ଗୋଳନ୍ଥରା ଥାନା ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ

ଜେଲରୁ ବାହାରିବା ବାଟ ଖୋଲିଲା

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜେଲରୁ ମୁକୁଳିବା ବାଟ ପରିଷ୍କାର ହୋଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିିଳିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ରୁଜୁ ଏକ ମାମଲାରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ୨ ଲକ୍ଷ ଟଙ୍କା ଜମା କରିବେ। ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଏହା ପ୍ରଦାନ କରାଯିବ। ଯଦି ମାମଲାର ଟ୍ରାଏଲ ସ‌ମୟରେ ଶ୍ରୀ ପାଣଗ୍ରାହୀଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହୁଏ ତେବେ ରାୟ ପ୍ରକାଶର ଏକ ସପ୍ତାହ ଭିତରେ ଏତଲାକାରୀ ଏହି ଅର୍ଥ ନିମ୍ନ ଅଦାଲତରେ ଜମା କରିବେ। ଏପରି କ୍ଷେତ୍ରରେ ଏହି ଟଙ୍କା ଶ୍ରୀ ପାଣିଗ୍ରାହୀଙ୍କୁ ଫେରାଇ ଦିଆଯିବ। ଏଥି ସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ ଶ୍ରୀ ପାଣଗ୍ରାହୀ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ସହିତ ଅନ୍ୟ କେତେକ ସର୍ତ୍ତପୂରଣ ପରେ ଶ୍ରୀ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାମିନରେ ଛାଡ ପାଇବା ଲାଗି ୬ଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ମୋଟ୍ ୬୯ ଲକ୍ଷ ୪୫ ହଜାର ଟଙ୍କା ନିମ୍ନ ଅଦାଲତରେ ଜମା କରିବାକୁ ପଡିବ। କ୍ରାଇମବ୍ରାଞ୍ଚ ମାମଲାରେ ୪୭ ଲକ୍ଷ ୪୫ ହଜାର, ବୈଦ୍ୟନାଥପୁର ଥାନା ମାମଲାରେ ୬ ଲକ୍ଷ ଟଙ୍କା, ଗୋଳନ୍ଥରା ଥାନାରେ ଥିବା ୪ଟି ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫, ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ ଟଙ୍କା ଜମା କରିବାକୁ ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦, ନଭେମ୍ବର ୨୭ ତାରିଖରେ ଗିରଫ ହୋଇ ଜେଲ ଯାଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ପ୍ରଥମେ ଆକାଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ୨୦୨୦, ଡିସେମ୍ବର ୩ରେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଶ୍ରୀ ପାଣିଗ୍ରାହୀଙ୍କ ଏଜେଣ୍ଟ କୁହାଯାଉଥିବା ସର୍ବେଶ୍ବର ରାଓ ଓ ଆକାଶ ପାଠକ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ରହିଛନ୍ତି।

ଏହାପରେ ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଅଭିଯୁକ୍ତ ଦର୍ଶାଯାଇ ରିମାଣ୍ଡରେ ନିଆଯାଇଥିଲା। ଏହି ସବୁ ମାମଲାରୁ ଅଧିକାଂଶରେ ମଧ୍ୟ ପାଠକ ବାପ-ପୁଅ ଅଭିଯୁକ୍ତ ରହିଛନ୍ତି। ଚାକିରି ଆଶାୟୀଙ୍କ ନିକଟରୁ ଟଙ୍କା ଆଦାୟ ଓ ଠକେଇ ନେଇ ଏହି ସବୁ ମାମଲାରେ ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ମାମଲାରେ ୨୦୨୧, ଫେବ୍ରୁଆରି ୨୪ରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମଞ୍ଜୁର କରିଥ‌ିଲେ। ଏହାପରେ ମେ ୩୧ରେ ଗୋଳନ୍ଥରା ଥାନାରେ ଥିବା ୩ଟି ମାମଲା ଓ ଜୁନ୍ ୧୦ରେ ବୈଦ୍ୟନାଥପୁର ଥାନା ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବା ବେଳେ ଗୋଳନ୍ଥରା ଥାନାର ଆଉ ଏକ ମାମଲାରେ ଆଜି ତାଙ୍କ ଜାମିନ ମଞ୍ଜୁର ହୋଇଛି। ଜାମିନରେ ଛାଡ ପାଇବା ପରେ ଶ୍ରୀ ପାଣିଗ୍ରାହୀ ବିଦେଶ ଯାଇ ପାରିବେ ନାହିଁ। କାରଣ କ୍ରଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଫେବ୍ରୁଆରି ୨୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା ଯେ ନିମ୍ନ ଅଦାଲତରେ ଶ୍ରୀ ପାଣିଗ୍ରାହୀ ପାସପୋର୍ଟ ଦାଖଲ କରିବେ।

ଯଦି ପାସପୋର୍ଟ ନଥିବ ଏ ନେଇ ନିମ୍ନ ଅଦାଲତରେ ସତ୍ୟପାଠ ଦାଖଲ କରିବେ। ଏଥି ସହିତ ଅଦାଲତଙ୍କ ପୂର୍ବ ଅନୁମତି ବିନା ଓଡ଼ିଶା ଛାଡି ଯିବେ ନାହିଁ। ଏହି ମାମଲା ପ୍ରସଂଗରେ ଆବେଦନକାରୀ କୌଣସି ଗଣମାଧ୍ୟମରେ ଅଥବା ସର୍ବସାଧାରଣ ମନ୍ତବ୍ୟ ଦେବେ ନାହିଁ। ନିଜର ଓ ଅନ୍ୟ ସହଅଭିଯୁକ୍ତଙ୍କ ପ୍ରସଂଗରେ ବି କିଛି ମନ୍ତବ୍ୟ ରଖିବେ ନାହିଁ। ଯଦି କୌଣସି ସର୍ତ୍ତର ଉଲ୍ଲଂଘନ ହୁଏ ତେବେ ତାଙ୍କ ଜାମିନ ରଦ୍ଦ ହେବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର