ବର୍ଫି ପ୍ରକଳ୍ପକୁ ନେଇ ଏନ୍‌ଜିଟିଙ୍କ ରାୟ; ନିର୍ମାଣରେ ନିୟମ କଡ଼ାକଡ଼ି ପାଳନ କର

କଟକ: କଟକ ସହରର ମହାନଦୀ ପଠାରେ ପ୍ରସ୍ତାବିତ ‘ବର୍ଫି’ ପ୍ରକଳ୍ପରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବାରୋପ କରିଛନ୍ତି ଜାତୀୟ ଗ୍ରିନ୍ ଟ୍ରିବୁନାଲ(ଏନଜିଟି)। ବଡ଼ ମେଡିକାଲ ଓ ବାଲିଯାତ୍ରା ପଡିଆ ନିକଟରେ ମହାନଦୀ ଶଯ୍ୟ‌ାରେ ନିର୍ମାଣ ବେ‌ଳେ ଯେପରି କୌଣସି ନିୟମ ଉଲ୍ଲଂଘନ ନ ହେବ ସେ ନେଇ ଏନଜିଟି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି), କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି), ରୁର୍‌କିସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟଟ ଅଫ୍ ହାଇଡ୍ରୋଲୋଜି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପିସିବି)ର ପ୍ରତିନିଧିଙ୍କୁ ନେଇ ଏହି କମିଟି ଗଠନ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପଠାରେ ପ୍ରସ୍ତାବିତ ଏସସିବି ମେଡିକାଲ କଲେଜର ନୂଆ କୋଠା ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଯେପରି ଆଇନ ଅନୁସାରେ କରାଯାଏ ତାହା ସୁନିଶ୍ଚିତ କରିବା ପାଇଁ କମିଟି ଏହି ପ୍ରସଂଗକୁ ବିଚାରକୁ ନେବା ସହିତ ଏଥି ପାଇଁ ମାନଦଣ୍ଡ ନିର୍ଦ୍ଧାରଣ କରିବ।

ଏହି ମାନଦଣ୍ଡ ଅନୁସାରେ ବନ୍ୟାଜଳ ପ୍ରବାହିତ ହେଉଥିବା ଅଞ୍ଚଳ ଚିହ୍ନଟ କରାଯିବା ସହିତ ସୀମା ନିରୂପଣ କରାଯିବ। ନଦୀ ଦାଢରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ମହାନଦୀର ସକ୍ରିୟ ବନ୍ୟାଜଳ ପ୍ରବାହିତ ଅଞ୍ଚଳ ରହିଛି ତାହା କମିଟି ପକ୍ଷରୁ ନିରୂପଣ କରାଯିବ। ଏହି କାର୍ଯ୍ୟରେ ଅନ୍ୟ କୌଣସି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ କମିଟି ସାମିଲ କରି ପାରିବ। ସିପିସିବି ଏଥି ପାଇଁ ନୋଡାଲ ଏଜେନ୍ସି ରହିବ। ସମସ୍ତ ପ୍ରକ୍ରିୟା ୪ ମାସ ଭିତରେ କମିଟି ସଂପୂର୍ଣ୍ଣ କରିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ଅଧ୍ୟକ୍ଷ ଜ‌ଷ୍ଟିସ ଆଦର୍ଶ କୁମାର ଗୋଏଲ, ବିଚାରବିଭାଗୀୟ ସଦସ୍ୟ ଜଷ୍ଟିସ ଏସ.କେ.ସିଂ, ବିଶେଷଜ୍ଞ ସଦସ୍ୟ ଡକ୍ଟର ଏସ.ଏନ.ଗର୍ବୟାଲ ଓ ଡକ୍ଟର ନାଗିନ ନନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏପରି ନି‌େର୍ଦ୍ଦଶ ଦେଇଛନ୍ତି।

ପୂର୍ବରୁ ଏହି ମାମଲାର ଶୁଣାଣି ଅଗଷ୍ଟ ୨୦ରେ କରି ଏନଜିଟି କଟକ ସହରର ବାଲିଯାତ୍ରା ପଡ଼ିଆ ନିକଟରେ ନଦୀଶଯ୍ୟା ଜବରଦଖଲ ପ୍ରସଂଗରେ ରିପୋର୍ଟ ତଲବ କରିଥିଲେ। ରଟିଲୋ ପଞ୍ଚାୟତରେ ମହାନଦୀ ପଠା ଜବରଦଖଲ ଓ ନିର୍ମାଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି ସମୟରେ କଟକ ବଡ଼ ମେଡିକାଲ ଓ ବାଲିଯାତ୍ରା ପଡ଼ିଆ ନିକଟ ସହିତ ଅନ୍ୟ କେତେକ ସ୍ଥାନରେ ମହାନଦୀ ଶଯ୍ୟାର ବନ୍ୟାଜଳ ପ୍ରବାହିତ ହେଉଥିବା ଅଞ୍ଚଳ ଜବର ଦଖଲ ପ୍ରସଂଗ ଉଠିଥିଲା। ଏପରି ପ୍ରସଂଗକୁ ଏନଜିଟି ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏ ନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧୧ରେ ଏନଜିଟିରେ ଦାଖଲ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ବାଲିଯାତ୍ରା ପଡିଆ ଓ ଏସସିବି ମେଡିକାଲ ନିକଟରେ ମହାନଦୀ ପଠା ଜବରଦଖଲ ହୋଇଛି। ଏପରି କେତେକ ଅଞ୍ଚଳ ବସ୍ତି ଦ୍ବାରା ଓ କେତେକ ବ୍ୟବସାୟୀଙ୍କ ଦ୍ବାରା ଜବରଦଖଏ କରାଯାଇଛି। ଏନଜିଟିଙ୍କ ଅଗଷ୍ଟ ୨୦ର ନିର୍ଦ୍ଦେଶ ଅନୁସାରେ କମିଟି ବଡ଼ ମେଡିକାଲ ଓ ବାଲିଯାତ୍ରା ପଡିଆ ନିକଟରେ ମହାନଦୀ ଶଯ୍ୟ‌ାର ଅନୁଧ୍ୟାନ କରିଥିଲେ। ଏହି କମିଟିରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହିତ କଟକ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ, ମହାନଦୀ ବ୍ୟାରେଜ ଡିଭିଜନ୍, ସାଉଥ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସଦସ୍ୟ ରହିଥିଲେ। ଅକ୍ଟୋବର ୬ରେ କମିଟି ସଦସ୍ୟମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ମହାନଦୀ ବ୍ୟାରେଜ ଉପର ମୁଣ୍ଡରୁ ପରାଦୀପ ରିଫାଇନାରି ପାଇଁ ଆଇଓସିଏଲ୍ ପାଣି ନେଉଥିବା ସଂପର୍କିତ ନଥିପତ୍ର କମିଟି ସଦସ୍ୟ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ କମିଟି ରିପୋର୍ଟ ପରେ ଆବେଦନକାରୀ ଏହା ଉପରେ ଦାଖଲ କରିଥିବା ଉତ୍ତରରେ ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ଜବର ଦଖଲ କରାଯିବା ସହିତ ବେଆଇନ ନିର୍ମାଣ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ମହାନଦୀ ଓ କାଠଯୋଡି ନଦୀପଠା ଜବର ଦଖଲ କରାଯାଇ ବନ୍ୟାଜଳ ପ୍ରବାହିତ ହେଉଥିବା ଅଞ୍ଚଳରେ ପାର୍କିଂ ସ୍ଥାନ, ପାର୍କ, ଧର୍ମାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯାଉଛି। ବର୍ଫି ପ୍ରକଳ୍ପ ପାଇଁ ନଦୀ ଶଯ୍ୟା ଜମିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏପରି କରାଯିବା ଦ୍ବାରା ବନ୍ୟାଜଳ ପ୍ରବାହ ଓ ପରିବେଶ ଉଭୟ ପ୍ରଭାବିତ ହୋଇଛି ବୋଲି ଆବେଦନକା‌ରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର