ବରିଷ୍ଠ ନାଗରିକଙ୍କୁ ଭଣ୍ଡାଉଛନ୍ତି ସରକାର, ଅନ୍ୟ ରାଜ୍ୟରେ ୨ ହଜାର, ଓଡ଼ିଶାରେ ଭତ୍ତା ୫୦୦?

କଟକ: ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ଦିଆଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ଦେଶର ଅନ୍ୟ ରାଜ୍ୟ ତୁଳନାରେ‌ ଢେର କମ୍‌। ମଧୁବାବୁ ପେନସନ୍‌ ଯୋଜନାରେ ଓଡ଼ିଶ‌ାରେ ୫୮ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାର ଭଣ୍ଡାଉଛନ୍ତି। ଦରଦାମ୍‌ ବୃଦ୍ଧି ଯୋଗୁଁ ସରକାର ଦେଉଥିବା ସ୍ବଳ୍ପ ଭତ୍ତାରେ ବୃଦ୍ଧ/ବୃଦ୍ଧା ନିଜର ଖର୍ଚ୍ଚ ମେଣ୍ଟାଇ ପାରୁନାହାନ୍ତି। ଫଳରେ ପରିଣତ ବୟସରେ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି। ଅନ୍ୟ ରାଜ୍ୟରେ ବରିଷ୍ଠମାନଙ୍କୁ ଓଡ଼ିଶା ତୁଳନାରେ ଢ଼େର୍‌ ଅଧିକ ଭତ୍ତା ରାଶି ମିଳୁଥିବା ବେଳେ ଓଡ଼ିଶାରେ ୬୦ରୁ ୮୦ବର୍ଷ ବୟସର ବୃଦ୍ଧ/ବୃଦ୍ଧାଙ୍କୁ ୫ଶହ ଟଙ୍କା ଓ ୮୦ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ମାତ୍ର ୭ଶହ ଟଙ୍କା ମିଳୁଛି। ଯାହା ବରିଷ୍ଠମାନଙ୍କ ଚଳିବା ନିମନ୍ତେ ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ନର୍ବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।

ବାର୍ଦ୍ଧକ୍ୟ ଭତ୍ତାର ତୁଳାନାତ୍ମକ ଚିତ୍ର ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ରହିଛି। ଆନ୍ଧ୍ରପ୍ରଦେଶ ସରକାର ବରିଷ୍ଠ ନାଗରିକଙ୍କୁ ମାସିକ ୨୨୫୦ ଟଙ୍କା ଭତ୍ତା ଦେଉଥିବା ବେଳେ ତେଲେଙ୍ଗାନା ସରକାର ୨ ହଜାର, ଗୋଆ ୨ହଜାର, ଆଣ୍ଡାମାନ-ନିକୋବର ୨ହଜାର, ହରିୟାନା ୧୮ଶହ, ପଞ୍ଜାବ ୧୫ଶହରୁ ୨ହଜାର, ଅରୁଣାଚଳ ପ୍ରଦେଶ ୧୭ଶହରୁ ୨ହଜାର, କେରଳ ୧୩ଶହରୁ ୧୫ଶହ, ଉତ୍ତରାଖଣ୍ଡ ୧୨ଶହ, ହିମାଚଳ ପ୍ରଦେଶ ୭୫୦ରୁ ୧୩ଶହ, ତାମିଲନାଡ଼ୁ ୧ହଜାର, କର୍ନାଟକ ୧ହଜାରରୁ ୧୨ଶହ, ପଶ୍ଚିମବଙ୍ଗ ୧ହଜାର, ଉତ୍ତରପ୍ରଦେଶ ୮ଶହ, ରାଜସ୍ଥାନ ୭୫୦, ଝାଡ଼ଖଣ୍ଡ ୭ଶହ, ମହାରାଷ୍ଟ୍ର ୬ଶହ, ଗୁଜୁରାଟ ସରକାର ୭ଶହ ଟଙ୍କା ଦେଉଛନ୍ତି। ସେହି ହାରରେ ଓଡ଼ିଶା ସବୁଠୁ ପଛରେ ପଡ଼ିଛି। ଓଡ଼ିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଏଠାକାର ବରିଷ୍ଠ ନାଗରିକଙ୍କୁ ଭଣ୍ଡାଉଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂ‌ଯୋଜକ ଶେଷଦେବ ନନ୍ଦ ଅଭିଯୋଗ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଆଭିମୁଖ୍ୟକୁ ପଦା‌‌ରେ ପକାଇଛି। ସରକାର ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତ‌ା ନ ବଢ଼ାଇଲେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତି ଗାଁରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନନ୍ଦ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର