କୋଭିଡ୍‌ କେୟାର‌ ସେଣ୍ଟର୍‌ରେ ଖାଦ୍ୟ ଓ ପରିମଳକୁ ନେଇ ଅଭିଯୋଗ

ସଫା ହେଉନି ସଂକ୍ରମିତଙ୍କ ବେଡ୍‌ସିଟ୍‌; ଖାଦ୍ୟ ତାଲିକା ନାହିଁ; ଯାହା ମିଳୁଛି ତାହା ନିମ୍ନମାନର

କଟକ: କଟକ ମହାନଗର ନିଗମ‌ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୩ଟି କୋଭିଡ୍‌ କେୟାର ସେଣ୍ଟରେ ସଂକ୍ରମିତଙ୍କୁ ରଖାଯାଇଛି। ମାତ୍ର ସେଠରେ ବିଭିନ୍ନ ଅବ୍ୟବସ୍ଥାର ଅଭିଯୋଗ ଆସିଛି। ଆକ୍ରାନ୍ତଙ୍କ ଶଯ୍ୟାରେ ପଡୁଥିବା ବେଡ୍‌ସିଟ୍‌ ସଫା କରାଯାଉ ନଥିବା ବେଳେ ସେମାନଙ୍କ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପଟେ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଖାଦ୍ୟର ତାଲିକା ସେଣ୍ଟର୍‌ରେ ମରାଯାଇ ନଥିବା ବେଳେ ରନ୍ଧାଖାଦ୍ୟର ମାନ ବିଷୟରେ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁ ନଥିବା ଏକାଧିକ ସଂକ୍ରମତି କହିଛନ୍ତି।

ଗତବର୍ଷ ମଧ୍ୟ ସିସିସିରେ ଖାଦ୍ୟ ଓ ପରିମଳକୁ ନେଇ ଅନେକ ଅଭିଯୋଗ ଆସିଥିଲା। ଚଳିତବର୍ଷ ସମାନ ଅଭିଯୋଗ ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ଆକ୍ରାନ୍ତଙ୍କ ପକ୍ଷରୁ ଦାବି ହୋଇଛି। ମହାନଗର ନିଗମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସିଏମସି ପକ୍ଷରୁ ୫ଟି କୋଭିଡ୍‌ କେୟାର୍‌ ସେଣ୍ଟର୍‌(ସିସିସି) ଖୋଲାଯାଇଛି। ସେଥିମଧ୍ୟରୁ ଏବେ ୩ଟି କେନ୍ଦ୍ରରେ ସଂକ୍ରମିତଙ୍କୁ ରଖି ଚିକିତ୍ସା କରାଯାଉଛି। ବୋସ୍‌ କମ୍ପ୍ୟୁଟର ଲ୍ୟାବ୍‌, ଆଇଏମ୍‌ଆଇଟି ଓ ଏଲ୍‌ଆଣ୍ଡଟିରେ ଏବେ ଆକ୍ରାନ୍ତଙ୍କୁ ରଖାଯାଇଛି। ମାତ୍ର ସିସିସିରେ ଆକ୍ରାନ୍ତଙ୍କୁ ଯେଉଁ ବେଡ୍‌ସିଟ୍‌ ବ୍ୟବହାର କରିବାକୁ ଦିଆଯାଇଛି ତାହା ନିୟମିତ ସଫା କରାଯାଉ ନଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତଙ୍କୁ ଦିଆଯାଉଥିବା ବେଡ୍‌ସିଟ୍‌କୁ ୨ ଦିନରେ ଥରେ ଧୋଇବାକୁ ଡାକ୍ତରଙ୍କ ପରାମର୍ଶ ଥିବାବେଳେ ଆଇଏମ୍‌ଆଇଟିରେ ୫ ଦିନରେ ଥରେ ବି ‌ଏହା ସଫା କରାଯାଉ ନଥିବା ଜଣେ ସଂକ୍ରମିତ ଅଭିଯୋଗ କରିଛନ୍ତି।

ଗତ ବୁଧୁବାର ଦିନ ଉକ୍ତ ଆକ୍ରାନ୍ତଜଣକ ଚିକିତ୍ସା ପାଇଁ ଆଇଏମ୍‌ଆଇଟିରେ ଭର୍ତ୍ତି ହୋଇଥିଲେ। ବୁଧୁବାରରୁ ରବିବାର ୫ଦିନ ଧରି ସେ ଗୋଟିଏ ବେଡ୍‌ସିଟ୍‌ରେ ଶୋଉଥିଲେ ବୋଲି କହିଛନ୍ତି। ଅନ୍ୟପଟେ ଆକ୍ରାନ୍ତଙ୍କ ପାଇଁ ସପ୍ତାହିକ ଖାଦ୍ୟ ତାଲିକା(ମେନ୍ୟୁ) ସୂଚନା କେନ୍ଦ୍ରରେ ଲଗାଯାଇ ନାହିଁ। ସକାଳ ଖାଦ୍ୟରେ ଦିଆଯାଉଥିବା ଉପମା, ଇଟିଲି ଓ ତରକାରୀ ଅତି ନିମ୍ନମାନର ହୋଇଥିବାବେଳେ ମଧ୍ୟାହ୍ନରେ ଭାତ ଓ ମକ୍ସିଚର ତରକାରୀ ଖାଇବା ଯୋଗ୍ୟ ହେଁ ବୋଲି କନିକାଛକ ଅଞ୍ଚଳରୁ ଗତ ୨୮ ତାରିଖରୁ ଆଇଏମ୍‌ଆଇଟି ସିସିସିରେ ରହି ଚିକିତ୍ସିତ ‌ହେଉଥିବା ସଂକ୍ରମିତଜଣକ ଅଭିଯୋଗ କରିଛନ୍ତି। ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଅନେକ ଆକ୍ରାନ୍ତ ଏହାକୁ ନଖାଇ ଡଷ୍ଟବିନ୍‌ରେ ଫୋପାଡ଼ିବାକୁ ବାଧ୍ୟ ହେଉଛନ୍ତି। ସପ୍ତାହର କେଉଁଦିନରେ କ’ଣ ଖାଇବାକୁ ଦିଆଯିବ ଏହାର ତାଲିକା କେନ୍ଦ୍ରରେ ମରାଯାଇ ନଥିବାରୁ ସଂକ୍ରମିତଙ୍କୁ କର୍ମଚାରୀ ମନଇଛା ଖାଦ୍ୟ ଦେଉଥିବା ଚିକିତ୍ସିତ ହେଉଥିବା ଆକ୍ରାନ୍ତମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ନିଗମ ପକ୍ଷରୁ ବୋସ୍‌ କମ୍ପ୍ୟୁଟର ଲ୍ୟାବରେ ୬୫ ଶଯ୍ୟା, ଆଇଏମ୍‌ଆଇଟିରେ ୮୦ ବେଡ୍‌, ଏଲ୍‌ଆଣ୍ଡଟିରେ ୧୫୦ ଶଯ୍ୟା, ବୋସ୍‌ର ନୂଆ ହଷ୍ଟେଲରେ ଶହେ ଶଯ୍ୟା, ପୁରୁଣା ହଷ୍ଟେଲରେ ୧୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ମାତ୍ର ଏବେ ବୋସ୍‌ ଲ୍ୟାବ୍‌, ଆଇଏମ୍‌ଆଇଟି ଓ ଏଲ୍‌ଆଣ୍ଡ୍‌ଟିରେ ଆକ୍ରାନ୍ତଙ୍କୁ ରଖାଯାଇଛି। ଆଜି ବୋସ୍‌ରେ ୩୪, ଆଇଏମ୍‌ଆଇଟିରେ ୪୪ ଓ ଏଲ୍‌ଆଣ୍ଡଟିରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର