କଟକ: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ଓଡ଼ିଶାର ପ୍ରାଚୀନ ଐତିହ୍ୟ ସହିତ ଛଳନା କରୁଛି। ଏଏସ୍ଆଇ ଅଧୀନରେ ଥିବା ରାଜ୍ୟର ୮୦ଟି ପ୍ରାଚୀନ କୀର୍ତ୍ତିରାଜି ଓ ଏହାର ଅବସ୍ଥା ଦେଖିଲେ ଓଡ଼ିଶାର କୀର୍ତ୍ତିରାଜି ପ୍ରତି କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ବାରିହୋଇ ପଡ଼ିବ। ବାରବାଟୀ ଦୁର୍ଗ ତାହାର ଏକ ଜ୍ବଳନ୍ତ ଉଦାହରଣ। ପ୍ରାଚୀନ ଓଡ଼ିଶାର ପ୍ରାଣ, ଗର୍ବ ଓ ଗୌରବର ଗାଥା ବହନ କରୁଥିବା ବାରବାଟୀ ଦୁର୍ଗ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଉଥିଲେ ବି ଏ ଦିଗରେ କଟକର ସ୍ବର ଚପି ଯାଇଛି। ୧୯୮୯ରେ ଖନନ କରାଯାଇଥିବା ବାରବାଟୀ ଦୁର୍ଗର ଏକ ବିସ୍ତୀର୍ଣ୍ଣ ଅଞ୍ଚଳ(୧୦୨ ଏକର)କୁ ଏଏସ୍ଆଇ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରିଥିଲା। ହେଲେ, ଏହାର ରକ୍ଷଣାବେକ୍ଷଣ ଓ ବିକାଶ ପ୍ରତି ବିଭାଗ ଅଦୌ ଦୃଷ୍ଟି ଦେଉନାହିଁ। ଦୁର୍ଗ, ଗଡ଼ଖାଇ, ଉଦ୍ଧାର ହୋଇଥିବା ପ୍ରାଚୀନ କୀର୍ତ୍ତିରାଜିର କୌଣସି ଠିକଣା ମଧ୍ୟ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଏସ୍ଆଇ ଗତ ଦୁଇ ଦଶନ୍ଧି ଭିତରେ ଦୁର୍ଗରେ ଅଧିକ ଖନନ କରିନାହିଁ। ଖନନ ବନ୍ଦ ଥିବା ବେଳେ ଏଏସ୍ଆଇ ଏହାର କ୍ଲୋଜର୍ ବା ଖନନ ବନ୍ଦ ଅଛି ବୋଲି ମଧ୍ୟ ଉଲ୍ଲେଖ କରୁନାହିଁ। ଅର୍ଥାତ ଦୁର୍ଗର ଖନନ ଜାରି ରହିଥିବା କଥା ଦର୍ଶାଇଛି। ନିୟମ ଅନୁସାରେ ଖନନ ବନ୍ଦ ଦର୍ଶାଇଲେ ଏଏସ୍ଆଇକୁ ଏକ ତାଲିକା ଜାରି କରିବାକୁ ହେବ। ଖନନ ବେଳେ କ’ଣ ସବୁ ମିଳିଥିଲା, କେଉଁଠୁ ମିଳିଥିଲା ଓ ତାହା ଏବେ କେଉଁଠି ଅଛି ସେ ସବୁ ତାଲିକାକୁ ସାର୍ବଜନୀନ କରିବାକୁ ହେବ। ଏଭଳି ନିୟମ ଥିବାରୁ ଏଏସ୍ଆଇ ବାରବାଟୀ ଦୁର୍ଗ ଖନନ ଜାରି ରହିଥିବା ଦର୍ଶାଇ ବାରବାଟୀ ଦୁର୍ଗ ସହିତ ଛଳନା କରିଛି। ମୂଲ୍ୟବାନ ପ୍ରାଚୀନ କୀର୍ତ୍ତିରାଜି, ମୂର୍ତ୍ତି, ପ୍ରସ୍ତର ସବୁ କେଉଁଠି ଅଛି ଏଏସ୍ଆଇ ପାଖରେ ତା’ର ହିସାବ ନାହିଁ ବୋଲି ଆଜି ବାରବାଟୀ ଦୁର୍ଗ ପରିଦର୍ଶନରେ ଯାଇଥିବା କଟକ ହେରିଟେଜ୍ ୱାକ୍ସ୍ କ୍ଷୋଭ ପ୍ରକାଶ କରିଛି। ବାରବାଟୀ ଦୁର୍ଗର ରକ୍ଷଣାବେକ୍ଷଣ କରିବା ସହିତ ଏଠାରେ ଆନୁସଂଗିକ ବ୍ୟବସ୍ଥା କରିବାକୁ କଟକ ହେରିଟେଜ ୱାକ୍ସ୍ ପକ୍ଷରୁ ଦୀପକ ସାମନ୍ତରାୟ କହିଛନ୍ତି।
/sambad/media/post_attachments/wp-content/uploads/2022/05/1110708-1024x768.jpg)
ବାରବାଟୀ ଦୁର୍ଗ ଅସୁରକ୍ଷିତ ହୋଇପଡୁଥିବା ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଆଜି କଟକ ହେରିଟେଜ୍ ୱାକ୍ସ୍ ପକ୍ଷରୁ ଏକ ପ୍ରତିନିଧିଦଳ ବାରବାଟୀ ଦୁର୍ଗ ପରିଦର୍ଶନ କରିଥିଲେ। ବାରବାଟୀ ଦୁର୍ଗର ରକ୍ଷଣାବେକ୍ଷଣ କରିବା ସହିତ ଏଠାରେ ପର୍ଯ୍ୟଟକଙ୍କ ପାଇଁ କିଭଳି ଆନୁସଂଗିକ ବ୍ୟବସ୍ଥା ହୋଇପାରିବ ସେ ନେଇ ଦାବି କରିଥିଲେ। ଖନନ ବେଳେ ମିଳିଥିବା କୀର୍ତ୍ତିରାଜିକୁ ନେଇ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏକ ସାଇଟ୍ ମ୍ୟୁଜିୟମ ପ୍ରତିଷ୍ଠା କରିବା, ସତ୍ୟବ୍ରତ ଷ୍ଟାଡିୟମ୍ରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ପ୍ରତିଷ୍ଠା କରିବା, ଗଡଖାଇର ପୁନଃରୁଦ୍ଧାର କରିବା ଭଳି ପ୍ରସଙ୍ଗ ଉଠାଇଥିଲେ। ବାରବାଟୀ ଦୁର୍ଗ ପ୍ରତି ହେଉଥିବା ଅବହେଳାକୁ ନେଇ କମିଟିର ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତି ମଧ୍ୟ ବାରବାଟୀ ଦୁର୍ଗର ସୁରକ୍ଷା ପାଇଁ ଏଏସ୍ଆଇ ଅଧିକ ଯତ୍ନବାନ ହେଉ ବୋଲି ପରାମର୍ଶ ଦେଇଥିଲେ। ହେରିଟେଜ୍ ୱାକ୍ସ୍ ଖନନ ସ୍ଥଳ ବୁଲି ଦେଖିଥିଲେ। ସେଠାରେ ମାଟି ଅତଡା ଖସୁଥିବା ଦେଖିବାକୁ ପାଇଥିଲେ। ପରିତ୍ୟକ୍ତ ରାଣୀ ପୋଖରୀ, ଦୁର୍ଗ ଫାଟକ ଦେଖି ଚିନ୍ତା ପ୍ରକଟ କରିଥିଲେ। ହେରିଟେଜ୍ ୱାକ୍ସ୍ ଏ ଦିଗରେ ଆଗକୁ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଥିବା ଶ୍ରୀ ସାମନ୍ତରାୟ କହିଛନ୍ତି। ବାରବାଟୀ ଦୁର୍ଗ ରକ୍ଷା କରିବା ସମସ୍ତଙ୍କ ପାଇଁ ଏକ ଆହ୍ବାନ ହେବା ଉଚିତ୍। କଟକର ବିଭିନ୍ନ କମିଟିର କର୍ମକର୍ତ୍ତାମାନଙ୍କୁ ନେଇ ବାରବାଟୀ ଦୁର୍ଗର ରକ୍ଷଣାବେକ୍ଷଣ କରିବା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଏ ଦିଗରେ କାମ ଆରମ୍ଭ ହେବ ବୋଲି ଶ୍ରୀ ସାମନ୍ତରାୟ ମତ ରଖିଛନ୍ତି।