ଟଙ୍କା ନଦେବାରୁ କାନ କାମୁଡ଼ି ଛିଡ଼ାଇ ଦେଲେ

ମାହାଙ୍ଗା : ଯୁବକଙ୍କ ପକେଟରୁ ବଳପୂର୍ବକ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତକୁ ବାଧା ଦେବାରୁ ଦୁର୍ବୃତ୍ତ ଜଣକ ଯୁବକଙ୍କ କାନକୁ କାମୁଡ଼ି ଛିଡ଼ାଇ ଦେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ। ଶୁକ୍ରବାର ସନ୍ଧ୍ୟାରେ ଲଳିତଗିରି ପଞ୍ଚାୟତ ଗଙ୍ଗାଧର ଗ୍ରାମର ପବିତ୍ର ସାହୁ(୩୯) ହରିଭକ୍ତପୁର ବଜାରରେ ଛିଡ଼ା ହୋଇଥିଲେ। ଏହି ସମୟରେ ଚମ୍ପତ୍ତିପୁର ଗ୍ରାମର ପ୍ରଦୀପ୍ତ ବେହେରା ନାମକ ଯୁବକ ସେଠାରେ ପହଞ୍ଚି ପବିତ୍ରଙ୍କ ସାର୍ଟ ପକେଟରେ ହାତ ପୂରାଇ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପବିତ୍ର ଏହାର ବିରୋଧ କରିବାରୁ ସେ ଏକ ବାଉଁଶ ପାରିଆରେ ତାଙ୍କୁ ଆକ୍ରମଣ କରିଥିଲେ। ପବିତ୍ର ତଳେ ପଡ଼ିଯିବା ପରେ ପ୍ରଦୀପ୍ତ ତାଙ୍କ କାନକୁ କାମୁଡ଼ି ଛିଡ଼ାଇ ଦେବା ସହ ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି। ପରେ ପରିବାର ଲୋକ ସେଠାରେ ପହଞ୍ଚି ପବିତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଛିଡି ଯାଇଥିବା କାନର ପ୍ରତ୍ୟାରୋପଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର