ମାହାଙ୍ଗା : ଯୁବକ ଜଣ ଚୋରି କରିଥିବା ସନ୍ଦେହ ହେଲା। କୌଣସି ଠୋସ୍ ପ୍ରମାଣ ନଥିଲା। କିନ୍ତୁ ସେହି ସନ୍ଦେହ ଆଧାରରେ ଯୁବକଙ୍କୁ ମାଡ଼ ମାରି ପ୍ରାୟ ୭ ଘଣ୍ଟା କାଳ ଗଛରେ ବାନ୍ଧି ରଖିବା ଭଳି ଘଟଣା ଘଟିଛି ମାହାଙ୍ଗା ଅଞ୍ଚଳରେ। ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ଯାତନା ଦିଆଯାଇଥିବା ସଂପର୍କରେ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଦୁଇଦିନ ତଳେ ମାହାଙ୍ଗା ଥାନା ଅନ୍ତର୍ଗତ ବରଅଠା ବଜାରରୁ ଗଦା ସାମଲଙ୍କ ସାଇକଲ ଦୋକାନ ଓ ରାଜୁଆ ସାହୁଙ୍କ ଦୋକାନରୁ ଚୋରି ହୋଇଥିଲା। ଏହି ଘଟଣାରେ ଅଲ୍ଲୀନଗର ଗ୍ରାମର ଭରତ ବେହେରାଙ୍କ ପୁଅ ସିଲୁ ବେହେରା(୨୪) ସଂପୃକ୍ତ ଥିବା ସନ୍ଦେହ କରି ଆଜି ସଂପୃକ୍ତ ଦୋକାନୀ ଏବଂ ଅନ୍ୟ କେତେକ ଲୋକ ତାକୁ ଡାକି ପଚରା ଉଚରା କରିଥିଲେ। କିନ୍ତୁ ସେ ଏହି ଘଟଣାରେ ସମ୍ପୃକ୍ତ ନାହିଁ ବୋଲି ସିଲୁ କହିଥିଲେ ବି ତାକୁ ଏକ ଗଛରେ ବାନ୍ଧି ସେମାନେ ନିର୍ଦ୍ଦୁମ ପିଟିଥିଲେ। ଗଛରେ ଦୀର୍ଘ ୭ଘଣ୍ଟା କାଳ ବାନ୍ଧି ରଖି ନିର୍ଯାତନା ଦିଆଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ସେଠାରେ ପହଞ୍ଚ ସିଲୁକୁ ଉଦ୍ଧାର କରିଥିଲା। ସିଲୁର ବଡଭାଇ ନିଲୁ ବେହେରା ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏ ନେଇ କୌଣସି ମାମଲା ରୁଜୁ ହୋଇନଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।