରର କିଛି ଅଞ୍ଚଳକୁ ନଦୀଜଳ ପ୍ରଦାନ କରାଯାଉଛି। ସହରର ୫୦ ହଜାରରୁ ଅଧିକ ପରିବାର ଏଥିରେ ସଂଯୋଗ ହୋଇଥିବା କୁହାଯାଇଛି। ସହରର ବାଦାମବାଡ଼ି, ମଧୁପାଟଣା, ଖାନନ୍‌ଗର ଆଦି ଅଞ୍ଚଳର କେତେକ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇଛି। ମାତ୍ର ଯୋଜନାରେ ୨୪ ଘଣ୍ଟା ପାଣି ଦେବାକୁ କୁହାଯାଇଥିବା ସମୟରେ ଏବେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପୂର୍ବରୁ ଲୋକଙ୍କୁ ଦିନର ୨୪ ଘଣ୍ଟା ମଧ୍ୟରେ ୩ଥର ପାଣି ଯୋଗାଇ ଦିଆଯାଉଥିଲା। ସକାଳ ୫ରୁ ଦିନ ୧୦ଟା, ମଧ୍ୟାହ୍ନ ୧୨ରୁ ଅପରାହ୍ନ ୨ଟା ଓ ଅପରାହ୍ନ ୪ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଉଥିଲା। ହେଲେ ଏବେ ଯେଉଁ ଅଞ୍ଚଳରେ ଅମୃତ ଯୋଜନାରେ ପାଣି ଦିଆଯାଉଛି ସେଠାରେ ମଧ୍ୟାହ୍ନ ୧୨ରୁ ଅପରାହ୍ନ ୨ଟାରେ ଯୋଗାଇ ଦିଆଯାଉଥିବା ପାଣିକୁ ବନ୍ଦ କରି ଦିଆଯାଇଛି।

ୱାଟ୍‌କୋ ପକ୍ଷରୁ ଗୋଟିଏ ସମୟ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି। ‌ତେବେ ଏହାକୁ ନେଇ ସହରବାସୀଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ଅପରାହ୍ନରେ ପାଣି ଯୋଗାଣ ବନ୍ଦ କରାଯାଇଥିବାରୁ ଯେଉଁମାନଙ୍କ ଘରେ ପାଣି ଟାଙ୍କିର ବ୍ୟବସ୍ଥା ନାହିଁ ସେମାନେ ନାନା ସମସ୍ୟା ଭୋଗୁଛନ୍ତି। ୧୦ ଘଣ୍ଟା ବଦଳରେ ୮ ଘଣ୍ଟା ପାଣି ଦିଆଯାଉଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ସହରର ଯେଉଁ ଅଞ୍ଚଳରେ ଅମୃତ ଯୋଜନାରେ ପାଣି ଦିଆଯାଉଛି ସେଠାକୁ ଅଧିକ ସମୟ ବଦଳରେ ଅଧିକ ପ୍ରେସର୍‌ରେ ପାଣି ଦିଆଯାଉଛି। ପୂର୍ବରୁ ସମୟକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏବେ ପାଣି ପ୍ରେସର୍‌କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଅପରାହ୍ନରେ ମିଳୁଥିବା ପାଣିକୁ ବନ୍ଦ କରାଯାଇଛି ବୋଲି ୱାଟ୍‌କୋ ମହାପ୍ରବନ୍ଧକ ଦେବବ୍ରତ ମହାନ୍ତି କହିଛନ୍ତି। ସହରର ସବୁ ଅଞ୍ଚଳକୁ ୨୪ ଘଣ୍ଟିଆ ପାଣି ଦେବା ପାଇଁ ଦୁଇବର୍ଷ ଲାଗିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର