ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣା, ୧୮ ମାସ ପରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧାରୁ ଗିରଫ

ବାଙ୍କୀ: ବାଙ୍କୀର ବହୁଚର୍ଚ୍ଚିତ ଡବଲମର୍ଡର ଘଟଣାର ଦୀର୍ଘ ୧୮ମାସ ପରେ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାଣ୍ଡବ ପ୍ରଧାନଙ୍କୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳରୁ ଗିରଫ କରିଛି। ଉକ୍ତ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଶ୍ରୀ ପ୍ରଧାନ ଲୁଚି ରହିଥିବା ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ସ୍ବାଇଁ ଖବର ପାଇଥିଲେ। ଏହାପରେ ଏକ ସ୍ବତନ୍ତ୍ର ଦଳ ଚଢ଼ଉ କରି ତାଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି।
ପ୍ରକାଶଥାଉ କି, ଗତବର୍ଷ ଫେବ୍ରୁଆରି ୧୫ ତାରିଖ ଦିନ ଦ୍ବିପ୍ରହରରେ ବାଙ୍କୀ ଥାନା ଅନ୍ତର୍ଗତ ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାର ଜୋକଲାଞ୍ଜି ପ୍ରକଳ୍ପ ଠାରେ ବାଙ୍କୀ ବ୍ଲକ୍‌ ଖଜୁରିପଦା (ନୂଆଗାଁ) ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଯୁବ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ସେତେବେଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରାଜନୈତିକ ଆକ୍ରୋଶରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହିତ ବାଙ୍କୀ ବନ୍ଦ ଡାକରା ଦିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗନେତା ଉକ୍ତ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଉକ୍ତ ଘଟଣାରେ ବର୍ତ୍ତମାନସୁଦ୍ଧା ୧୩ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ଜଣଙ୍କର ମୃତ୍ୟୁ ଘଟି ସାରିଛି।

ଆଉ କେତେକ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଅପରପକ୍ଷରେ ଘଟଣା ଦିନ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ଯାଉଥିବା ଭଗବାନ ମୃତ୍ୟୁକାଳୀନ ଜମାନବନ୍ଦୀରେ ସମସ୍ତ ଘଟଣା ଓ ଆକ୍ରମଣକାରୀମାନଙ୍କ ନାମ ପ୍ରକାଶ କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ସେ ପାଣ୍ଡବଙ୍କ ନାମ ପ୍ରଥମେ କହିଥିଲେ। ଗତକାଲି ରାତିରେ ଗିରଫ ହୋଇଥିବା ଅଭିଯୁକ୍ତ ପାଣ୍ଡବଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଛି ବୋଲି ଆରକ୍ଷୀ ଅଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପୁଲିସର ସଫଳତା ନେଇ ନୂଆଗାଁ ସରପଞ୍ଚ ମମତା ମହାପାତ୍ର ସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର