ଆତ୍ମଜୀବନୀ ଉତ୍ତରପିଢ଼ି ପାଇଁ ଅମୂଲ୍ୟ ଦସ୍ତାବିଜ୍: ସୌମ୍ୟରଞ୍ଜନ

ବୀଣାପାଣି ସିଂହଙ୍କ ଆତ୍ମଜୀବନୀ ‘ଚାଲି ନଜାଣି ଚାଲୁଛି ମୁଁ’ ଲୋକାର୍ପିତ

କଟକ: ଆତ୍ମଜୀବନୀରେ ସମସାମୟିକ ଘଟଣାବଳୀର ନିଚ୍ଛକ ଚିତ୍ର ଓ ଚରିତ୍ର ଭରି ରହିଥାଏ। ଏହା ଉତ୍ତରପିଢ଼ି ପାଇଁ ସମୟର ଦସ୍ତାବିଜ୍। ଏଥିରୁ ଆଗାମୀ ପିଢ଼ି ଅତୀତକୁ ବୁଝିପାରିବେ। ଏଥିପାଇଁ ଅଧିକରୁ ଅଧିକ ଆତ୍ମଜୀବନୀ ଲେଖାଯିବା ଉଚିତ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଡକ୍ଟର ବୀଣାପାଣି ସିଂହଙ୍କ ଆତ୍ମଜୀବନୀ ଗ୍ରନ୍ଥ ‘ଚାଲି ନ ଜାଣି ଚାଲୁଛି ମୁଁ’ର ​ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଡକ୍ଟର ସିଂହଙ୍କ ଆତ୍ମଜୀବନୀରେ ଓଡ଼ିଶାର ୭୫ବର୍ଷର ଇତିହାସ ଭରି ରହିଛି। ଏହାର ଭାଷା ସରଳ ଓ ଭାବ ଗଭୀର ହୋଇଥିବା ବେଳେ ବର୍ଣ୍ଣନା ବିସ୍ତୃତ ହୋଇଛି। ଏହାକୁ ଲେଖିବା ଓ କହିବା ପାଇଁ ଆବଶ୍ୟକ ଉପାଦାନ ଡକ୍ଟର ସିଂହ ତାଙ୍କ ପାରିବାରିକ ଜୀବନରୁ ହୁଏତ ପାଇଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ।

ମହାନଦୀ ଭବନରେ ଆ​​ୟୋଜିତ ଉନ୍ମୋଚନ ଉତ୍ସବରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖିକା ଡକ୍ଟର ସୁଲୋଚନା ଦାସ କହି​ଲେ, ଅକ୍ଷର ବ୍ରହ୍ମର ଉପାସନା କରି ମଣିଷ ଜୀବନକୁ ବୁଝିବା ସହ ଆୟୁଷ୍ମାନ ହୋଇଥାଏ। ଡକ୍ଟର ସିଂହଙ୍କ ଆତ୍ମଜୀବନୀ ଗ୍ରନ୍ଥରେ ତାଙ୍କ ଜୀବନର ଅନୁଭବ ଓ ଅନୁଭୂତି ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା ହୋଇଛି, ଯାହା ପାଠକଙ୍କ ହୃଦୟକୁ ଛୁଇଁବ। କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଏସ୍‌ସିବି ମେଡିକାଲ କଲେଜ ହୃଦ୍‌ରୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ ଯୋଗଦେଇ କହିଲେ ଯେ ମାନବ ସମାଜ ପାଇଁ ଶ୍ରୀ ଗଣେଶ ମା’ ପାର୍ବତୀଙ୍କ ଶ୍ରେଷ୍ଠ ଅବଦାନ ଭଳି ‘ଚାଲି ନ ଜାଣି ଚାଲୁଛି ମୁଁ’ ଆତ୍ମଜୀବନୀ ଗ୍ରନ୍ଥ ଡକ୍ଟର ବୀଣାପାଣି ସିଂହଙ୍କ ରଚିତ ପୁସ୍ତକ ମଧ୍ୟରେ ଶ୍ରେଷ୍ଠ ପୁସ୍ତକ। ଗ୍ରନ୍ଥର ଶୀର୍ଷକ ହିଁ ଗ୍ରନ୍ଥର ଅନ୍ତସ୍ବର ବୋଲି ପ୍ରଫେସର ଡାକ୍ତର ଦାସ ମତବ୍ୟକ୍ତ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ପୂ୍ର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା କହିଥିଲେ ଯେ ଡକ୍ଟର ସିଂହଙ୍କ ଆତ୍ମଜୀବନୀରେ ସବୁ ସତ ଓ ଅଙ୍ଗେନିଭା କଥା ବର୍ଣ୍ଣିତ ହୋଇଛି। କିନ୍ତୁ ଏଥିରେ ସବୁ ସ୍ଥାନ, ବ୍ୟକ୍ତି, ଘଟଣା ବିସ୍ତୃତ ଭାବେ ବର୍ଣ୍ଣନା ହୋଇଥିବା ବେଳେ ମହାନଦୀବିହାରକୁ ସ୍ଥାନ ଦେଇ ନାହାନ୍ତି। ସଭାପତି ଡକ୍ଟର ବିଜୟାନନ୍ଦ ସିଂହ କହିଲେ, ଲେଖିକାଙ୍କ ନିଜ ଆତ୍ମଜୀବନୀ ୧୧୩ଟି ବିଭାଗରେ ବିଭକ୍ତ ହୋଇଛି। ଏହା ଲେଖିକାଙ୍କ ପରିବାର ପାଇଁ ଏକ ଅମୂଲ୍ୟ ଦଲିଲ୍ ​ବୋଲି ଡକ୍ଟର ସିଂହ କହିଥିଲେ। ଲେଖିକା ଡକ୍ଟର ସିଂହ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ଅଧ୍ୟାପିକା ମନସ୍ବିନୀ ମିଶ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଡକ୍ଟର ସଂଜିତା ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଡାକ୍ତର ବୀରକିଶୋର ସିଂହ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୁସ୍ତକର ପ୍ରଚ୍ଛଦପଟ୍ଟ ଆଙ୍କିଥିବା ଶିଳ୍ପୀ ବିଜୟ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆତ୍ମଜୀବନୀ ପୁସ୍ତକର ପ୍ରକାଶକ ତଥା ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ସତ୍ତ୍ବାଧିକାରୀ ଜୀବାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର