କଟକ ଲେଖିବ ନୂଆ ଇତିହାସ, ପୂଜା କମିଟି ବୈଠକରେ ଗାନ ହେବ ‘ବନ୍ଦେ ଉତ୍କଳ ଜନନୀ…’

ଭସାଣି ଶୋଭାଯାତ୍ରାରେ କେବଳ ବାଜିବ ଭଜନ, ଭକ୍ତି ସଂଗୀତ

କଟକ: କୁହାଯାଏ କଟକ ଆଜି ଯାହା କରେ ପରବର୍ତ୍ତୀ ସମୟରେ ସାରା ରାଜ୍ୟ ତାହାକୁ ଅନୁକରଣ କରେ। କଟକିଆ ପୁଣି ଏଭଳି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହାକି ସାରା ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। ଏଭଳି ନିଷ୍ପତ୍ତି ହୁଏତ ଆଗାମୀ ଦିନରେ ଏକ ନୂଆ ଇତିହାସ ଲେଖିବାକୁ ଯାଉଛି। ଗଲା ୨ ତାରିଖରେ ଓସିଏ ସମ୍ମିଳନୀ କକ୍ଷରେ କଟକ କମିସନରେଟ ପୁଲିସ ପକ୍ଷରୁ ବାସନ୍ତୀ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ପରିସ୍ଥିତି ଯୋଗୁଁ ଗଲା ଦୁଇ ବର୍ଷ ଧରି କଟକରେ ବିଭିନ୍ନ ପର୍ବପର୍ବାଣୀ ସ୍ବାଭାବିକ ଭାବେ ପାଳନ ହୋଇ ପାରି ନଥିବା ବେଳେ ଏଥର ବାସନ୍ତୀ ଦୁର୍ଗା ପୂଜା ପୂର୍ବ ଭଳି ପାଳନ ହେବାକୁ ଯାଉଛି। ଏଥିପାଇଁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ବୈଠକରେ ପୂଜା କମିଟି, ଶାନ୍ତି କମିଟିର କର୍ମକର୍ତ୍ତା, ବିଭିନ୍ନ ଥାନାର ଆଇଆଇସି, ଏସିପି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ଆଲୋଚନା ଭିତରେ ଏଡିସିପି ପ୍ରମୋଦ ରଥ ଯେଉଁ ପ୍ରସ୍ତାବ ରଖିଥିଲେ, ତାହା ସାଂସ୍କୃତିକ ରାଜଧାନୀ କଟକରେ ପୁଣି ଏକ ନୂଆ ଇତିହାସ ଲେଖା ଯିବାର ଭିତ୍ତିଭୂମି ପ୍ରସ୍ତୁତ କରିଥିଲା।

ଏଡିସିପି ଶ୍ରୀ ରଥଙ୍କ ପ୍ରସ୍ତାବକୁ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଖୋଲା ହୃଦୟରେ କରତାଳି ଦେଇ ସ୍ବାଗତ କରିଥିଲେ। ପରୀକ୍ଷାମୂଳକ ଭାବେ ବାସନ୍ତୀ ଦୁର୍ଗା ପୂଜାରୁ ହିଁ ଏହାକୁ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଥିବା ବେଳେ ତାହା ସଫଳତାର ସହ କାର୍ଯ୍ୟକାରୀ ହେଲେ ପୂଜାପାର୍ବଣ ପରଂପରାରେ ନୂଆ ଅଧ୍ୟାୟ ଯୋଡ଼ି ହେବ ବୋଲି କୁହାଯାଉଛି। ପ୍ରସ୍ତାବ ଅନୁଯାୟୀ ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ… ଏଣିକି ପୂଜା କମିଟି ଓ ଶାନ୍ତି କମିଟିର ପ୍ରତ୍ୟେକ ବୈଠକ ଆରମ୍ଭ ସମୟରେ ଗାନ କରାଯିବ। ଦ୍ବିତୀୟ ନିଷ୍ପତ୍ତି ହେଉଛି ପୂଜା ଭସାଣ ଶୋଭାଯାତ୍ରା ସମୟରେ ଭଜନ ଓ ଆଧ୍ୟାତ୍ମିକ ଗୀତ ପରିବେଷଣ କରାଯିବ। ଏହାକୁ ଆପାତତଃ ଏହି ବାସନ୍ତୀ ପୂଜାଠାରୁ ସମସ୍ତେ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦିଆଯାଇଛି। କଟକରେ ଗଣେଶ ପୂଜା, ଶାରଦୀୟ ଦୁର୍ଗା ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ବର ପୂଜା ଓ ବାସନ୍ତୀ ଦୁର୍ଗା ପୂଜା ଭଳି ୫ଟି ପୂଜାରେ ମୁଖ୍ୟତଃ ଭସାଣି ଉତ୍ସବ ଆୟୋଜନ ହୁଏ। ସେଥି‌ରୁ ଅତି କମରେ ବାସନ୍ତୀ ଦୁର୍ଗା ପୂଜା ସମୟରେ ଭସାଣିରେ ସବୁ ପୂଜା ମଣ୍ଡପ କେବଳ ଆଧ୍ୟାତ୍ମିକ ଗୀତ ଅଥବା ଭଜନ ବଜାନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ବି ମତପ୍ରକାଶ ପାଇଛି।

ସର୍ବାନ୍ତକରଣରେ ସ୍ବାଗତ କରୁଛି
ମୁଁ ବୈଠକରେ ଯୋଗ ଦେଇଥିଲି। କିନ୍ତୁ ଏହି ପ୍ରସ୍ତାବ ଏଡିସିପି ରଖିଲା ବେଳକୁ ମୁଁ ଶାରୀରିକ କାରଣରୁ ବୈଠକରୁ ଚାଲି ଆସିଥିଲି। କିନ୍ତୁ ମୁଁ ଏହା ଜାଣିବା ପରେ ଉଭୟ ଏଡିସିପି ଓ ଡିସିପିଙ୍କୁ ଧନ୍ୟବାଦ ଦେଇଛି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପ୍ରସ୍ତାବ। ଶିରିଡ ସାଇଙ୍କ ଚଭାଡି ଶୋଭାଯାତ୍ରାରେ ତ କେବଳ ସାଇ ଭଜନ ବାଜୁଛି। ମୁସଲିମ୍ ଭାଇମାନଙ୍କ ଧାର୍ମିକ ଶୋଭାଯାତ୍ରାରେ ସେମାନଙ୍କ ଧର୍ମ ସଂପର୍କିତ ବାର୍ତ୍ତା ବାଜୁଛି। ତାହେଲେ ଏଭଳି ପୂଜା ଭସାଣି କାର୍ଯ୍ୟକ୍ରମରେ ଭଜନ ଅଥବା ଆଧ୍ୟାତ୍ମିକ ଗୀତ କାହିଁକି ବଜାଇ ପାରିବାନି। ଏଭଳି ପ୍ରସ୍ତାବକୁ ମୁଁ ସର୍ବାନ୍ତକରଣରେ ସ୍ବାଗତ କରୁଛି।
ପ୍ରଭାତ ତ୍ରିପାଠୀ,
ପୂର୍ବତନ ବିଧାୟକ
ସଂପାଦକ, କଟକ ମହାନଗର ପୂଜା କମିଟି

 

ଶୃଙ୍ଖଳା ବଢ଼ିବ
ଏ ନିଷ୍ପତ୍ତିକୁ ସେଦିନ ବୈଠକରେ ସମସ୍ତେ ସ୍ବାଗତ କରିଛନ୍ତି। ଏଭଳି ଏକ ପଦକ୍ଷେପ ନିଶ୍ଚିତ ଭାବେ ପୂଜା ପାର୍ବଣ ପରିବେଶରେ ଅଧିକ ଶୃଙ୍ଖଳା ଆଣିବ। ବୈଠକରେ ବନ୍ଦେ ଉତ୍କଳ ଜନନୀ ଗାନରେ ତ କୌଣସି ସମସ୍ୟା ନାହିଁ। ଅନ୍ୟପଟେ ଏହି ବାସନ୍ତୀ ଦୁର୍ଗା ପୂଜାରୁ ଯଦି ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଏ ତେବେ ତାହାକୁ ଅନ୍ୟ ପୂଜାରେ ବି ଲାଗୁ କରାଯାଇ ପାରିବ।
ପ୍ରଫୁଲ୍ଲ ସାହୁ, ସାଧାରଣ ସଂପାଦକ
କଟକ ପୂର୍ବାଞ୍ଚଳ ଶାନ୍ତି କମିଟି

ଅତ୍ୟନ୍ତ ଭଲ ପ୍ରସ୍ତାବ
ବୈଠକରେ ଧନ୍ୟବାଦ ଦେ‌ଲା ବେଳେ ଏଡିସିପି ପ୍ରମୋଦ ରଥ ଏହି ପ୍ରସ୍ତାବ ରଖି‌ଥିଲେ ଏବଂ ଏହାକୁ ଉପସ୍ଥିତ ଥିବା ସମସ୍ତେ କରତାଳି ଦେଇ ସ୍ବାଗତ କରିଥିଲେ। ଏହା ଅତ୍ୟନ୍ତ ଭଲ ପ୍ରସ୍ତାବ। ବାସନ୍ତୀ ଦୁର୍ଗା ପୂଜା ସମୟରେ କଟକରେ ମାତ୍ର ୧୮ଟି ମେଢ ହୁଏ। ସେଥିରୁ ୩ଟି ମେଢ ଦଶମୀରେ ବିସର୍ଜନ ହୁଏ। ତେଣୁ ଆଉ ୧୫ଟି ମେଢ ଯଦି ଭସାଣି ଶୋଭାଯାତ୍ରାରେ ଆଧ୍ୟାତ୍ମିକ ଗୀତ ଅଥବା ଭଜନ ବଜାଇ ଯାଆନ୍ତି ତେବେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଏଥିରେ କାହାକୁ ବାଧ୍ୟବାଧକ କରାଯିବ ନାହିଁ। କିନ୍ତୁ ଏହା ଏକ ଭଲ ପ୍ରସ୍ତାବ ହୋଇଥିବାରୁ ସମସ୍ତେ ଏହାକୁ ସ୍ବଇଚ୍ଛାରେ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଭିକାରି ଦାସ, ସଂପାଦକ
କଟକ ମହାନଗର ଶାନ୍ତି କମିଟି

ଏକ ଐତିହାସିକ ପ୍ରସ୍ତାବ
ନିଶ୍ଚିତ ଭାବେ ଏହା ଏକ ଐତିହାସିକ ପ୍ରସ୍ତାବ। ସବୁ ବେଳେ କୁହାଯାଇଛି ଯେ କଟକ ଆଜି ଯାହା ଚିନ୍ତା କରେ ଓ କାର୍ଯ୍ୟକାରୀ କରେ ସାରା ରାଜ୍ୟ ତାହାକୁ ପରବର୍ତ୍ତୀ ସମୟରେ ଅନୁସରଣ କରେ। ଇଏ ସେହିଭଳି ଏକ ପଦକ୍ଷେପ। ଏହାକୁ କାର୍ଯ୍ୟକାରୀ କରି କଟକିଆ ହୁଏତ ସାରା ରାଜ୍ୟକୁ ଏକ ବାର୍ତ୍ତା ଦେବେ। ଏହାକୁ ନେଇ କେଉଁଠି କାହିଁକି ବିରୋଧ ହେବ ବୋଲି ଭାବୁ ନାହିଁ। କଟକ ଏଭଳି ଏକ ନିଷ୍ପତ୍ତି କାର୍ଯ୍ୟକାରୀ କରି ନିଜର ଗୌରବ ବୃଦ୍ଧି କରିବା ସହିତ ଏକ ନୂଆ ପରଂପରା ସୃଷ୍ଟି କରିବ।
ଧର୍ମେଶ ନାୟକ, ଉପସଭାପତି, କଟକ ମହାନଗର ଶାନ୍ତି କମିଟି

ସମ୍ବନ୍ଧିତ ଖବର