କଟକ: ବାଲିଯାତ୍ରାରେ ଚଳିତବର୍ଷ ପ୍ରଥମଥର ପାଇଁ ପ୍ଲଟ୍ ନିଲାମ କରାଯାଇଥିଲା। ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ନିଲାମ ବ୍ୟବସ୍ଥା ଆଜି ସରିଥିବା ବେଳେ ଆଜି ସୁଦ୍ଧା ୮୩୭ ଜଣ ପ୍ଲଟ୍ ପାଇଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍ ୨୭ତାରିଖରେ ‘ଚଏସ୍ ଅପ୍ସନ୍’ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ନିଲାମ ପାଇ ନଥିବା ଲୋକଙ୍କୁ ନିଜ ପସନ୍ଦର ସ୍ଥାନ ପାଇଁ ପ୍ଲଟ୍ ଆବଣ୍ଟନ କରାଯିବ। ସେଥିପାଇଁ ୧୪୦ଜଣ ଆବେଦନକାରୀ ରହିଥିବା ଜଣାପଡିଛି। ତେବେ ଯେଉଁମାନେ କୌଣସି କାରଣରୁ ଚଳିତବର୍ଷ ବାଲିଯାତ୍ରାରେ ପ୍ଲଟ୍ ବୁକିଂ ପାଇଁ ଆବେଦନ କରି ନାହାନ୍ତି ବା ନିଲାମ ପ୍ରକ୍ରିୟାକୁ ଆସି ନାହାନ୍ତି ସେମାନଙ୍କ ପାଇଁ ୨୮ ଓ ୨୯ରେ ଯେତିକି ପ୍ଲଟ୍ ବଳକା ରହିବ, ସେଥିପାଇଁ ଅନ୍ସ୍ପଟ୍ ବୁକିଂ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ସରକାରୀ ସଂସ୍ଥା ପାଇଁ ଆଜି ସୁଦ୍ଧା ୧୫ଟି ପ୍ଲଟ୍ ଆବଣ୍ଟିତ ହୋଇଥିବାବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଅନ୍ୟପଟେ ଚଳିତ ବାଲିଯାତ୍ରାରେ ୧୫୬୧ଟି ପ୍ଲଟ୍ ରହିଥିବାବେଳେ ଆଜି ସୁଦ୍ଧା ୮୩୭ଜଣଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଛି। ବାକି ଅନ୍ ସ୍ପଟ୍ରେ ୩ଶହରୁ ଅଧିକ ପ୍ଲଟ୍ ରହିବ ବୋଲି ଆଶା କରାଯାଉଛି। ସେହିପରି ଖିମ୍ଜୀ, ଭାରତ, ରୁଚି, ମା’ ମସଲା, ଡିଅନ୍, ଆର୍ବିଆଇ ଭଳି ୮ରୁ ୧୦ଜଣ ପୃଷ୍ଠପୋଷକ ରହିଥିବା ଜଣାପଡିଛି।
ଗଛ ମୂଳେ ପିଣ୍ଡି-୩୪ ଏକରରୁ ଅଧିକ ସ୍ଥାନରେ ଆୟୋଜିତ ହେବ ବାଲିଯାତ୍ରା। କେଉଁଠି ଦୋଳି ତ, କେଉଁଠି ଓରମାସ୍ ଷ୍ଟଲ୍ ଅବା କେଉଁଠି ଭଳି ଭଳିକି ଖାଦ୍ୟର ପସରା। ଏତେବଡ଼ ଯାତ୍ରା ଭିତରେ ଲୋକ ଯଦି ଥକି ପଡନ୍ତି ତେବେ ଗଛମୂଳରେ କରାଯାଇଥିବା ପିଣ୍ଡିରେ ବସିବେ। ଲୋକଙ୍କ ବସିବା ପାଇଁ ଗଛମୂଳରେ ପ୍ରଶାସନ ପକ୍ଷରୁ ପିଣ୍ଡି ନିର୍ମାଣ କରାଯାଉଛି। ଏଥର ସବୁଠୁ ବେଶି ଆକର୍ଷଣୀୟ ହେବ ‘କଟକ ଇନ୍ କଟକ’। ଧବଳେଶ୍ବର ମନ୍ଦିର ଠାରୁ ଆରମ୍ଭ କରି କଟକର ସମସ୍ତ ପ୍ରସିଦ୍ଧ ସ୍ଥାନ, କଳା, ସଂସ୍କୃତି... ଏହି ପାଭିଲିଅନ୍ରେ ସ୍ଥାନିତ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ଏବେଠାରୁ ଆରମ୍ଭ ହୋଇ ଗଲାଣି।
ଏଥର ଦୋଳି ପାଇଁ ଅଧିକ ଜାଗା-ବାଲିଯାତ୍ରାରେ ଦୋଳି ପାଇଁ ଆଜି ଅକ୍ସନ ବ୍ୟବସ୍ଥା କରାଯାଇଛି। ଅନ୍ୟବର୍ଷ ଅପେକ୍ଷା ଚଳିତବର୍ଷ ଦୋଳି ପାଇଁ ଅଧିକ ଆବେଦନକାରୀ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉପର ଓ ତଳ ବାଲିଯାତ୍ରା ପଡିଆରେ ଜାଗା ପାଇଁ ୨୨ଟି ସଂସ୍ଥା ଆବେଦନ କରିଥିଲେ। ବର୍ଗଫୁଟ ପିଛା ୩୦ଟଙ୍କା ହିସାବରେ ଦୋଳି ପାଇଁ ଦର ଧାର୍ଯ୍ୟ କରାଯାଇଛି। ଅଧିକ ଦୋଳି ବ୍ୟବସାୟୀ ଆସିଥିବାରୁ ଦୋଳି ପାଇଁ ଅଧିକ ସ୍ଥାନ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୁଖ୍ୟ ଆକର୍ଷଣ ହେବ ବଲିଉଡ୍ ନାଇଟ୍-ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବ ବଲିଉଡ୍ ନାଇଟ୍। ପ୍ରତିଦିନ ବଲିଉଡ୍ର ନାମୀଦାମୀ କଣ୍ଠଶିଳ୍ପୀ ବାଲିଯାତ୍ରା ପଡିଆରେ ଦର୍ଶକଙ୍କ ମନ ମୋହିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପାଖାପାଖି ୧୫ଜଣ ନାମୀଦାମୀ ସିଙ୍ଗରଙ୍କ ପାଖକୁ ଅନୁରୋଧପତ୍ର ପଠାଯାଇଛି। ତା’ ସହିତ ପ୍ରତିଦିନ ବଲିଉଡ୍ ଓ ଓଲିଉଡ ଷ୍ଟାର୍ମାନେ ମଧ୍ୟ ବାଲିଯାତ୍ରାକୁ ଆସିବେ।
୪ କୋଟି ଟଙ୍କାରେ ବୀମାଭୁକ୍ତ ହେବ ପଲ୍ଲିଶ୍ରୀ ମେଳା- ୪ କୋଟି ଟଙ୍କାରେ ବୀମାଭୁକ୍ତ ହେବ ଏଥରର ବାଲିଯାତ୍ରାରେ ହେବାକୁ ଥିବା ଜାତୀୟ ସ୍ତରର ପଲ୍ଲିଶ୍ରୀ ମେଳା ଓ ଫୁଡ୍ ପେଷ୍ଟିଭାଲ। ବାଲିଯାତ୍ରାରେ ଓରମାସ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରର ପଲ୍ଲିଶ୍ରୀ ମେଳାରେ ୪୨୦ଟି ଷ୍ଟଲ୍ ପ୍ରଦର୍ଶିତ ହେବ। ଯେଉଁଠି ୧୪ଟି ରାଜ୍ୟର ଷ୍ଟଲ୍ ମଧ୍ୟ ରହିବ। ଏହା ସହ ଜାତୀୟ ସ୍ତରର ଫୁଡ୍ ଫେଷ୍ଟିଭାଲ ମଧ୍ୟ ଆୟୋଜିତ ହେବ। ଏଥିରେ ଓଡିଆ ପାରମ୍ପରିକ ଖାଦ୍ୟ ପସରା ସହ ରାଜସ୍ଥାନୀ, ପଞ୍ଜାବୀ, ଗୁଜରାଟୀ ଖାଦ୍ୟ ମିଳିବ। ଓରମାସ୍, ମିଶନଶକ୍ତି, ଓଏଲ୍ଏମ୍ ପକ୍ଷରୁ ବିଭିନ୍ନ ପାରମ୍ପରିକ ହସ୍ତତନ୍ତ, ଡୋକରା, ଟେରାକୋଟା ଶାଢୀ, ପାଟ ତଥା ବିଭିନ୍ନ ସାମଗ୍ରୀ ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଉକ୍ତ ଷ୍ଟଲ୍ରେ ମିଳିବ। ଚଳିତ ବର୍ଷ ଓରମାସ୍ ପକ୍ଷରୁ ଗ୍ରାମୀଣ କ୍ରାଫ୍ଟ ଢଙ୍ଗରେ ପାଭିଲିଅନ୍ ନିର୍ମାଣ କରାଯିବ। ଯେଉଁଠି ତିନୋଟି ପାଭିଲିଅନ୍ ନିର୍ମାଣର ଯୋଜନା ରହିଛି। ଏହା କଟକ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧିଥିବା କାର୍ଯ୍ୟାବଳୀକୁ ଦର୍ଶାଉଥିବ। ମାଣିଆବନ୍ଧର ଖଣ୍ଡୁଆ ପାଟ, ବଡମ୍ବା ବ୍ଲକ୍ର ମାଣିଆବନ୍ଧ ପାଟ, ସିଲ୍କ ସାମଗ୍ରୀ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରାଯାଇ ଓରମାସ୍ ଓ ଟାଟା ଟ୍ରଷ୍ଟ ଦ୍ବାରା ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ଚାଲିଛି। ସେହିପରି ବାଉଁଶରୁ ତିଆରି ହେଉଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରଦର୍ଶନ କରାଯିବ। ଏଥିସହ ୫ଟି କର୍ମଶାଳା ଆୟୋଜିତ ହେବ। ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଣିପୁର, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟର ଷ୍ଟଲ୍ ଏଥର ବାଲିଯାତ୍ରାକୁ ଆସିବ। ପଲ୍ଲିଶ୍ରୀ ମେଳାରେ ଉପଯୁକ୍ତ ବିକ୍ରିବଟା ପାଇଁ ଏଟିଏମ୍ କାଉଣ୍ଟର, କଏନ୍ ଭେଣ୍ଡିଂ ମେସିନ୍ ଆଦି ବ୍ୟବସ୍ଥା ସହ ପଲିଥିନ୍ ବର୍ଜନ, ଝୋଟ ତିଆରି ବ୍ୟାଗ୍ ଓ କଟନ୍ ବ୍ୟାଗ୍ ସବୁ ଷ୍ଟଲ୍ରେ ଉପଲବ୍ଧ ରହିବ ବୋଲି ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍ ବିହାରୀ ରାଉତ୍ ସୂଚନା ଦେଇଛନ୍ତି।