କଟକ: ମହାନଦୀ କୂଳ ହାଡ଼ିଆ ପଠାରେ ଡକାୟତି ଷଡ଼ଯନ୍ତ୍ର କରୁଥିବା ଅନ୍ତଃଜିଲ୍ଲା ଅପରାଧ ଗ୍ୟାଙ୍ଗ ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡିଛି। ଏହି ୬ ଜଣିଆ ଗ୍ୟାଙ୍ଗରେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଯାଜପୁର ମଙ୍ଗଳପୁରର ବିଟୁ ଓରଫ ବିଶ୍ଵଜିତ ଦାସ(୩୨), କଟକ ସଦରର ସଂଜୟ ସାମଲ(୩୦), ଜଗତପୁରର ଟିକିନା ଓରଫ ପ୍ରଶାନ୍ତ ବାରିକ(୪୧), ନିଆଳିର କଇଁ ଓରଫ ସୁଭଦର୍ଶନ ଦାସ(୨୪), ଭଦ୍ରକ ଧୂସୁରୀର ବୁଟୁ ନାୟକ(୩୫), ଜଗତସିଂହପୁର ରଘୁନାଥପୁରର ରାଜା ଓରଫ ରାଜେଶ ଖଟୁଆ(୩୫)।
ରାଜା ପୁରା ଗ୍ୟାଙ୍ଗକୁ ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟମାନେ ତାକୁ ସହଯୋଗ କରୁଥିଲେ। ପୁଲିସ ଏହି ଅପରାଧ ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ୭.୬୫ ଅଟୋ ପିସ୍ତଲ, ଦେଶୀ ସିକ୍ସର ରିଭଲଭର, ଦେଶୀ ରିଭଲଭର, ଦେଶୀ ସିଙ୍ଗଲ ସର୍ଟ ପିସ୍ତଲ, ୩୦ଟି ଜୀବନ୍ତ ଗୁଳି, ହୋଣ୍ଡା ଆକ୍ଟିଭା ସ୍କୁଟର(ଓଡି ୨୧ ଜି ୯୬୮୮), ୟାମା ଆର ୧୫(ଓଡି ୦୫ ଏଚ ୭୯୯୫), ୬ଟି ମୋବାଇଲ ଫୋନ ଜବତ କରିଛି। ସୂଚନା ଅନୁଯାୟୀ, ମହାନଦୀର ହାଡ଼ିଆ ପଠାରେ ୬ ଜଣିଆ ଅପରାଧ ଗ୍ୟାଙ୍ଗ ଗଲା ୯ ତାରିଖ ସନ୍ଧ୍ୟା ପ୍ରାୟ ୬ ଟା ୫୫ ବେଳେ ଅପରାଧ ଷଡ଼ଯନ୍ତ୍ର ଯୋଜନା କରୁଥିଲେ। ମଙ୍ଗଳାବାଗ ହାଓଡ଼ା ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ଚାଲିଥିବା ମଙ୍ଗଳାବାଗ ଥାନା ପୁଲିସ ଖବର ପାଇଥିଲା। ମଙ୍ଗଳାବାଗ ପୁଲିସ ଟିମ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୩୦ଟି ଗୁଳି, ୨ଟି ବାଇକ, ୬ଟି ମୋବାଇଲ ଫୋନ ଜବତ କରିଥିଲା।
ଏହି ଗ୍ୟାଙ୍ଗର ସଦସ୍ୟ ମୁଖ୍ୟତଃ ସମ୍ପତ୍ତି ଲୁଟରେ ସମ୍ପୃକ୍ତ ଅଛନ୍ତି। ଅନ୍ତଜିଲ୍ଲା ଏହି ଗ୍ୟାଙ୍ଗ କେନ୍ଦ୍ରାପଡା, ଯାଜପୁର, ବାଲେଶ୍ଵର, କଟକ, ଭୁବନେଶ୍ୱର, ଖୋର୍ଧା, ଜଗତସିଂହପୁର, ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ପୁଲିସ ବିଶ୍ଵଜିତକୁ ୩ ରିମାଣ୍ଡ ଆବେଦନ କରିଥିବା ବେଳେ ବନ୍ଧୁକ ଯୋଗାଣ କରିଥିବା ଅପରାଧିକୁ ପୁଲିସ ଚିହ୍ନଟ କରିବାକୁ ଯୋଜନା ଚଳାଇଛି। ରାଜା ଏଭଳି ଦୁଇରୁ ତିନି ଗ୍ରୁପକୁ ଚୋରି, ଡକାୟତିରେ ନିୟୋଜିତ କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ବିଟୁ ବିରୋଧରେ ଲକ ଥାନା ସମେତ ପାରାଦୀପ, ଆଳି, ବିଞ୍ଝାରପୁର ଥାନାରେ ୧୩ଟି ଅପରାଧିକ ମାମଲା ରହିଛି। ରାଜା ବିରୋଧରେ ପାରାଦୀପ, ଡେରାବିଶ, ରଘୁନାଥପୁର, କନ୍ଦରପୁର ଥାନାରେ ୬ଟି ମାମଲା, କଇଁନ ବିରୋଧରେ ଜଗତପୁର, କନ୍ଦରପୁର, ନିଆଳିରେ ୪ ଟି ଅପରାଧିକ ମାମଲା ରହିଛି। ଟିକିନା ବିରୋଧରେ ଜଗତପୁର, ସଦର, ମଙ୍ଗଳାବାଗ ଥାନାରେ ୪ ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏମାନେ ମୁଖ୍ୟତଃ ବନ୍ଧୁକ କାରବାର, ସମ୍ପତି ଚୋରି, ଡକାୟତି, ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅପରାଧିକ ମାମଲା ରହିଛି।