୨୦୨୪ରେ ବଦଳିବ କି ସମୀକରଣ? ବିଜେଡି ପାଇଁ ନିରାଶ ସ୍ଥିତିରେ ସଦର; ଉତ୍ସାହ ସୃଷ୍ଟି କରିଛି ବାରବାଟୀ-କଟକ

ଇଜ୍ଜତ ବଜାୟ ରଖିଛି ଚୌଦ୍ବାର-କଟକ

କଟକ: କଟକରେ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସଂଖ୍ୟାର ଖେଳରେ ବିଜେଡି ସଫଳ ହୋଇଥିଲେ ବି ବିଭିନ୍ନ ନିର୍ବାଚନ ମଣ୍ଡଳୀର ସ୍ଥିତି ଏବଂ ଦଳ ଭିତରେ ବଢୁଥିବା ଅସନ୍ତୋଷ ଆଉ ଦୁଇ ବର୍ଷ ପରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ବେଳକୁ ନୂଆ ରାଜନୈତିକ ସମୀକରଣ ଆଡକୁ ଇଙ୍ଗିତ କରୁଛି। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ବିଜେଡି କଟକ ପୌର ନିଗମ ଅଞ୍ଚଳରେ ୧ ପ୍ରତିଶତ ଭୋଟ ହରାଇଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ନିଜ ବିଫଳତାକୁ ଉଲ୍ଲେଖନୀୟ ସଫଳତାରେ ପରିବର୍ତ୍ତନ କରି ଦେଇଥିବା ବେଳେ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ ମୋଟାମୋଟି ଭାବେ ସ୍ଥିତି ବଜାୟ ରଖିଛି। କିନ୍ତୁ ‌ସଦର ନିର୍ବାଚନ ମଣ୍ଡଳୀରେ ଭୋଟ ହ୍ରାସ ସହିତ ୱାର୍ଡ ସଂଖ୍ୟାରେ ବି ପଛରେ ପଡି ଯାଇଛି। ଚୌଦ୍ବାର-କଟକରେ କଂଗ୍ରେସ ଶୂନ ସ୍ଥିତିରୁ ଏକ ବଡ ‌ଶକ୍ତି ଭାବେ ମୁଣ୍ଡ ଟେକି ଥିବା ବେଳେ ସଦରରେ ବିଜେପି ବିନା ପ୍ରଚାରରେ ନିଜର ଶକ୍ତି ଦେଖାଇ ପାରିଛି। କିନ୍ତୁ କଟକ ପୌର ନିଗମରେ ଶଙ୍ଖ ଚିହ୍ନରେ ଲଢୁଥିବା ବିଜେଡିର ମେୟର ପ୍ରାର୍ଥୀ ୧ ଲକ୍ଷ ୧୩ ହଜାର ୫୬୬ ‌ଖଣ୍ଡ ଭୋଟ୍ ପାଇଥିବା ବେଳେ ୫୮ଟି ୱାର୍ଡରେ ଶଙ୍ଖ ଚିହ୍ନରେ ଲଢୁଥିବା ବିଜେଡିର କର୍ପୋରେଟର ପ୍ରାର୍ଥୀ ଏବଂ ଗୋଟିଏ ୱାର୍ଡର ସମର୍ଥିତ କର୍ପୋରେଟର ପ୍ରାର୍ଥୀ ପାଇଛନ୍ତି ୧ ଲକ୍ଷ ୮୭ ଖଣ୍ଡ ଭୋଟ୍। ଅର୍ଥାତ ଦଳର ମେୟର ଓ କର୍ପୋରେଟର ପ୍ରାର୍ଥୀ ପାଇଥିବା ଭୋଟ ମଧ୍ୟରେ ବି ବ୍ୟବଧାନ ରହିଛି। ମେୟର ପ୍ରାର୍ଥୀଙ୍କ ଖାତାକୁ ୧୩ ହଜାର ଅଧିକ ଭୋଟ ଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସି ଯାଇଥିଲା। କଂଗ୍ରେସ ଏଠି ୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲା। କିନ୍ତୁ ୨୦୨୨ ପୌର ନିଗମ ନିର୍ବାଚନରେ ବିଜେଡି ମେୟର ପ୍ରାର୍ଥୀ କଂଗ୍ରେସ ମେୟର ପ୍ରାର୍ଥୀଙ୍କ ଠାରୁ ୨୩ ହଜାରରୁ ଅଧିକ ଭୋଟ ପାଇଛନ୍ତି। ଓଲଟା ବିଚାରରେ ବିଜେଡି ଏଠି ୨୬ ହଜାରରୁ ଅଧିକ ‌ଭୋଟ ନିଜ ସପକ୍ଷକୁ ଆଣି ପାରିଛି ବୋଲି କୁହାଯାଇ ପାରିବ। ବାରବାଟୀ-କଟକର ୩୨ଟି ୱାର୍ଡରୁ ୨୪ଟି ୱାର୍ଡରେ ବିଜୟୀ ହୋଇଛି ବିଜେଡି। ଅର୍ଥାତ ୱାର୍ଡ ଦଖଲ ପ୍ରତିଶତ ହେଉଛି ୭୫ ପ୍ରତିଶତ। ବିଜେଡିର ମେୟର ପ୍ରାର୍ଥୀ ଏହି ଅଞ୍ଚଳରୁ ୫୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୩୨ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀମାନଙ୍କ ଖାତାକୁ ଯାଇଛି ପାଖାପାଖି ୫୪ ହଜାର ଭୋଟ। ୱାର୍ଡ ଦଖଲ ଏବଂ ପାଇଥିବା ଭୋଟ ଦୃଷ୍ଟିରୁ ବିଚାର କଲେ ବାରବାଟୀ-କଟକ ବିଜେଡି ପାଇଁ ଉତ୍ସାହ ସୃଷ୍ଟି କରିଛି।

କେବଳ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେପିକୁ ମିଳିଥିବା ମୋଟ ଭୋଟ ଠାରୁ ବି ବିଜେଡି ଭୋଟ ଅଧିକ ରହିଛି। କିନ୍ତୁ ଉଭୟ ଚୌଦ୍ବାର-କଟକ ଓ ସଦର କଟକରେ କଂଗ୍ରେସ-ବିଜେପି ଭୋଟ ମିଶି ଗଲେ ତାହା ବିଜେଡି ଠାରୁ ଅଧିକ ହୋଇଯାଉଛି। ଅନ୍ୟପଟେ ଚୌଦ୍ବାର-କଟକରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ୧୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବେଳେ ୨୦୨୨ ପୌର ନିଗମ ନିର୍ବାଚନରେ ଏହି ଅଞ୍ଚଳରୁ ବିଜେଡି ମେୟର ପ୍ରାର୍ଥୀ କଂଗ୍ରେସ ମେୟର ପ୍ରାର୍ଥୀଙ୍କ ଠାରୁ ୧୬ ହଜାରରୁ ଅଧିକ ଭୋଟ ପାଇଛନ୍ତି। ମୋଟା ଆକଳନରେ ବିଜେଡି ୨ ହଜାର ଭୋଟ ବୃଦ୍ଧି କରି ପାରିଛି। ଚୌଦ୍ବାର-କଟକ ଅଞ୍ଚଳରେ ପୌର ନିଗମର ୨୧ଟି ୱାର୍ଡ ଥିବା ବେଳେ ସେଥିରୁ ୧୩ଟି ୱାର୍ଡରେ ବିଜୟୀ ହୋଇଛି ବିଜେଡି। ଅର୍ଥାତ ଏଠି ବିଜେଡିର ୱାର୍ଡ ଦଖଲ ପ୍ରତିଶତ ହେଉଛି ପାଖାପାଖି ୬୨ ପ୍ରତିଶତ। ଏଠି ବିଜେଡିର ମେୟରଙ୍କ ଖାତାକୁ ୪୦ ହଜାରରୁ ଅଧିକ ଭୋଟ ଯାଇଥିବା ବେଳେ କର୍ପୋରେଟର ମାନଙ୍କ ଖାତାରେ ପଡିଛି ମୋଟ ୩୩ ହଜାରରୁ ଅଧିକ ଭୋଟ। କିନ୍ତୁ ସଦରର ୬ଟି ୱାର୍ଡରେ ବିଜେଡିର ଭୋଟ କମିବା ସହିତ ୱାର୍ଡ ସଂଖ୍ୟା ବି କମି ଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଏଠୁ ୧୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୨୦୨୨ରେ ତାହା ୧୩ ହଜାରକୁ ଖସି ଆସିଛି। ୬ଟିରୁ ମାତ୍ର ଗୋଟିଏ ୱାର୍ଡରେ ବିଜେଡି ସନ୍ତୁଷ୍ଟ ହୋଇଛି। ୱାର୍ଡ ଦଖଲ ପ୍ରତିଶତ ହେଉଛି ୧୬ ପ୍ରତିଶତ। ସଦରରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଏଠି ବିଜେଡିର ମେୟର ପ୍ରାର୍ଥୀଙ୍କ ଖାତାରେ ୧୩ ହଜାରରୁ ଅଧିକ ଭୋଟ ପଡିଥିବା ବେଳେ ୧୧ ହଜାରରୁ ଅଧିକ ଭୋଟ। ଏଭଳି ଆକଳନରୁ ଦେଖିଲେ ସମାନ ଚିହ୍ନରେ ଲଢୁଥିବା କର୍ପୋରେଟରଙ୍କ ଖାତାକୁ ଯେତିକି ଭୋଟ ଯାଇଛି ମେୟରଙ୍କ ଖାତାକୁ ତା’ଠାରୁ ଅଧିକ ୧୩ ହଜାର ଭୋଟ ଯାଇଛି। ଏହି ଆକଳନକୁ ଦେଖିଲେ ୨୦୨୪ରେ ବିଧାୟକ ଅଥବା ସାଂସଦ ପ୍ରାର୍ଥୀଙ୍କ ଖାତାକୁ ଅନୁରୂପ ଅନୁପାତରେ ଭୋଟ ଯିବ ନା ସେ ସମୀକରଣ ବଦଳି ଯିବ, ତାହାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର