ବାପ୍‌ଟିଷ୍ଟ ଚର୍ଚ୍ଚ ବିଲ୍ଡିଂ ଓ ପରିସରର ଉନ୍ନତିକରଣ ପାଇଁ ବାଟ ଫିଟିଲା

ଅଦାଲତରୁ ମିଳିଲା ଅନୁମତି; ୨ କୋଟି ଟଙ୍କା ପୂର୍ତ୍ତ ବିଭାଗ ମାଧ୍ୟମରେ ଖର୍ଚ୍ଚ ହେବ

କଟକ: କଟକ ମିସନ୍‌ ରୋଡସ୍ଥିତ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ବିଲ୍ଡିଂ ଓ ପରିସରର ପୂର୍ତ୍ତ ବିଭାଗ ଦ୍ବାରା ପ୍ରସ୍ତାବିତ ଉନ୍ନତିକରଣ କାର୍ଯ୍ୟ ପାଇଁ ଅଦାଲତ ଅନୁମତି ଦେଇଛନ୍ତି। ଏହି ପୁରାତନ ଧର୍ମାନୁଷ୍ଠାନର ଜମି ଉପରେ ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଂଗ ନେଇ ବିବାଦ ୨୦୧୩ରେ ଅଦାଲତରେ ପହଞ୍ଚିଥିଲା। କଟକ ସିଭିଲ ଜଜ୍ (ଜୁନିୟର ଡିଭିଜନ) ପ୍ରଥମ ଅଦାଲତ ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ବାପଟିଷ୍ଟ ଚର୍ଚ୍ଚ ଟ୍ରଷ୍ଟ ଆସୋସିଏସନ୍, କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଓ ଇଂଲିଶ ବାପଟିଷ୍ଟ ଚର୍ଚ୍ଚ, ସିଏନଆଇକୁ ୨୦୧୩, ସେପ୍ଟେମ୍ବର ୩ରେ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ବିବାଦ ବିଚାରାଧୀନ ଥିବା ବେଳେ ରାଜ୍ୟ ସରକାର ଏହି ଚର୍ଚ୍ଚର ବିଲ୍ଡିଂ ମରାମତି ଓ ପରିସରର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଅନ୍ୟପଟେ ଅଦାଲତରେ ମାମଲା ବିଚାରାଧୀନ ରହିଥିବାରୁ ଏହି ଉନ୍ନତିକରଣ କାର୍ଯ୍ୟ କିଭଳି ହେବ ତାକୁ ନେଇ ପ୍ରଶ୍ନ ଉଠିଥିଲା। ୨୦୨୧, ଏପ୍ରିଲ ୫ରେ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ଏହି ଉନ୍ନତିକରଣ କାର୍ଯ୍ୟର ଅନୁମତି ପ୍ରସଂଗ ନେଇ ଅଦାଲତରେ ଦାଖଲ କରାଯାଇଥିଲା। ହେରିଟେଜ ବିଲ୍ଡିଂର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ କରି ଯଦି ରାଜ୍ୟ ପୂର୍ତ୍ତ ବିଭାଗ ଚର୍ଚ୍ଚ ବିଲ୍ଡିଂର ଉନ୍ନତିକରଣ କାର୍ଯ୍ୟ କରେ ତେବେ ‌କୌଣସି ଆପତ୍ତି ନାହିଁ ବୋଲି ବାପଟିଷ୍ଟ ଚର୍ଚ୍ଚ ଟ୍ରଷ୍ଟ ଆସୋସିଏସନ୍ ପକ୍ଷରୁ ଅଦାଲତରେ ଦର୍ଶାଯାଇଥିଲା। ଏହି କାର୍ଯ୍ୟ ପାଇଁ ଏକ ଯୁଗ୍ମ କମିଟି ଗଠନ ପାଇଁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୨୧, ଅଗଷ୍ଟ ୧୩ରେ ଅଦାଲତ ଏ ସଂପର୍କିତ ଅନ୍ତରୀଣ ଆବେଦନକୁ ଖାରଜ କରିଥିଲେ। ସିଭିଲ ଜଜ୍ (ଜୁନିୟର ଡିଭିଜନ) ଅଦାଲତଙ୍କ ଏପରି ରାୟ ବିରୋଧରେ ଜିଲ୍ଲା ଅଦାଲତରେ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଆବେଦନ କରାଯାଇଥିଲା।

କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ମାମଲାର ଶୁଣାଣି କରି ନିମ୍ନ ଅଦାଲତଙ୍କ ୨୦୨୧, ଅଗଷ୍ଟ ୧୩ର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ବାପଟିଷ୍ଟ ଚର୍ଚ୍ଚ ବିଲ୍ଡିଂ ଓ ଏହାର ପରିସରର ପ୍ରସ୍ତାବିତ ଉନ୍ନତିକରଣ/ନବୀକରଣ କାର୍ଯ୍ୟ ପାଇଁ ଅତିରିକ୍ତ ଜିଲ୍ଲା ଅଦାଲତ ଅନୁମତି ଦେଇଛନ୍ତି। ପୁରୁଣା ହେରିଟେଜ ବିଲ୍ଡିଂର ଗଠନସଂକ୍ରାନ୍ତ ଡିଜାଇନରେ କୌଣସି ପରିବର୍ତ୍ତନ ନକରି ପୂର୍ତ୍ତ ବିଭାଗ (ରୋଡସ୍ ଆଣ୍ଡ ବିଲ୍ଡିଂ ନିର୍ବାହୀ ଯନ୍ତ୍ରୀ, କଟକ-୧) ଏହି କାର୍ଯ୍ୟ କରିବ। ପକ୍ଷମାନଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଗଠିତ ଯୁଗ୍ମ କମିଟିର ସଦସ୍ୟ ଓ ଆବାହକଙ୍କ ତଦାରଖରେ ଏହି କାର୍ଯ୍ୟ କରାଯିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଅଦାଲତଙ୍କ ନିର୍ଦ୍ଦେଶ ପରେ ଏହି ପୁରୁଣା ଚର୍ଚ୍ଚ ଓ ଏହାର ପରିସରର ଉନ୍ନତିକରଣ ପାଇଁ ପଥ ପରିଷ୍କାର ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କର ବିକାଶ ପାଇଁ ‘ସ୍ବତନ୍ତ୍ର ସମସ୍ୟା ପାଣ୍ଠି’ରୁ ଗତବର୍ଷ ଫେବ୍ରୁଆରି ୨୮ରେ ରାଜ୍ୟ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଥିଲେ। କଟକର ଏହି ଐତିହାସିକ ଧର୍ମାନୁଷ୍ଠାନର ସ୍ଥିତି ତଥା ଏହାର ବିକାଶ ପାଇଁ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସମ୍ବାଦର ସଂପାଦକ ତଥା ଖଣ୍ଡପଡା ବିଧାୟକ ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ। ଏହା ପରେ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ଅଦାଲତରେ ମାମଲା ବିଚାରାଧୀନ ଥିବାରୁ ଏହି ଉନ୍ନତିକରଣ କାର୍ଯ୍ୟ ସଂପାଦନ ନେଇ ଅନିଶ୍ଚିତତା ଲାଗି ରହିଥିଲା।

ସମ୍ବନ୍ଧିତ ଖବର