ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଆଉ ଏକ ଭିଡିଓ ଭାଇରାଲ

କଟକ: ପ୍ରତାପନଗରୀରେ ଏକ ଘରୋଇ ବସ୍‌ର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ଼ ମାରିବା ମାମଲାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ପୁତୁରା ତଥା ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି। କିଛି ଦିନ ପୂର୍ବେ ଗାଡ଼ି ଦୁର୍ଘଟଣାକୁ ନେଇ ଜଣେ ମହିଳାଙ୍କୁ ସେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। ମହିଳା ଜଣଙ୍କ ସରି କହି ଭୁଲ ମାଗିବା ପରେ ମଧ୍ୟ ଭିକି ଗାଳି କରୁଥିବା ଦେଖିବାକୁ ମିଳିଛି। ତେବେ ଭିକିଙ୍କ ନାମରେ କଟକ ସହରର ବିଭିନ୍ନ ସ୍ଥାନରେ ଏମିତି ଗଣ୍ଡଗୋଳକୁ ନେଇ୧୪ଟି ମାମଲା ରହିଛି।

ସୂଚନାଯୋଗ୍ୟ, ରାଜରାସ୍ତାରେ ଏକ ଘରୋଇ ବସ୍‌ର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ଼ ମାରିବା ମାମଲାରେ  ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଚୌଦ୍ବାର ସର୍କଲ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସଦର ଥାନା ପୁଲିସ ରବିବାର ଦିନ ଭିକିଙ୍କୁ କଟକ ସଦର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା। ରାତି ୮ଟାରେ ଜେଲ୍‌ ହାଜତରେ ପଠାଯାଇଥିବା ବେଳେ ତାଙ୍କୁ ଏକ ସ୍ବତନ୍ତ୍ର ରୁମ୍‌ରେ ରଖାଯାଇଥିବା କୁହାଯାଉଛି। ତାଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ପ୍ରାୟ ୧୪ସଂଗିନ ଅପରାଧିକ ମାମଲା ରହିଛି। କେବଳ ସଦର ଥାନାରେ ୮ଟି ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ବି ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରେ କାଫ୍‌ଲାବଜାରର ଆସିଫ୍ ଅମନ୍, ଅମର୍, ଜଗା ପ୍ରମୁଖ ରହିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର