କଟକ: ଯଦିଓ ଗ୍ୟାଙ୍ଗଷ୍ଟର୍‌ ଦମନ କ୍ଷେତ୍ରରେ କଟକ କମିସନରେଟ୍ ପୁଲିସ ରାଜ୍ୟର ଜିଲ୍ଲା ପୁଲିସଠାରୁ ଅନେକ ଆଗରେ ରହିଛି, କିନ୍ତୁ ବେଲେଶ୍ବର ଡବଲ ମର୍ଡର ମାମଲାରେ ପୁଲିସ ଏକପ୍ରକାର ବଦନାମ୍‌ ହେବାକୁ ବସିଲାଣି। ଆଜି ଏହି ବୃଦ୍ଧ ଦମ୍ପତ୍ତିଙ୍କ ହତ୍ୟାକାଣ୍ଡକୁ ଠିକ୍ ଦୁଇବର୍ଷ ପୂରିଥିବା ବେଳେ ହତ୍ୟାକାରୀ କିଏ- ଏ ନେଇ ମଧୁପାଟଣା ଥାନା ପୁଲିସ ନିକଟରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ। ଏହି ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତରେ ଥିବା ଦୋଷତ୍ରୁଟି ପାଇଁ ପୁରା କମିସନରେଟ୍‌ ପୁଲିସକୁ ଏବେ କାଠଗଡ଼ାକୁ ଟାଣିବାକୁ ବସିଲାଣି ବରିଷ୍ଠ ନାଗରିକ ମହାସଭା। ବର୍ତ୍ତମାନ ସୁଦ୍ଧା ମଧୁପାଟଣା ଥାନା ପୁଲିସ ବେଲେଶ୍ବର ମାମଲାରେ ସେଭଳି କୌଣସି ପ୍ରକାର ଅଗ୍ରଗତି କରି ନଥିବା ନେଇ ମହାସଭା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛି। ପୁଲିସ ଡିଜିପିଙ୍କୁ ବାରମ୍ବାର ଭେଟିବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ଡିଜି ଧରାଛୁଆଁ ଦେଉ ନଥିବାରୁ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ମହାସଭା। ଖୁବ୍‌ ଶୀଘ୍ର ଏହି ମାମଲାରେ ମହାସଭା ରାସ୍ତାକୁ ଓହ୍ଲାଇବାକୁ ଯୋଜନା ଚଳାଇଥିବା ସୂଚନା ମିଳିଛି। ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ବେଲେଶ୍ବରରେ ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କୁ ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିବା ଘଟଣାକୁ ଆଜି ଠିକ୍ ଦୁଇବର୍ଷ ପୂରିଛି। ଏଭଳି ପ୍ରସଂଗରେ ବରିଷ୍ଠ ନାଗରିକ ମହାସଭା ଗଲା ୧୧ ତାରିଖରେ ପୁଲିସ ଡିଜିଙ୍କୁ ଭେଟିବାକୁ ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ୮ ତାରିଖରେ ଡିଜିପିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। କିନ୍ତୁ ୧୦ ତାରିଖରେ ଡିଜି ଅନୁପସ୍ଥିତ ରହୁଥିବା ଦର୍ଶାଇ ଏଡିଜି ଆର୍‌.କେ. ଶର୍ମାଙ୍କୁ ଭେଟିବାକୁ କୁହାଯାଇଥିଲା। କିନ୍ତୁ ବରିଷ୍ଠ ନାଗରିକ ମହାସଭା ଏଭଳି ପ୍ରସ୍ତାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୦ରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ଡିଜିଙ୍କୁ ଭେଟିବାକୁ ଅନୁମତି ମଗାଯାଇଥିଲା। କିନ୍ତୁ ଡିଜି ଅନୁପସ୍ଥିତ ରହୁଥିବା ଦର୍ଶାଇ ଏଡିଜି ଲଳିତ ଦାସଙ୍କୁ ଭେଟିବାକୁ କୁହାଯାଇଥିଲା।

Advertisment

ଏଡିଜିଙ୍କୁ ଭେଟି ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ପାଖାପାଖି ଏକ ମାସ ମଧ୍ୟରେ ହତ୍ୟାକାରୀଙ୍କୁ ପୁଲିସ ଠାବ କରିବା ନେଇ ନିର୍ଭର ପ୍ରତିଶ୍ରୁତି ମିଳିଥିଲା। ଏହି ପ୍ରତିଶ୍ରୁତିକୁ ଏକ ବର୍ଷ ପୂରିଥିବା ବେଳେ ସମ୍ବେଦନଶୀଳ ମାମଲା ଏକପ୍ରକାର ଶୀତଳଭଣ୍ଡାରକୁ ଠେଲି ହୋଇଗଲାଣି। କେତେବେଳେ ଏହି ମାମଲାରେ ସନ୍ଦିଗ୍ଧଙ୍କୁ ଉଠାଇ ଜେରା ତ’ ପୁଣି କେତେବେଳେ ସୁପାରିକିଲର୍‌ଙ୍କ ସମ୍ପୃକ୍ତ କାହାଣୀ ମୃତଙ୍କ ପରିବାର ସଦସ୍ୟ ଓ ବରିଷ୍ଠ ନାଗରିକ ମହାସଭାକୁ କହୁଛି ପୁଲିସ। ଏମାନଙ୍କୁ ଏକ ପ୍ରକାର ସାନ୍ତ୍ବନା ଦେଇ ସମୟ ଗଡ଼ାଇବାକୁ ପୁଲିସ ଏଭଳି କୌଶଳ ପ୍ରୟୋଗ କରୁନାହିଁ ତ? ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ଆଜି କେଶରପୁର ପଣ୍ଡା ମେଡିକାଲ୍ ସେଣ୍ଟରରେ ଆୟୋଜିତ ଏକ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଅବସରରେ ପୁଲିସ ଡିଜିଙ୍କୁ ଟାର୍ଗେଟ୍ କରାଯାଇଥିଲା। ଡିଜି ସାକ୍ଷାତ କରିବାକୁ ସୁଯୋଗ ଦେଉ ନଥିବା ମହାସଭାର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ଦାସ ସାମନ୍ତ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଡିଜି ଖୁବ ଶୀଘ୍ର ଅବସର ନେବାକୁ ଯାଉଥିବାରୁ ଏହି ମାମଲା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। କମିସନରେଟ୍ ପୁଲିସର ଅପାରଗତା ପାଇଁ ଗଲା ଦୁଇବର୍ଷ ଭିତରେ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ହୋଇଗଲାଣି। ଆସନ୍ତା ୨୫ ତାରିଖ ସୁଦ୍ଧା ପୁଲିସ ଡିଜିଙ୍କୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ଭେଟିବାକୁ ପୁନଃ ନିଷ୍ପତ୍ତି ନେଇଛି। କୌଣସି ସୁଫଳ ନମିଳିଲେ ମହାସଭା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ନେଇ ଶ୍ରୀ ଦାସସାମନ୍ତ ସୂଚନା ଦେଇଛନ୍ତି।