ପରଲୋକରେ ସମାଜସେବୀ ବାଉରୀବନ୍ଧୁ ବିଶ୍ୱାଳ

ଭୁବନେଶ୍ୱର: ବଡ଼ମ୍ବା-ଆଠଗଡ଼ ଅଞ୍ଚଳର ସମାଜସେବୀ ବାଉରୀବନ୍ଧୁ ବିଶ୍ୱାଳଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ବଡମ୍ବା ଅନ୍ତର୍ଗତ ମଙ୍ଗରାଜପୁରର ବାସିନ୍ଦା ବାଉରୀବନ୍ଧୁ ସ୍ଥାନୀୟ ଅଞ୍ଚଳରେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ଚାକିରି ଜୀବନରୁ ଅବସର ନେବା ପରେ ସ୍ୱର୍ଗତ ବିଶ୍ୱାଳ ଜନକଲାଣ୍ୟାଣ କାର୍ଯ୍ୟରେ ଯୋଗଦାନ କରି ସମୟ ଅତିବାହିତ କରୁଥିଲେ। ଗାଁର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ସେ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ। ୧୯୪୪ ମସିହା ମେ ୧୬ ତାରିଖରେ ଜନ୍ମିତ ସ୍ୱର୍ଗତ ବିଶ୍ୱାଳଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକପ୍ରକାଶ କରିଛନ୍ତି। ତାଙ୍କର ଦାହସଂସ୍କାରରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ସ୍ୱର୍ଗତ ବିଶ୍ୱାଳ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଓ ସତସଙ୍ଗର କାର୍ଯ୍ୟରେ ସକ୍ରିୟ ଥିଲେ।

ସ୍ୱର୍ଗତ ବିଶ୍ୱାଳଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତିନି ପୁଅ ଜ୍ୟୋତିପ୍ରକାଶ, ପୂର୍ଣ୍ଣଚନ୍ଦ୍ର ଓ ପ୍ରଶାନ୍ତ କୁମାର, ୩ ଝିଅ ଏବଂ ମୁମ୍ବାଇସ୍ଥିତ ଓଡ଼ିଶା ଭବନର ପରିଚାଳକ ତଥା ତାଙ୍କ ସାନଭାଇ କୃପାନିଧି ବିଶ୍ୱାଳ ଉପସ୍ଥିତ ଥିଲେ। ଆସନ୍ତା ୨୦ରେ ତାଙ୍କର ଏକାଦଶାହ କର୍ମ ଓ ୨୧ ତାରିଖରେ  ସତସଙ୍ଗ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର