କଟକ: କଟକ ସହରର ମାଛୁଆ ବଜାରରେ ଘର ଭିତରେ ଖୋଲିଥିଲା ମଦ ବାର୍। ଗାନ୍ଧୀ ଜୟନ୍ତୀରେ ମଦ କାରବାର କରିବାକୁ ଘରେ ବିପୁଳ ପରିମାଣରେ ମଦ ଗଚ୍ଛିତ କରି ରଖାଯାଇଥିଲା। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ଏହି ବେଆଇନ ମଦ ବାର୍‌ ଉପରେ ଚଢ଼ାଉ କରିଛି। ପୁଲିସ ଉଭୟ ମଦ ଦୋକାନୀ ଓ ମ୍ୟାନେଜରକୁ ଗିରଫ କରିଛି। ମାଛୁଆବଜାରର ମଦଦୋକାନୀ ଅଭିଯୁକ୍ତ କୁଶା ସାହୁ(୫୦) ଏବଂ ମ୍ୟାନେଜର ଦୀପକ ଦଳାଇ ଓରଫ ମିଥୁନ(୨୭)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ନିକଟରୁ ପୁଲିସ ୪୧.୨୫୦ ଲିଟର୍ ମଦ ଏବଂ ୩୮ ହଜାର ୭୦୦ ଟଙ୍କା ଜବତ କରିଛି।

Advertisment

ସୂଚନା ଅନୁଯାୟୀ, ଗଲା ୨ ତାରିଖ ସନ୍ଧ୍ୟାରେ ମାଛୁଆବଜାର ଅଞ୍ଚଳର ମିଥୁନ ଓରଫ ଦୀପକ ଦଳାଇ ନିକଟରେ ବିପୁଳ ପରିମାଣରେ ବେଆଇନ ମଦ ଗଚ୍ଛିତ ଥିବା ମଙ୍ଗଳାବାଗ ଥାନା ପୁଲିସ ଖବର ପାଇଥିଲା। ପୁଲିସ ମଦ ଗଚ୍ଛିତ ଥିବା ମିଥୁନର ଘରେ ଅତର୍କିତ ଚଢ଼ାଉ କରି ୪୧.୨୫୦ ଲିଟର ମଦ ଜବତ କରିଥିଲା। ଘଟଣାସ୍ଥଳରୁ ସିଲ୍ ଖୋଲାଯାଇଥିବା ମଦ ବୋତଲ, ଗ୍ଲାସ ବି ଜବତ ହୋଇଥିଲା।

publive-image Sambad

ପୁଲିସ ମିଥୁନକୁ ପଚରାଉଚରା ପରେ ସେ ମାଛୁଆବଜାର ନ୍ୟୁ ଏଲଆଇସି କଲୋନି ନିକଟରେ ଥିବା କୁଶା ସାହୁଙ୍କ ବିଦେଶୀ ମଦ ଦୋକାନରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ମାଛୁଆବଜାର ନ୍ୟୁ ଏଲଆଇସି ଅଫିସ ନିକଟରେ ଥିବା କ୍ରେଜି ଓ୍ବାଇନ୍ ଅଫ ସପ୍‌ଟି କୁଶାଙ୍କ ଭଉଣୀ ଅଞ୍ଜଳି ବେହେରାଙ୍କ ନାଁରେ ଥିବାବେଳେ କୁଶା ଏହି କାଉଣ୍ଟର ଚଳାଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମଦ ଦୋକାନ ବନ୍ଦ ରହୁଥିବାରୁ ଗଲା ୧ ତାରିଖରେ କୁଶା ବିପୁଳ ପରିମାଣର ମଦ କିଣି ମ୍ୟାନେଜର ମିଥୁନ ଘରେ ଗଚ୍ଛିତ ରଖିଥିଲା।

publive-image Sambad

ଗାନ୍ଧୀ ଜୟନ୍ତୀରେ ଅଧିକ ଟଙ୍କା ରୋଜଗାର କରିବାକୁ ମଦ ଗଚ୍ଛିତ କରି କାରବାର ଆରମ୍ଭ କରିଥିଲା। ପୁଲିସ ମିଥୁନ ଘରେ ଚଢ଼ାଉ ବେଳେ ସେଠାରୁ ୧୦ଟି ବ୍ୟବହୃତ ପ୍ଲାଷ୍ଟିକ ଗ୍ଲାସ ଏବଂ ସିଲ୍ ଖୋଲାଯାଇଥିବା ମଦ ବୋତଲ ଜବତ କରାଯାଇଛି। ମିଥୁନ ନିଜ ଘରେ ଉଭୟ ଠିପି ଖୋଲା ଓ ଠିପି ବନ୍ଦ ମଦ ବାର୍ ଖୋଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଅନ୍ୟପଟେ କୁଶା ବିରୋଧରେ ମଙ୍ଗଳାବାଗ ଥାନାରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଚୋରାମଦ କାରବାର ମାମଲା ଥିବା ସୂଚନା ମିଳିଛି।