କଟକ: ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର। କିନ୍ତୁ ଅନେକ ଯୋଜନା ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରି ପାରୁନି। କଟକ ବଡଡାକ୍ତରଖାନାରେ ୱାର୍ଡ ସ୍ଥାନାନ୍ତର ହେଉ ବା ବିଭିନ୍ନ ପରୀକ୍ଷା ପାଇଁ ରୋଗୀ ଓ ସଂପର୍କୀୟ ବ୍ୟାଟେରି ଗାଡ଼ି ନ ପାଇ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଏବଂ ଶିଶୁଭବନରେ ଏହି ବ୍ୟାଟେରି ଗାଡି ଯୋଜନା ଆରମ୍ଭ ହୋଇପାରୁନି। ଏସ୍‌ସିବିକୁ ଅଧିକ ବ୍ୟାଟେରି ଗାଡି ଯୋଗାଣ ପାଇଁ ଦାବି ହେଉଥିଲେ ବି ତାହା ପୂରଣ ହୋଇପାରୁନି। କଟକ ବଡ଼ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ପାର୍କିଂ କଟକଣା ଯୋଗୁଁ ରୋଗୀ ସ୍ଥାନାନ୍ତରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ରୋଗୀଙ୍କୁ ବ୍ୟାଟେରି ଗାଡିର ଆବଶ୍ୟକତା ପଡୁଛି। ସବୁବେଳେ ଷ୍ଟ୍ରେଚରରେ ରୋଗୀଙ୍କୁ ସଂପର୍କୀୟ ବୋହି ବୋହି ନେବା ସମ୍ଭବ ବି ହେଉନି। ଏଭଳି ସ୍ଥିତିରେ ଏସ୍‌ସିବିରେ ରହିଛି ମାତ୍ର ୬ଟି ବ୍ୟାଟେରି ଗାଡି। ସେଥିରୁ ୫ଟି ଗାଡି ରୋଗୀଙ୍କୁ ନେବା ଆଣିବା କରୁଛି। ବାକି ଗୋଟିଏରେ ବୁହା ହେଉଛି ଔଷଧ। ଦିନବେଳେ ରୋଗୀ ଦୀର୍ଘ ସମୟ ଧରି ବ୍ୟାଟେରି ଗାଡିକୁ କଲ୍‌ ଦେଇ ଅପେକ୍ଷା କରୁଥିବାବେଳେ ଗାଡି ଗୋଟିଏ ରୋଗୀକୁ ଛାଡି ଆସି ଅନ୍ୟ କଲ ନେବା ବେଳକୁ ସେପଟେ ପରୀକ୍ଷା ପାଇଁ ରୋଗୀଙ୍କ ବିଳମ୍ବ ମଧ୍ୟ ହେଉଛି। ଗତ କିଛି ଦିନ ତଳେ ଏସ୍‌ସିବିକୁ ଅଧିକ ବ୍ୟାଟେରି ଗାଡି ଯୋଗାଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ସେ ସଂପର୍କରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବା ଜଣା ପଡିଛି।

Advertisment

ସେହିଭଳି କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ପୂର୍ବ ଭାରତର ସର୍ବୋକୃଷ୍ଟ ହସ୍ପିଟାଲ ହେଉଛି କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ। ହେଲେ ସେଠାରେ ଆଜି ପର୍ଯ୍ୟନ୍ତ ରୋଗୀଙ୍କୁ ମିଳିପାରୁନି ବ୍ୟାଟେରି ଗାଡି ସେବା। କର୍କଟ ରୋଗୀଙ୍କର ଅନେକ ପରୀକ୍ଷାନିରୀକ୍ଷା ପାଇଁ ଏବେ ବି ଏସ୍‌ସିବି ଉପରେ ନିର୍ଭର କରିବାକୁ ପଡୁଛି। ଏପରିକି କର୍କଟ ରୋଗୀଙ୍କର ସାମାନ୍ୟ ଇସିଜି ପରୀକ୍ଷା କରାଇବାକୁ ହେଲେ ହୃଦରୋଗ ବିଭାଗକୁ ଆଣିବାକୁ ପଡ଼ୁଛି। ଏହି ସବୁ କ୍ଷେତ୍ରରେ ରୋଗୀ ସମ୍ପର୍କୀୟ ହଇରାଣ ହେଉଛନ୍ତି। ଷ୍ଟ୍ରେଚର କିମ୍ବା ହୁଇଲ ଚେୟାର ଦ୍ୱାରା ରୋଗୀ ସମ୍ପର୍କୀୟମାନେ ସେମାନଙ୍କୁ ନେବା ଆଣିବା କରୁଛନ୍ତି। ବେଳେବେଳେ ଷ୍ଟ୍ରେଚର କିମ୍ବା ହୁଇଲ ଚେୟାର ନ ମିଳିଲେ କର୍କଟ କେନ୍ଦ୍ରରୁ ରୋଗୀଙ୍କୁ ଟେକି ଟେକି ଏସ୍‌ସିବିକୁ ଅଣାଯାଉଥିବା ଦେଖିବାକୁ ମିଳୁଛି। ଆଉଟଡୋରରୁ କୌଣସି ବିଭାଗକୁ ନେବା ପାଇଁ ହେଲେ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ସମ୍ପର୍କୀୟମାନେ। ଶିଶୁଭବନରେ ବି ବ୍ୟାଟେରି ଗାଡି ବ୍ୟବସ୍ଥା ନାହିଁ। କଟକରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ତିନୋଟି ବଡ ପ୍ରତିଷ୍ଠାନ ରହିଥିବା ବେଳେ ତାର ଭିତ୍ତିଭୂମିର ବିକାଶ ପାଇଁ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। କିନ୍ତୁ ରୋଗୀଙ୍କ ମୌଳିକ ସମସ୍ୟାର ସମାଧାନ ହେଉନି। କର୍କଟ କେନ୍ଦ୍ରରେ ଖୁବ୍‌ଶୀଘ୍ର ବ୍ୟାଟେରି ଗାଡି ଯୋଜନା କାର୍ଯ୍ୟକାରୀ କରିବାର ଯୋଜନା ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ,ଏସ୍‌ସିବିରେ ୨୦୧୧ ମସିହାରୁ ବ୍ୟାଟେରି ଗାଡ଼ି ଚାଲୁଛି। କିନ୍ତୁ ୧୧ ବର୍ଷ ଭିତରେ ତାହା ୬ରେ ସୀମିତ ରହିଛି।