ବଡ଼ଗଡ଼ କେନାଲ କଲୋନି ଡ୍ରେନେଜ୍‌ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ: ଭୁବନେଶ୍ବର ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ୍‌ କାର୍ଯ୍ୟ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗକୁ ଏହି ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୁରୁଷୋତ୍ତମ ବଳ ଓ ଅନ୍ୟ ୮ଜଣଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ୱାଟ୍‌କୋ (ଓଡ଼ିଶା ଜଳ ନିଗମ) ସାଧାରଣ ପରିଚାଳକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ବଡ଼ଗଡ଼ କେନାଲ କଲୋନିରେ ସ୍ବେରେଜ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ଅନ୍ୟପକ୍ଷରେ ଆବେଦନକାରୀ ଦର୍ଶାଇଥିଲେ ଯେ ସ୍ବେରେଜ୍‌ ଓ ଡ୍ରେନେଜ୍‌ ପ୍ରସଙ୍ଗକୁ ନେଇ ଏହି ମାମଲା ଦାୟର କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଡ୍ରେନେଜ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଏଭଳି ସ୍ଥିତିରେ ଜୁଲାଇ ୧୩ ସୁଦ୍ଧା ଡ୍ରେନେଜ୍‌ କାର୍ଯ୍ୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବଡ଼ଗଡ଼ କଲୋନି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ପ୍ରସଙ୍ଗକୁ ନେଇ ୨୦୧୬ରେ ହାଇକୋର୍ଟରେ ୯ଜଣ ସ୍ଥାନୀୟ ବାସିନ୍ଦା ଏହି ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର