କଟକ: ୫ ମାସ ହେଲା ଉଦ୍ଘାଟନ ହୋଇସାରିଥିବା ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମଡ୍ୟୁଲାର ହସ୍ପିଟାଲ୍ ଏଯାଏ ବ୍ୟବହାରରେ ଆସିପାରୁନି। ଯଦି କରୋନା ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ତେବେ ସରକାର ଏଥିପାଇଁ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ପ୍ରସ୍ତୁତ କରିଥାନ୍ତେ। କିନ୍ତୁ କୋଭିଡ୍ ହେଲାନି କି ଏହି ଭ୍ରାମ୍ୟମାଣ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବ୍ୟବହାରରେ ଆସିପାରୁନି। ଏପଟେ କଟକ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ୫୦ଜଣ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଦିଆଯାଉ ବୋଲି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେ ନିଷ୍ପତ୍ତି ସଂପର୍କିତ ରୂପରେଖ ଆସିପାରୁନି। ଫଳରେ ଏହି ମଡ୍ୟୁଲାର ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବେ ଖତ ଖାଉଛି। କେବଳ କେଇଜଣ ସୁରକ୍ଷାକର୍ମୀ ଏହି ହସ୍ପିଟାଲ୍କୁ ଜଗି ବସିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଗତ ଜାନୁଆରି ୭ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ କୋଲଣପୁର ପଞ୍ଚାୟତ କୁଳିଆ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଏହି ହସ୍ପିଟାଲ୍ ଉଦ୍ଘାଟନ କରାଯାଇଥିଲା। ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା, ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, କଟକସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ଆମେରିକାନ୍ ଫାଉଣ୍ଡେସନ୍ ପକ୍ଷରୁ ସୁବ୍ରତ କରଙ୍କ ସମେତ ସ୍ବାସ୍ଥ୍ୟବିଭାଗ ଓ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ମଡ୍ୟୁଲାର୍ ହସ୍ପିଟାଲରେ ୮ଟି ଆଇସିୟୁ ଓ ୯୨ଟି ସାଧାରଣ ବେଡ୍ ରହିଛି।