କଟକ: ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକର ପରିବାର ଅଦାଲତରେ ହୋଇଛି। ଏହି ଅବସରରେ ଉଭୟ ବର୍ଷା ଓ ଅନୁଭବ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ତେବେ କୋର୍ଟ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟରେ ବର୍ଷାଙ୍କର ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯାଇଥିଲା। ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା ବର୍ଷାଙ୍କୁ ଜେରା କରିଥିଲେ। ବର୍ଷାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା। ଏପରିକି କେବେ ବିବାହ ହୋଇଥିଲା? କଣ ପାଇଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା? ବିବାହର କେତେ ଦିନ ପରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା? ଏହାକୁ ଦୂର କରିବା ପାଇଁ କି କି ପ୍ରକାର ପଦକ୍ଷେପ ନିଆଯାଇଥିଲା ଇତ୍ୟାଦି। ତେବେ ଆଜି ବର୍ଷାଙ୍କ ପକ୍ଷରୁ କୋର୍ଟରେ କିଛି ଫଟୋ ଓ କାଗଜପତ୍ର ଦାଖଲ କରାଯାଇଛି।
ହେଲେ ମାମଲା ଦାୟର ହେବାର ତିନି ବର୍ଷ ପରେ ଏହି ସବୁ ଦସ୍ତାବିଜ ଦାଖଲ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅନୁଭବଙ୍କ ପକ୍ଷ। ଫଳସ୍ବରୁପ ଏହା ଉପରେ ଆପତ୍ତି ଉଠାଇଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା। ବର୍ଷାଙ୍କୁ ଜେରା କରିବା ପାଇଁ ଅନୁଭବଙ୍କ ଓକିଲଙ୍କୁ କୋର୍ଟ ତିନି ଦିନ ସମୟସୀମା ପ୍ରଦାନ କରିଥିଲେ। ମାତ୍ର ଅନୁଭବଙ୍କ ଓକିଲ ଆସନ୍ତାକାଲି ଅନୁପସ୍ଥିତ ରହୁଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ। ଏହା ପରେ କଟକ ପରିବାର ଅଦାଲତ ଆସନ୍ତା ନଭେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ତେବେ ଆଜି ଅନୁଭବଙ୍କ ଓକିଲଙ୍କ ସମସ୍ତ ପ୍ରଶ୍ନ ବର୍ଷା ସଠିକ ଭାବରେ ଦେଇଥିବା ପ୍ରତିପକ୍ଷ ଓକିଲ କହିଛନ୍ତି।