କଟକ-ଜଗତପୁର: ଜଗତପୁରର ମା' ଅନ୍ଧାରୀ ଠାକୁରାଣୀଙ୍କ ପୀଠ ଦେଢ ଶହ ବର୍ଷର ପୁରୁଣା ପୀଠ। କିମ୍ବଦନ୍ତୀ ତଥା ଜନଶ୍ରୁତିରୁ ଜଣାଯାଏ ଯେ ଏହି ମନ୍ଦିର ସଂଲଗ୍ନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା। ଏହି ଜଙ୍ଗଲର ମଧ୍ୟ ଭାଗରେ ଏକ ଗମ୍ଭିରା ଭିତରେ ପୂଜକ ଗ୍ରାମ ଦେବତୀଙ୍କୁ ପୂଜା କରୁଥିଲେ। ସେ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡୁ ନଥିଲା। କିନ୍ତୁ ସମୟକ୍ରମେ ଏହି ପୀଠର ପାରିପାର୍ଶ୍ବିକ ସ୍ଥିତି ବଦଳି ଥିଲେ ବି ପୁରୁଣା ରୀତିନୀତି ଅନୁଯାୟୀ ବାରିକ ସଂପ୍ରଦାୟର ବ୍ୟକ୍ତି ବିଶେଷ ମା’ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ୧୫୦ ବର୍ଷ ପୂର୍ବେ ଦୋଳି ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏଠି ପୂଜାର୍ଚ୍ଚନା କରାଯାଉଥିଲା। ତାଙ୍କ ଦେହାନ୍ତ ପରେ ପୁତ୍ର ଭିକାରି ବାରିକ ଏହାର ଦାୟିତ୍ୱ ନେଇଥିଲେ।

Advertisment

ଏବେ ତାଙ୍କ ପୁତ୍ର କରୁଣାକର ବାରିକ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପୂଜାର୍ଚ୍ଚନା କରି ଆସୁଥିବା ବେଳେ ନିକଟରେ ତାଙ୍କ ପୁତ୍ର ଉମାକାନ୍ତ ବାରିକ ଏହାର ଦାୟିତ୍ୱ ନେଇଛନ୍ତି। ପୂଜକ କରୁଣାକର ବାରିକ(୭୫)ଙ୍କ କହିବା ଅନୁଯାୟୀ ଅନ୍ଧକାର ପୂର୍ଣ୍ଣ ପରିବେଶ ମଧ୍ୟରେ ଥବା ଏକ  ଗମ୍ଭିରା କୋଠରୀ ମଧ୍ୟରେ ଦେବୀଙ୍କ ଆବିର୍ଭାବ ହୋଇଥିବାରୁ ଅନ୍ଧାରୀ ଠାକୁରାଣୀ ନାମରେ ନାମିତ ହୋଇଛି। କାଳକ୍ରମେ ଜମିଦାରଙ୍କ ଶାସନ ସମୟରେ ଏହି ଘଞ୍ଚ ଜଙ୍ଗଲ ସଫା କରାଯାଇଥିଲା।ପ୍ରାୟ ୩୦ବର୍ଷ ପୂର୍ବେ ସ୍ଥାନୀୟ ବାସିନ୍ଦା ତଥା ତତ୍କାଳୀନ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଭୂୟାଁ ଓ ଗ୍ରାମର ବ୍ରହ୍ମାନନ୍ଦ ଭୂୟାଁ ମା ଅନ୍ଧାରୀ ଦେବୀ'ଙ୍କ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ। ପୀଠରେ ସ୍ଥାନୀୟ କୁବେର ସାହି ବାସିନ୍ଦାଙ୍କ ସହଯୋଗ କ୍ରମେ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ସମୟରେ ରଥଯାତ୍ରା ଓ ବାହୁଡାଯାତ୍ରା ଆୟୋଜନ ହୁଏ। ଏବେ ସାହିର ବାସିନ୍ଦା  ମନ୍ମଥ ବେହେରାଙ୍କ ତତ୍ୱାବଧାନରେ ରଥ ନିର୍ମାଣ ହେଉଛି l

ଚାରିପଟ ସୌନ୍ଦର୍ଯ୍ୟକରଣ ହେଲେ ବଢ଼ିବେ ପର୍ଯ୍ୟଟକ
ଏବେ ମନ୍ଦିର ପରିସରରେ ସାଂସ୍କୃତିକ ମଣ୍ଡପ, ଯଜ୍ଞ ଗୃହ ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା ରହିଛି। କିନ୍ତୁ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ସରକାରୀ ସହାୟତା ମିଳିଲେ ଏହା ଏକ ଦର୍ଶନୀୟ ସ୍ଥାନ ଭାବେ ମାନ୍ୟତା ପାଇବ ବୋଲି ଗ୍ରାମ୍ୟ କମିଟି ସଭାପତି ବିଜୟ କୁମାର ଭୂୟାଁ କହିଛନ୍ତି।

ଚାଉଳ ଖିରି ମା’ଙ୍କ ପ୍ରିୟ ଭୋଗ
ମା' ଅନ୍ଧାରୀଙ୍କ ପୀଠରେ ପ୍ରତି ସଂକ୍ରାନ୍ତିରେ ମଧୁ ବେହେରା ନାମକ ଜଣେ ଦେବୀଭକ୍ତଙ୍କୁ କାଳିସୀ ଲାଗିଥାନ୍ତି। ମନ୍ଦିର ପାର୍ଶ୍ୱରେ ଥିବା ବୃହତ୍ ବୃକ୍ଷରୁ ମହାପ୍ରସାଦ ଆଣି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାଣ୍ଟିଥାନ୍ତି। ଏହା ପାଇବା ପରେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ମା'ଙ୍କ ପ୍ରିୟ ଭୋଗ ହେଉଛି ଚାଉଳ ଖିରି।

ଅଲୌକିକ ଘଟଣା ଓ ପରମ୍ପରା

ଯେତେବେଳେ ହଇଜା, ହାଡଫୁଟି ଭଳି ମହାମାରୀ ବ୍ୟାପିଥାଏ, ମା'ଙ୍କ ମାର୍ଜନା ହଳଦୀ ପାଣିରେ ଗାଧୋଇ ପଡିଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ସ୍ଥାନୀୟ ଗ୍ରାମ ତଥା ଆଖପାଖ ଅଞ୍ଚଳର ପରିବାରବର୍ଗଙ୍କ ବିବାହ, ବ୍ରତ, ଜନ୍ମ ଉତ୍ସବ, ନୂତନ ଗୃହ ଓ ନୂତନ ମନ୍ଦିର ନିର୍ମାଣ ପୂର୍ବରୁ ଦେବୀଙ୍କ ଗାଧୁଆ ପାଣି ନିଆଯାଇଥାଏ। ପ୍ରାୟ ୫୦ବର୍ଷ ପୂର୍ବେ ଉପେନ୍ଦ୍ର ବାରିକ ନାମକ ଗ୍ରାମର ଜଣେ ଭକ୍ତ ମା'ଅନ୍ଧାରୀ ପୀଠରେ ବାହନ ଭାବେ ପୂଜା ପାଉଥିବା ୨ଟି ଘୋଡା ମଧ୍ୟରୁ ଗୋଟିକୁ ମା'ଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ରାତି ବେଳେ ନିଜ ଘରକୁ ନେଇ ଆସିଥିଲେ। ପରଦିନ ସକାଳେ ଲୁଚାଇ ନେଇଥିବା ଘୋଡାଟି ପୂର୍ବଭଳି ମା'ଙ୍କ ମୂର୍ତ୍ତି ନିକଟରେ ଦେଖିବାକୁ ମିଳିଥିଲା।

ଖୁଦୁରୁକୁଣୀରେ ଅନ୍ନଭୋଗ କରି ମା’ଙ୍କୁ ସମର୍ପଣ କରନ୍ତି କୁଆଁରୀ ଝିଅ
ଏହି ଗ୍ରାମରେ ଥିବା ୬ଗୋଟି ସାହିର ବାସିନ୍ଦା ମାନେ ମନ୍ଦିରରେ ବିବାହ, ବ୍ରତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ବିଶେଷ କରି ଖୁଦୁରୁକୁଣୀ ଓଷା ସମୟରେ ଗ୍ରାମର ସମସ୍ତ ଅବିବାହିତ ଯୁବତୀ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ଅନ୍ନ ଭୋଗ କରି ମା' ଅନ୍ଧାରୀଙ୍କୁ ସମର୍ପଣ କରିବା ସହ ସୁଯୋଗ୍ୟ ବରପାତ୍ର ପାଇଁ ମାନସିକ ରଖିଥାନ୍ତି। ଯାହାକି ଏହା ଏକ ପରମ୍ପରା ଭାବେ ରହି ଆସିଛି। ଏହି କାର୍ଯ୍ୟକ୍ରମରେ କଟକ ସହର, ସାଲେପୁର, ଚୌଦ୍ୱାର ଅଞ୍ଚଳରୁ ବହୁ ଅବିବାହିତ କନ୍ୟାଙ୍କ ପିତାମାତା ଏହି ଉଦ୍ଦେଶ୍ୟରେ ଏଠାକୁ ଆସି ଏଥିରେ ସାମିଲ ହୁଅନ୍ତି।
ପର୍ବପର୍ବାଣୀ
ଏହି ଅଞ୍ଚଳରେ ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଦୋଳଯାତ୍ରା ଓ କାର୍ତ୍ତିକେଶ୍ୱର ମେଲଣ ଯାତ୍ରା ଉତ୍ସବ ପାଳନ କରାଯାଏ। ମା' ଅନ୍ଧାରୀଙ୍କ ପୀଠରେ ସ୍ୱତନ୍ତ୍ର ଭାବେ ପଣା ସଂକ୍ରାନ୍ତି ସମୟରେ ଝାମୁ ଯାତ୍ରା ମୁଖ୍ୟ ଉତ୍ସବ ଭାବେ ପାଳିତ ହୋଇଥାଏ। ଏହି ଝାମୁ ଯାତ୍ରା ଗ୍ରାମର ଜଣେ ସାଧକ ବଗୁଲି ବାବାଙ୍କ ତତ୍ବାବଧାନରେ ପାଳନ କରାଯାଇଥାଏ। ମା' ଅନ୍ଧାରୀ ଦେବୀଙ୍କ ନାମରେ ୨୩ ଡିସିମିଲ ଜମି ରହିଛି। ସ୍ବର୍ଗତ ମାଧବାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଏହି ଜମିକୁ ଦାନ କରିଥିଲେ। ଏବେ ମା'ଙ୍କ ପୂଜାକାର୍ଯ୍ୟକୁ ଯୁବ ପୂଜକ ସୁମନ ବାରିକ ତୁଲାଉଛନ୍ତି।