କଟକରେ ପ୍ରଥମ: ‘ଆଶୀର୍ବାଦ’ ଯୋଜନାରେ ୫୪ ପିଲାଙ୍କ ଆକାଉଣ୍ଟ୍‌କୁ ଗଲା ଟଙ୍କା

କଟକ: କଟକ ଜିଲ୍ଲାରେ ୨୦୨୦ ଏପ୍ରିଲରୁ ଆଜି ସୁଦ୍ଧା ୭୧୫ଜଣ ପିଲା ହରାଇଛନ୍ତି ବାପା ଅଥବା ମା’ଙ୍କୁ। ସେଥିରୁ ୪୯ଜଣ ବାପା ଓ ମା’-ଉଭୟଙ୍କୁ ହରାଇ ଅନାଥ ହୋଇଛନ୍ତି। ଜିଲ୍ଲାରେ ସେଭଳି ଶିଶୁଙ୍କୁ ଚିହ୍ନଟ କରାଯାଇ ‘ଆଶୀର୍ବାଦ’ ଯୋଜନାରେ ସାମିଲ କରାଯିବା ସହ ପ୍ରଥମ ପର୍ଯ୍ୟାୟରେ ୫୪ଜଣ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ବାକି ୬୬୧ଜଣଙ୍କ ପିଲାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। ଖୁବ୍‌ ଶୀଘ୍ର ପ୍ରଶାସନ ପକ୍ଷରୁ ସମସ୍ତଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଉଥିବା ଡିସିପିଓ ପ୍ରଗତୀ ମହାନ୍ତି ସୂଚନା ଦେଇଛନ୍ତି। କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କୁ ଚିହ୍ନଟ ଓ  ‘ଆଶୀର୍ବାଦ’ ଯୋଜନାରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ। ଆଜି ସୁଦ୍ଧା ପ୍ରସ୍ତୁତ ରିପୋର୍ଟ ଅନୁସାରେ ଜିଲ୍ଲାରେ ୭୧୫ ଜଣ ଏହି ଯୋଜନାରେ ସାମିଲ ହେବେ। ୨୦୨୦ ଏପ୍ରିଲରୁ ଆଜି ସୁଦ୍ଧା ୬୬୬ ଜଣ ପିଲା ବାପା ଅଥବା ମା’ଙ୍କୁ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ଜଣ ଶିଶୁ ଉଭୟ ବାପା ଓ ମା’ଙ୍କୁ ହରାଇଛନ୍ତି। ୪୯ଜଣଙ୍କ ମଧ୍ୟରେ ସାଲେପୁର ବ୍ଳକ୍‌ରୁ ୬ ଜଣ ଥିବାବେଳେ ଅନ୍ୟ ବ୍ଲକ୍‌ରୁ ଜଣେ ଲେଖାଏ ରହିଛନ୍ତି। ଅନ୍ୟପଟେ ଗଲା ୧୫ ମାସରେ ଜିଲ୍ଲାରେ ୪୦୦ରୁ ଅଧିକ ମହିଳା ସ୍ବାମୀଙ୍କୁ ହରାଇଛନ୍ତି।

ସେମାନଙ୍କଠାରୁ ଦରଖାସ୍ତ ଆହ୍ବାନ ସହ ତାହାର ତୁରନ୍ତ ଯାଞ୍ଚ କରାଯାଇ ସେମାନଙ୍କୁ କିପରି ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ, ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତିଙ୍କୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଯେଉଁମାନଙ୍କ ଯାଞ୍ଚ ସରିଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲିବା ପାଇଁ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ଡିସିପିଓ ପ୍ରଗତି ମହାନ୍ତି ସୂଚନା ଦେଇଛନ୍ତି। ଉଭୟ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କ ଆକାଉଣ୍ଟଙ୍କୁ ୨୫୦୦ ଟଙ୍କା ଓ ବାପା ଅଥବା ମା’ଙ୍କୁ ହରାଇଥିବା ପିଲାଙ୍କ ଆକାଉଣ୍ଟ୍‌କୁ ମାସିକ ୧୫ଶହ ଟଙ୍କା ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଆଧାରରେ ପ୍ରଶାସନ ପକ୍ଷରୁ ପିଲାଙ୍କୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ଡିସିପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର