କଟକ: କଟକ ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ତରଫରୁ ଆଜି ସାକ୍ଷ୍ୟ ଗ୍ରହଣ ‌ଶେଷ ହୋଇଛି। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ସେ ଆଜି ଅଦାଲତରେ ହାଜର ହୋଇଥିଲେ। ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଜି ଜେରା କରାଯିବାକୁ ଥିଲା। କିନ୍ତୁ ଅନୁଭବ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଜେରା କରିବା ପାଇଁ ବର୍ଷାଙ୍କ ତରଫରୁ କେହି ଅଦାଲତରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ପିଟିସନ ଦାଖଲ କରାଯାଇଥିଲା। ଅଦାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବାର ନଥିବାରୁ ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିପକ୍ଷ ବର୍ଷାଙ୍କ ତରଫରୁ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଛି। ଏନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦, ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ୨୦୨୧, ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।