କଟକ: କଟକର ପ୍ରମୁଖ ବାଦାମବାଡ଼ି ରାସ୍ତାର ଚିତ୍ର ବଦଳିବ। ରାସ୍ତାରେ ଜମିବ ନାହିଁ ବର୍ଷା ପାଣି କି ରାସ୍ତା କଡ଼ରେ ଆଉ ଦେଖିବାକୁ ମିଳବ ନାହିଁ ଖୋଲା ଡ୍ରେନ। ସହରର ଏହି ପ୍ରମୁଖ ରାସ୍ତାକୁ ସ୍ମାର୍ଟ ରୋଡରେ ପରିଣତ କରିବାକୁ ସରକାରଙ୍କ ପକ୍ଷରୁ ୨୦୧୯ରେ ଘୋଷଣା ହୋଇଥିଲେ। ମାତ୍ର ଏହା ମଧ୍ୟରେ ୩ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ବି ବାଦାମବାଡି ରାସ୍ତାର ଭାଗ୍ୟ ବଦଳି ପାରିଲା ନାହିଁ। ଅସରାଏ ବର୍ଷାରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ବର୍ଷାପାଣି ଜମି ରହିବା ସହ ଡ୍ରେନରେ ମାଟି ଓ ଆବର୍ଜନା ଭରି ରହିଛି। ଅନ୍ୟପଟେ ଜାଇକା ପକ୍ଷରୁ ବିଭିନ୍ନ ସମୟରେ ରାସ୍ତାକୁ ଖୋଳି କାମ କରାଯାଉ ଥିବା ବେଳେ ଏହା କେବେ ଶେଷ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ। ସହରର ବ୍ୟସ୍ତବହୁଳ ବାଦାମବାଡ଼ି ଓ ଲିଙ୍କରୋଡ୍ ୨.୪ କିଲୋମିଟର ରାସ୍ତାକୁ ‘ସ୍ମାର୍ଟ ରୋଡ୍’ରେ ପରିଣତ କରିବାକୁ ୨୦୧୯ ମେ’ ଫନି ବାତ୍ୟା ପରେ ପୂର୍ବତନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଥିଲେ। ଏହାସହ ଜିଲ୍ଲାପାଳ ଓ କମିସନର ଅଞ୍ଚଳର ଘନଘନ ପରିଦର୍ଶନରେ ଆସି ସ୍ଥାନୀୟ ଅଞ୍ଚଳର ଡ୍ରେନ୍ ଓ ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀଙ୍କଠାରୁ ଏଭଳି ଘୋଷଣା ଓ ପ୍ରତିଶ୍ରୁତି ଶୁଣି ଅଞ୍ଚଳ ବାସିନ୍ଦା ବି ଉତ୍ସାହିତ ହୋଇ ପଡ଼ିଥିଲେ। ହେଲେ ତିନି ବର୍ଷ ପରେ ବି ରାସ୍ତା ଓ ଡ୍ରେନ୍ର ଅବସ୍ଥା ଯେପରି ଥିଲା ସେହିପରି ରହିଛି। ଡ୍ରେନ୍ ମଧ୍ୟରେ ପଙ୍କ, ମାଟି ସହିତ କୁଢ କୁଢ ଆବର୍ଜନା ଜମାହୋଇ ରହିଥିବା ବେଳେ ଟିକିଏ ବର୍ଷାରେ ୬ରୁ ୮ ଘଣ୍ଟା ଧରି ରାସ୍ତା ଉପରେ ବର୍ଷା ଓ ନର୍ଦ୍ଦମା ପାଣି ଜମି ରହୁଛି। ସେପଟେ ଜାଇକାର ଚ୍ୟାମ୍ବର ନିର୍ମାଣ ପରେ ଏହାକୁ ବାରମ୍ବାର ଖୋଳି କାମ କରାଯାଉଛି। କାମ ଶେଷ ହେବା ପରେ ଏହାର ମରାମତି କାମ ଠିକ୍ ଭାବେ ହେଉନାହିଁ। ବାଦମବାଡିରୁ ପ୍ରତିଦିନ ୧୨ଶହରୁ ଅଧିକ ବସ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ବେଳେ ୬ ହଜାରରୁ ଅଧିକ ଯାତ୍ରୀ ଆସିଥାନ୍ତି। ମାତ୍ର ବାଦାମବାଡି ରାସ୍ତାର ଏପରି ଅବସ୍ଥା ପାଇଁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଦାମବାଡିକୁ ସହରର ମୁଖଶାଳା ବିଚାର କରାଯାଉଥିବା ବେଳେ ଅଞ୍ଚଳର ଶୋଚନୀୟ ସ୍ଥିତି କଟକର ରୂପରେଖକୁ ନେଇ ବାହାର ଲୋକଙ୍କ ମନରେ ବି ଏକ ନକରାତ୍ମକ ଚିତ୍ର ସୃଷ୍ଟି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG_20220701_212308092836.jpg)