ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍‌: ୩୪ ଏକର ପାଇଁ ଅନୁମତି, ଶହେ ଏକର ପାଇଁ ଡକାଯାଇଛି ଟେଣ୍ଡର୍‌

ଏନ୍‌ଜିଟି ନିର୍ଦ୍ଦେଶ ମାନୁନି ପୂର୍ତ୍ତ ବିଭାଗ

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏ ପଟେ ପୂର୍ତ୍ତ ବିଭାଗ କିନ୍ତୁ ପୂରା ବାଲିଯାତ୍ରା ପଡ଼ିଆକୁ ସମତୁଲ କରିବା ପାଇଁ ଟେଣ୍ଡର୍‌ ଆହ୍ବାନ କରି ଅଢେଇ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଟେଣ୍ଡର୍‌ ଡାକି ସାରିଛି। ଏନଜିଟିଙ୍କ ନିର୍ଦ୍ଦେଶ ଆସିବା ପରେ ମଧ୍ୟ ଏହି ଟେଣ୍ଡର୍‌ ବଳବତ୍ତର ରହିଛି। ଏହାକୁ ବାତିଲ କରାଯାଇ ନାହିଁ। ବାଲିଯାତ୍ରା ପଡ଼ିଆକୁ ପୋତିବା ଦ୍ବାରା କଟକ ପ୍ରତି ବନ୍ୟା ଅଶଙ୍କା ଥିବା ନେଇ ଗଠିତ ୭ ଜଣିଆ କମିଟି ରିପୋର୍ଟ ଦେବା ପରେ ମଧ୍ୟ ପୂର୍ତ୍ତ ବିଭାଗ ଗତ ଜୁନ ମାସରେ ୨ କୋଟି ଟଙ୍କାର ଟେଣ୍ଡର କରି ବାଲି ଉପରେ ମାଟି ପକାଇ ସାରିଥିଲା। ଏ​ବେ ପୁଣି ଥରେ ​ସେହି ଜମି ଉପରେ ବାଲିଯାତ୍ରା ପଡିଆ ପାଇଁ​ ଟେଣ୍ଡର ଆହ୍ବାନ କରାଯାଇ ନିର୍ମାଣ କାମ କରାଯାଉଛି। ଗତ ୧୬ ତାରିଖ ଦିନ ପୂର୍ତ୍ତ ବିଭାଗ(ଡିଭିଜନ-୧)ର ଅଧୀକ୍ଷଣ ଯନ୍ତ୍ରୀ ବାଲିଯାତ୍ରା ପଡ଼ିଆକୁ ସମତୁଲ କରିବା ପାଇଁ ଟେଣ୍ଡର୍‌ କରିଛନ୍ତି। ୭ଟି ଜୋନରେ ବିଭକ୍ତ କରି ବାଲିଯାତ୍ରା ପଡିଆ ସମତୁଲ କରିବା, ଜଂଗଲ ସଫା, ମୋରମ୍‌ ରାସ୍ତା ନିର୍ମାଣ ପାଇଁ ୨କୋଟି ୫୦ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି।

ଏନ୍‌ଜିଟି ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନକୁ ଅନୁମତି ଦେଇଥିବା ବେଳେ ପୂର୍ତ୍ତ ବିଭାଗ ଏବେ ତା’ର ପୂର୍ବ ଟେଣ୍ଡର୍‌କୁ ବାତିଲ ନକରି ଟେଣ୍ଡରକୁ ଚୂଡାନ୍ତ ରୂପ ଦେବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ମୁଣ୍ଡାସାହି, ଜାଇକା ତାନ୍ତିଆ ୱାର୍କସପ ପଛ ପାଖ, ବୋଟିଂ କମ୍ପ୍ଲେକ୍ସ ଓ ଇକୋ ରିଟ୍ରିଟ୍‌ ଅଞ୍ଚଳ ଅନୁମତି ମିଳିଥିବା ୩୪ ଏକର ବାହାରେ ହୋଇଥିବା ବେଳେ ଏହି ଟେଣ୍ଡର୍‌ କରାଯିବ କି ବାତିଲ ହେବ ସେ ସଂପର୍କରେ ପୂର୍ତ୍ତ ବିଭାଗ କିଛି ସ୍ପଷ୍ଟ କରି ନାହିଁ। ବାଲିଯାତ୍ରା ତଳ ପଡ଼ିଆକୁ ସମତୁଲ କରିବା ବାଲି ଉପରେ ମାଟି ପକାଇବା ପାଇଁ ମୋଟ ୭ଟି ଜୋନ୍‌ରେ ବିଭନ୍ତ କରାଯାଇଥିଲା। ବାଲିଯାତ୍ରା ପଡିଆାର କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପଡିଆ ପାଇଁ ୪୨ଲକ୍ଷ ଟଙ୍କା, ଡିସିପି ଅଫିସ ସମ୍ମୁଖ ତଳ ବାଲିଯାତ୍ରା ପଡିଆ ପାଇଁ ୩୩ଲକ୍ଷ ୮୨ ହଜାର, ଜଷ୍ଟିସ୍‌ ବଙ୍ଗଳା ସମ୍ମୁଖ ପଡିଆ ପାଇଁ ୩୩ ଲକ୍ଷ ୮୫ ହଜାର, ମୁଣ୍ଡାସାହି ନିକଟସ୍ଥ ପଡିଆ ପାଇଁ ୩୮ଲକ୍ଷ ୫୨ ହଜାର, ଜାଇକା ଓ ତାନ୍ତିଆ ୱାର୍କସପ ପଛପାଖ ପଡିଆ ପାଇଁ ୩୮ଲକ୍ଷ ୭୮ ହଜାର, ବୋଟିଂ କମ୍ପ୍ଲେକ୍ସ ପଡ଼ିଆ ପାଇଁ ୩୫ ଲକ୍ଷ ୪୯ ହଜାର, ଇକୋ ରିଟ୍ରିଟ୍ ପାଖ ପଡିଆ ପାଇଁ ୩୯ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଟେଣ୍ଡର ଆହ୍ବାନ କରାଯାଇଛି। ଶେଷ ୪ଟି ଜୋନ୍‌ ରେ କୌଣସି କାମ ହୋଇପାରିବ ନାହିଁ ଏନିଜିଟି ସ୍ପଷ୍ଟ କରିଥିବା ବେଳେ ପୂର୍ତ୍ତ ବିଭାଗ କିନ୍ତୁ ଏହି କାମ କରିବାକୁ ତତ୍ପରତା ପ୍ରକାଶ କରିଛି। ଏନିଜିଟିଙ୍କ କଡା ନିର୍ଦ୍ଦେଶକୁ ପୂର୍ତ୍ତ ବିଭାଗ ଅବମାନନା କରି ଏଠାରେ କାମ କରିବାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର