ବିଡ଼ାନାସୀରେ ନୃଶଂସ କାଣ୍ଡ, କୁକୁର ଭୁକିବାରୁ ପିଜି ଛାତ୍ରଙ୍କୁ ଛୁରାମାଡ଼

କଟକ: କୁକୁର ଭୁକିବାରୁ ଯୁବକମାନେ କୁକୁରର ମାଲିକଙ୍କୁ ଛୁରି ଧରି ଆକ୍ରମଣ କରିଛନ୍ତି। ଛୁରି ମାଡ଼ରେ ମାଲିକଙ୍କ ବେକ କଟିଯାଇଛି। ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁକୁରକୁ ବି ଯୁବକମାନେ ଆକ୍ରମଣ କରିଛନ୍ତି। ଏଭଳି ନୃଶଂସ କାଣ୍ଡ ବିଡାନାସୀ ଅଞ୍ଚଳରେ ରବିବାର ରାତିରେ ଘଟିଛି। ବିଡାନାସୀ ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତ ପିଜି ଛାତ୍ର ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ୫ ଜଣ ଦୁର୍ବୃତ୍ତଙ୍କ ପରିଚୟ ପାଇଥିବା ସୂଚନା ମିଳିଛି। ସେମାନେ ହେଲେ, ବିଡ଼ାନାସୀ ଗୋରାକବରର ସେକ୍‌ ଧଉଳି, ରାଜେଶ ସେଠୀ, ସେକ୍‌ ନିଆଜ୍‌, ସେକ୍‌ କାଦିର୍‌ ଓ ଅଲତାଫ୍‌।

ସୂଚନା ଅନୁଯାୟୀ, ବିଡାନାସୀ ମଧୁସୁଦନ ନଗର ଅଞ୍ଚଳର ଜୟଦେବ ଦେଙ୍କ ପୁଅ କୌଶିକ୍ ଦେ(୨୨) ଗଲା ରବିବାର ରାତି ପ୍ରାୟ ୧୧ଟା ବେଳେ ନିଜ କୁକୁରକୁ ଧରି ସାମ୍ବାଦିକ କଲୋନିକୁ ବୁଲାଇବାକୁ ଯାଇଥିଲେ। କୁକୁରକୁ ବୁଲାଉଥିବା ବେଳେ ସେହି ସମୟରେ ସାମ୍ବାଦିକ କଲୋନି ନିକଟ ଏକ ପାର୍କରେ ବସିଥିବା ୩ ଜଣ ଯୁବକଙ୍କୁ ଦେଖି କୁକୁର ଭୁକିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେମାନେ କୌଶିକ୍‌ଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଘଟଣାସ୍ଥଳରେ ଆହୁରି ୨ ଜଣ ବ୍ୟକ୍ତି ପହଞ୍ଚିଥିଲେ। ଏହି ୫ ଜଣ ଅଜଣା ବ୍ୟକ୍ତି ସଂଘବଦ୍ଧ ଭାବେ କୌଶିକଙ୍କୁ ଛୁରି ଧରି ଶାସ୍ତ୍ରୀଜୀ କ୍ଲବ୍‌ ଯାଏ ଗୋଡ଼ାଇଥିଲେ। ରାସ୍ତାରେ କୌଶିକଙ୍କୁ ମାଡ଼ି ବସି ବେକର ଡାହାଣପଟକୁ ଛୁରିରେ ଭୁସିଦେଇଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ କୌଶିକ୍ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବେକରେ ୧୫ଟି ଷ୍ଟିଚ୍‌ ପଡ଼ିଛି। ଏ ସଂକ୍ରାନ୍ତରେ କୌଶିକ ସୋମବାର ବିଡାନାସୀ ଥାନାରେ ଅଭିଯୋଗ କରିଛନ୍ତି। ଏହା ସହିତ ଦୁର୍ବୃତ୍ତମାନେ ତାଙ୍କୁ ଛୁରି ଧରି ଗୋଡ଼ାଇବା ଘଟଣାରେ ସିସି କ୍ୟାମେରା ଫୁଟେଜ୍ ସଂଗ୍ରହ କରି କୌଶିକ ଥାନାର ଜିମା ଦେଇଛନ୍ତି। କୌଶିକ ଏବେ ଖ୍ରୀଷ୍ଟ କଲେଜରେ ସ୍ନାତକୋତ୍ତର ଦ୍ବିତୀୟ ବର୍ଷ ଛାତ୍ର ଅଟନ୍ତି। ତାଙ୍କ ପ୍ରତି ହୋଇଥିବା ଏଭଳି ଅମାନୁଷିକ କାଣ୍ଡକୁ ନେଇ ସୋମବାର ସନ୍ଧ୍ୟାରେ ବିଡାନାସୀ ଥାନା ସାମ୍‌ନରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ପୁଲିସ ନିକଟରେ ଫେରାଦ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର