ଧବଳେଶ୍ବର ପୀଠରେ ବଡ଼ଓଷା ଆଜି; ନାଗାର୍ଜୁନ କିରାତ ବେଶରେ ସଜ୍ଜିତ ହେଉଛନ୍ତି ବାବା ଧବଳେଶ୍ବର

ଖୁଣ୍ଟୁଣୀ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର କଟକ ଜିଲ୍ଲା ଆଠଗଡ଼ର ଶ୍ରୀଶ୍ରୀ ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ଶନିବାର ବଡ଼ଓଷା ଅନୁଷ୍ଠିତ ହେଉଛି । କୋଭିଡ୍‌ କଟକଣା ଯୋଗୁଁ ଏଠାରେ ବିନା ଭକ୍ତରେ ପ୍ରଭୁଙ୍କ ବଡ଼ଓଷା ନୀତିକାନ୍ତି ପୂଜକମାନଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଚଳିତବର୍ଷ ପଞ୍ଚକ ୬ ଦିନ ପଡ଼ିଥିବାରୁ ୨୬ବର୍ଷ ପରେ ପବିତ୍ର ବଡ଼ଓଷାରେ ବାବାଙ୍କର ଦେବ ଦୁର୍ଲଭ ନାଗାର୍ଜୁନ କିରାତ ବେଶ ଅନୁଷ୍ଠିତ ହେଉଛି ବୋଲି ପୂଜକ ସମିତି ପକ୍ଷରୁ ସୂଚନା ଦିଆଯାଇଛି। କିମ୍ବଦନ୍ତୀ ଅନୁସାରେ, ଦ୍ବାପର ଯୁଗରେ ମହାଭାରତ ଯୁଦ୍ଧ ପୂର୍ବରୁ ଧନୁର୍ଦ୍ଧାରୀ ଅର୍ଜୁନ ଶଙ୍କର ଭଗବାନଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଜଙ୍ଗଲରେ ଗଭୀର ତପସ୍ୟାରେ ନିମଗ୍ନ ଥିଲେ। ସେହି ସମୟରେ ଏକ ଶୁକର ଅର୍ଜୁନଙ୍କ ତପ ଭଗ୍ନ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲା।

ଶୁକର ମୁଖରୁ ବର୍ତ୍ତିବା ପାଇଁ ଗୋଟିଏ ପଟେ ଅର୍ଜୁନ ଶୁକରକୁ ଶର ନିକ୍ଷେପ କରିଥିବା ବେଳେ ଅନ୍ୟପଟେ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶଙ୍କର କିରାତ ରୂପରେ ଆବିର୍ଭୂତ ହୋଇ ଶୁକରକୁ ବାଣ ନିକ୍ଷେପ କରିଥିଲେ। ଶେଷରେ ଅର୍ଜୁନ କିରାତ ରୂପରେ ମହାଦେବ ତ୍ରିପୁରାରୀଙ୍କୁ ଦର୍ଶନ କରିବା ସହ ଭଗବାନ ଶିବଙ୍କ ଠାରୁ ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇଥିଲେ। ଏହି ପୌରାଣିକ କଥାବସ୍ତୁ ଓ ପରମ୍ପରା ଆଧାରରେ କାର୍ତ୍ତିକ ମାସ ପଞ୍ଚକ ୬ଦିନ ପଡ଼ିଥିବା ବର୍ଷରେ ବଡ଼ଓଷା ଦିନ ପ୍ରଭୁ ଧବଳେଶ୍ୱରଙ୍କୁ ନାଗାର୍ଜୁନ କିରାତ ବେଶରେ ସଜ୍ଜିତ କରାଯାଏ ବୋଲି ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରି ସୂଚନା ଦେଇଛନ୍ତି।

ଧବଳେଶ୍ୱରଙ୍କ ଏହି ବେଶ ଶନିବାର ଓ ରବିବାର ଅନୁଷ୍ଠିତ ହେବ। ବଡ଼ଓଷା ପାଇଁ ଆଜି ପ୍ରତ୍ୟୁଷ ସାଢ଼େ ୩ଟାରୁ ମନ୍ଦିର ପହଡ଼ ଖୋଲାଯାଇ ଆଳତି ଶ୍ରୀମୁଖ ପଖାଳ ପରେ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ଜଳରେ ପ୍ରଭୁଙ୍କ ସ୍ନାନ ମାର୍ଜନା ସିଙ୍ଗାର ଭୋଗ ସହ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ପରେ ଠାକୁରଙ୍କୁ ବଡ଼ଓଷାରେ ଦିବ୍ୟ ବେଶରେ ସଜ୍ଜିତ କରାଯିବ। ଏହାପରେ ସକାଳ ଖେଚୁଡ଼ି ଭୋଗ ଓ ମଧ୍ୟାହ୍ନରେ ଶଙ୍କୁଡ଼ି ଓ ପାଳୁଅ ଭୋଗ ଲାଗି କରାଯିବ। ଶନିବାର ବିଳମ୍ବିତ ରାତ୍ରି ତଥା ରବିବାର ପ୍ରତ୍ୟୁଷ ତ୍ରୟୋଦଶୀ-ଚତୁର୍ଦଶୀ ସନ୍ଧିକ୍ଷଣରେ ପ୍ରଭୁଙ୍କ ନିକଟରେ ପ୍ରସିଦ୍ଧ ଗଜ ଓ ତରଣ ଭୋଗ ଲାଗି ହେବ ବୋଲି ବରିଷ୍ଠ ପୂଜକ ପରମାନନ୍ଦ ପତ୍ରି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର