କଟକ : କଟକର କଲେଜ ଛକ ଏଟିଏମ୍‌ରେ ହୋଇଥିବା ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି। ଏଭଳି ଅଭିଯୋଗ ଆଣିଥିବା ମହିଳାଙ୍କ ବାପା-ମା’ ଉଭୟ ପୂର୍ବତନ ପୁଲିସ ଅଧିକାରୀ ବୋଲି କୁହାଯାଉଛି। ସେ ଉତ୍ତର ପ୍ରଦେଶର ଆଲିଗଡରେ ବିବାହ କରିଥିଲେ ଏବଂ ପରିବାର ଛାଡ଼ି ଏବେ ପୁରୀରେ ରହୁଥିଲେ। ଅନ୍ୟପଟେ ଏହି ମହିଳା ଜଣକ ୧୦ ମାସ ଭିତରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଏଭଳି ୬ଟି ଅସଦାଚରଣ, ଲୁଟ୍‌ ଓ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ପୁଲିସ କହିଛି। କଟକ ଡିସିପି ଅଖିଳେଶ୍ବର ସି˚ହ ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହିଳା ଜଣକ ଯାହା ଅଭିଯୋଗ କରିଛନ୍ତି, ପ୍ରକୃତରେ ସେୟା ଘଟିନାହିଁ। ସେ ସବୁ ଘଟଣାର ପୁଲିସ ତଦନ୍ତ କରୁଛି। ପ୍ରକୃତ ଘଟଣା ଖୁବ ଶୀଘ୍ର ସାମ୍‌ନାକୁ ଆସିବ।

Advertisment

ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୭ ତାରିଖ ରାତିରେ ତାଙ୍କୁ ଦୁଇ ଜଣ ଯୁବକ କଲେଜ ଛକ ଏଟିଏମରେ ଗଣ ଦୁଷ୍କର୍ମ କରିବା ସହିତ ଯୋବ୍ରା ବ୍ୟାରେଜ ନିକଟରେ ଛାଡ଼ି ପଳାଇଥିଲେ। ସେ ମାଲ୍‌ଗୋଦାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଘରୋଇ ବ୍ୟାଙ୍କ ଏଟିଏମ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା କନ୍ଦରପୁର ଅଞ୍ଚଳର ଦୀପକ ବେହେରା(୨୪) ଏବ˚ ତାଙ୍କ ବନ୍ଧୁ ବାଙ୍କୀ ବିଲିପଡ଼ାର ପ୍ରଭାତ ରାଉତ। କଟକ ରେଳ ଷ୍ଟେସନରୁ ସଂପୃକ୍ତ ମହିଳାଙ୍କୁ ବାଇକ୍‌ରେ ଆଣୁଥିବା ସମୟରେ ଦେଖିଥିବା ଦୁଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସିଆର‌୍‌ପିସିର ଧାରା ୧୬୪ରେ ରେକର୍ଡ କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ବ୍ୟାଙ୍କ ଏଟିଏମ୍‌ରେ ଖଞ୍ଜା ଯାଇଥିବା ସିସି କ୍ୟାମେରା ଫୁଟେଜ୍‌ ଜବତ କରିବାକୁ ପୁଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛି।

ମାଲ୍‌ଗୋଦାମ ଥାନା ଅଧିକାରୀ ଦେବୀ ପାତ୍ର କହିଛନ୍ତି ଯେ ଏଭଳି ଅଭିଯୋଗ ଆଣିଥିବା ମହିଳା ଜଣକ ଗତ ଫେବ୍ରୁଆରି ୮ ତାରିଖରେ ଭୁବନେଶ୍ବର ଡିସିପିଙ୍କ ନିକଟରେ ଚକେଇସିଆଣିର ଜଣେ ବ୍ୟକ୍ତିଙ୍କ ବିରୋଧରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ଅଗଷ୍ଟ ୩ ତାରିଖରେ ଚକେଇସିଆଣିରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଅଗଷ୍ଟ ୪ ତାରିଖରେ ଚକେଇସିଆଣିର ଜଣେ ବ୍ୟକ୍ତି ତାଙ୍କ ନିକଟରୁ ୬୦ ହଜାର ଟଙ୍କା ଲୁଟି ଥିବା ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ସେପ୍ଟେମ୍ବର ୧୦ ତାରିଖରେ ପୁଲିସ କମିସନରଙ୍କ ନିକଟରେ ମଧ୍ୟ ମହିଳା ଜଣକ ଅସଦାଚରଣ ଓ ଲୁଟ୍‌ ଅଭିଯୋଗ ଆଣିଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ପ୍ରଭାତ ରାଉତ କହିବା ଅନୁଯାୟୀ ଶନିବାର ରାତି ପ୍ରାୟ ୧୧ଟା ବେଳେ ସେମାନେ ‌ଦୁଇ ଜଣ କଟକ ଷ୍ଟେସନରୁ ବାଇକରେ ଆସୁଥିବା ବେଳେ ସଂପୃକ୍ତ ମହିଳା ତାଙ୍କୁ ଲିଫ୍ଟ ମାଗିଥିଲେ। ମହିଳା ଜଣକ କଲେଜ ଛକ ଯିବେ...। ତାଙ୍କ ପାଖରେ ରାତିରେ ରହିବେ ବୋଲି କହିଥିଲେ। କଲେଜ ଛକ ଏଟିଏମ୍‌ ସାଇଡକୁ ଆଣିଥିଲୁ...। ୩୦୦ ଟଙ୍କା କହିଥିଲେ..। ରାତି ଗୋଟାଏ ବେଳେ ଛାଡ଼ି, ୩୦୦ ଟଙ୍କା ଦେଲୁ। କିନ୍ତୁ ସେ ତାଙ୍କ ପାଖରେ ଥିବା ସାମ୍‌ସଙ୍ଗ ମୋବାଇଲ୍‌ ନେବେ, ଟଙ୍କା ନେବେନି ବୋଲି କହିଲେ। କିନ୍ତୁ ଅଭିଯୁକ୍ତଙ୍କ ଏଭଳି ବୟାନ ଏବଂ ଅନ୍ୟପଟେ ମହିଳାଙ୍କ ଅଭିଯୋଗ ତଥା ତାଙ୍କର ପୂର୍ବର ରେକର୍ଡ ସଂପୂର୍ଣ୍ଣ ଘଟଣାକୁ ସନ୍ଦେହଜନକ କରିଛି।