ଦାଦା ବଟି ପାଇଁ ଦୁର୍ବୃତ୍ତଙ୍କ ଉତ୍ପାତ : ଠିକାଦାରଙ୍କ ଘର, ପୁଲିସ ଗାଡ଼ିକୁ ବୋମାମାଡ଼

ଫୁଲନଖରା : ଦାଦବଟି ପାଇଁ କଟକ ସଦର ଅଞ୍ଚଳରେ ଉତ୍ପାତ କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ଜଣେ ଠିକାଦାରଙ୍କ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିବା ବେଳେ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ପୁଲିସ ପିସିଆର୍‌ ଭ୍ୟାନ୍‌ ଉପରକୁ ମଧ୍ୟ ବୋମା ମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। କଟକ ସଦର ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ଆହତ ଜଣେ ହୋମଗାର୍ଡକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପିସିଆର୍‌ ଭ୍ୟାନ୍‌ କାଚ ଭାଙ୍ଗିଯାଇଛି।

ସୂଚନା ଅନୁଯାୟୀ କୁରୁଣ୍ଟି ଗ୍ରାମର ଠିକାଦାର ଆଲୋକେନ୍ଦୁ ଦାଶଙ୍କୁ ବ୍ରାହ୍ମଣଝରିଲୋ ଅଞ୍ଚଳର କେତେକ ଦୁର୍ବୃତ୍ତ ଦାଦା ବଟି ମାଗିଥିଲେ। ମାତ୍ର ସେ ବଟି ଦେବାକୁ ମନା କରି ଦେବାରୁ ସେମାନେ ଗତକାଲି ରାତିରେ ଠିକାଦାରଙ୍କ ଉପରକୁ ତାଙ୍କ ଘର ସମ୍ମୁଖରେ ବୋମାମାଡ଼ କରିଥିଲେ। ୪/୫ଟି ବୋମା ମଧ୍ୟରୁ ଗୋଟିଏ ଘରର କବାଟରେ ବାଜି ବିସ୍ଫୋରଣ ହୋଇଥିଲା ବେଳେ ଆଉ ଗୋଟିଏ ଝରକାରେ ବାଜିଥିଲା। କୌଣସି ପ୍ରକାରେ ଶ୍ରୀ ଦାଶ ସେଠାରୁ ଖସିଯାଇ ଥାନାକୁ ଖବର ଦେବାରୁ ରାତି ୧୧ଟା ସମୟରେ ପୁଲିସର ଏକ ଟିମ ପିସିଆର ଭ୍ୟାନରେ ଆସି ସେଠାରେ ପହଞ୍ଚଥିଲା। ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଉପରକୁ ମଧ୍ୟ ବୋମା ଫିଙ୍ଗିଥିଲେ। ଏଥିରେ ଗାଡ଼ିର କାଚ ଭାଙ୍ଗିିଯିବା ସହିତ ହୋମଗାର୍ଡ କେଦାରନାଥ ସାମଲ ଆହତ ହୋଇଥିଲେ। ତେବେ ଏସ୍‌ଆଇ ନୃସିଂହ ସ୍ୱାଇଁ ଏବଂ ଏଏସ୍‌ଆଇ ମହେନ୍ଦ୍ର ମଲିକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଆହତଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗାଡ଼ିର ଭଙ୍ଗା କାଚ ପଶିଯାଇଛି।

ସମ୍ବନ୍ଧିତ ଖବର