କଟକ: ନିର୍ଦ୍ଧାରିତ ସମୟସୀମା ଭିତରେ ଚାର୍ଜସିଟ୍ ଦାଖଲ କରିବାରେ ଯଦି ତଦନ୍ତକାରୀ ଅଧିକାରୀ ବିଫଳ ହୁଅନ୍ତି ତେବେ ଜାମିନରେ ଛାଡ ପାଇବା (ଡିଫଲ୍ଟ ବେଲ୍) ଅଭିଯୁକ୍ତର ଅଧିକାର। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଜଣେ ଅଭିଯୁକ୍ତକୁ ଜାମିନ ଦେବା ସହିତ ଏପରି ରାୟ ଶୁଣାଇଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ ଜଣଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ପ୍ରଭାବିତ କରିବା ଭଳି ପ୍ରସଂଗରେ ବିଚାର କରିବା ବେଳେ ସବୁ କୋର୍ଟ ଅଭିଯୁକ୍ତର ସାମ୍ବିଧାନିକ ଅଧିକାର ନେଇ ଅବଗତ ରହିବା ଉଚିତ।
ନିର୍ଦ୍ଧାରିତ ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ହୋଇ ନଥିଲେ ନିମ୍ନ ଅଦାଲତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ସପକ୍ଷରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁଇ ଅଭିଯୁକ୍ତ ଡିଫଲ୍ଟ ବେଲ ପାଇଁ ହକଦାର ବୋଲି ହାଇକୋର୍ଟ ମତ ଦେବା ସହିତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜକିଶୋର ବେହେରା ଓ ଅନ୍ୟଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ୨୦୨୨, ଜୁଲାଇ ୭ରେ ବାଲିପାଟଣା ଥାନରେ ରୁଜୁ ଏକ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତଙ୍କୁ ଜୁଲାଇ ୧୧ରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୨, ନଭେମ୍ବର ୧୧ରେ ଆବେଦନକାରୀ ଜାମିନ ଆବେଦନ କରିଥିଲେ। ନିର୍ଦ୍ଧାରିତ ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ କରା ଯାଇ ନଥିବାରୁ ତାଙ୍କୁ ଜାମିନ ମଞ୍ଜୁର କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଭୁବନେଶ୍ବର ଜେଏମଏଫସି(ଓ) ଅଦାଲତରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୨୨, ନଭେମ୍ବର ୫ରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ ଦାଖଲ କରିଥିଲେ ମଧ୍ୟ ଏହା କୋର୍ଟରେ ଉପସ୍ଥାପନ କରାଯାଇ ନଥିଲା। କୋର୍ଟ ସବ୍-ଇନ୍ସପେକ୍ଟର (ସିଏସଆଇ)ଙ୍କ ଅବହେଳାରୁ ଏପରି ହୋଇଥିବା ଦର୍ଶାଯାଇଥିଲା।
ନଭେମ୍ବର ୫ରେ ଚାର୍ଜସିଟ ଦାଖଲ କରାଯାଇଥିବା ପ୍ରସଂଗକୁ ଜେଏମଏଫସି ଅଦାଲତ ଗ୍ରହଣ କରି ଆବେଦନକାରୀଙ୍କ ଡିଫଲ୍ଟ ବେଲ୍ ଆବେଦନକୁ ଖାରଜ କରିଥିଲେ। ଜେଏମଏଫସି ଅଦାଲତଙ୍କ ରାୟ ଦୌରା ଜଜ୍ ଅଦାଲତରେ କାଏମ ରହିଥିଲା। ଏହାପରେ ଦୁଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସିଏସଆଇଙ୍କ ନିକଟରେ ଚାର୍ଜସିଟ ଦାଖଲ ଓ କୋର୍ଟରେ ଚାର୍ଜସିଟ ଦାଖଲ ହେବା ସମାନ କଥା ନୁହେଁ। କାରଣ ଥରେ କୋର୍ଟରେ ଚାର୍ଜସିଟ ଦାଖଲ ହେଲେ ଏହି ପ୍ରସଂଗରେ ବିଚାରବିଭାଗୀୟ ନିର୍ଦ୍ଦେଶ ଜାରି କରାଯାଇ ଏହାକୁ ରେକର୍ଡରେ ସାମିଲ କରାଯାଇ ଥାଏ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲଖ କରାଯାଇଛି।