ବେଲବଣରୁ ଆବିର୍ଭାବ ବେଲେଶ୍ୱର ମହାଦେବ

କଟକ-ବିଦ୍ୟାଧରପୁର: ସିଏମ୍‌ସି ୫୧ନଂ ୱାର୍ଡ ବେଲେଶ୍ୱର ଗ୍ରାମରେ ରହିଛି ପାତାଳଫୁଟା ବେଲେଶ୍ୱର ମହାଦେବଙ୍କ ମନ୍ଦିର। ଏହି ପ୍ରସିଦ୍ଧ ଶୈବପୀଠ ୪୦୦ ବର୍ଷ ପୁରାତନ ବୋଲି ଅନୁମାନ କରାଯାଏ। ଏଠାରେ ଥିବା ଶିବଲିଙ୍ଗର ଉତ୍ପତ୍ତି କେବେ ହୋଇଛି ତାହାର ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ। କିମ୍ବଦନ୍ତୀ ଅନୁସାରେ, ଏହି ସ୍ଥାନ ବେଲଗଛରେ ପରିପୂର୍ଣ୍ଣ ଥିଲା। ଲୋକମାନେ ଚାଷ ପାଇଁ ବେଲବଣ କାଟି ସଫା କରି ଦେଇଥିଲେ। ଜଣେ ଚାଷୀ ଚାଷ କରୁଥିବା ସମୟରେ ମାଟି ତଳେ ଥିବା ଲଙ୍ଗଳ ଲୁହା ବାଜି ଶିବଲିଙ୍ଗ କ୍ଷତାକ୍ତ ହୋଇ ରକ୍ତ ଝରିଥିଲା। ଚାଷୀ ଏହା ଦେଖି ହଳ-ଲଙ୍ଗଳ ଛାଡ଼ି ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏହାପରେ ଗ୍ରାମବାସୀଙ୍କ ଦ୍ବାରା ଖନନ କରାଯାଇ ପାତାଳଫୁଟା ମହାଦେବଙ୍କ ସନ୍ଧାନ ମିଳିଥିବା କୁହାଯାଏ। ବେଲବଣରୁ ଆବିର୍ଭାବ ହୋଇଥିବାରୁ ବେଲେଶ୍ୱର ମହାଦେବ ଓ ଗ୍ରାମର ନାଁ ବେଲେଶ୍ୱର ହୋଇଛି ବୋଲି ଲୋକଶ୍ରୁତିରୁ ଜଣାପଡିଛି।

ସେ ସମୟରେ ଛାମୁଡ଼ିଆ ତଳେ ମହାଦେବ ପୂଜା ପାଉଥିଲେ। ବିଦ୍ୟାଧରପୁର ବ୍ରାହ୍ମଣମାନେ ସ୍ବତ୍ବାଧିକାରୀ ସୂତ୍ରରେ ପୂଜାର୍ଚ୍ଚନା କରିଥାନ୍ତି। ନଈ ବଢି ସମୟରେ ବ୍ରାହ୍ମଣମାନେ ବାଉଁଶ ଭେଳାରେ ଯାଇ ପୂଜାକାର୍ଯ୍ୟ ସମ୍ପାଦନ କରିଥାନ୍ତି ବୋଲି ପୂଜକ ପ୍ରଦୀପ ପଣ୍ଡା (ବାବୁ) କହିଛନ୍ତି। ସମୟାନୁକ୍ରମେ ଶଗଡ଼ିଆ ମାନେ ଏ ଅଞ୍ଚଳ ଦେଇ ଯିବାଆସିବା କରିବା ସମୟରେ ସେମାନେ ମନ୍ଦିର ନିର୍ମାଣ କରିଥିଲେ। ବ୍ରିଟିଶ ଶାସନ କାଳରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ପ୍ରାୟ ୩ ଏକର ଜମିରେ ମନ୍ଦିର ଅବସ୍ଥିତ। ଜଣେ ଶଗଡ଼ିଆ କୋଣାର୍କରୁ ଆଣିଥିବା ବୃଷଭ ଏବେ ବି ମନ୍ଦିରରେ ଶୋଭା ପାଉଛି। ବର୍ଷର ବିଭିନ୍ନ ସମୟରେ ପ୍ରଭୁ ଜଳଛାୟା ହୁଅନ୍ତି। ଏହି ପାଣି କୁଆଡୁ ଆସେ ଦୁଇ ତିନି ଦିନ ରହିଲା ପରେ ‌‌‌କୁଆଡେ଼ ଯାଏ, ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ବୋଲି ‌‌‌ପୂଜକ ଶ୍ରୀ ପଣ୍ଡା କହିଛନ୍ତି। ସେ କହିଛନ୍ତି, ମନ୍ଦିର ଭିତରେ ଶିବଲିଙ୍ଗ ପାଖରେ ଏକାଗ୍ର ହୋଇ ବସିଲେ‌‌ ପାତାଳରୁ ପାଦୁକ ଛିଟିକି ଦେହରେ ପଡ଼ିଥାଏ। ବଜ୍ରପାତ ବେଳେ ଠାକୁରଙ୍କ ସର୍ପ ଘୁଞ୍ଚି ଯାଇଥାଏ। ନିଃସନ୍ତାନ ଦମ୍ପତି ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କଲେ ସନ୍ତାନପ୍ରାପ୍ତି ହୁଏ ବୋଲି ବିଶ୍ବାସ କରାଯାଏ। ଏଠାରେ ମାଟି ଖନନ ବେଳେ ମନ୍ଦିରଚୂଡ଼ା ଓ ବୃଷଭର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ମହାଶିବରାତ୍ରି, ଅକ୍ଷୟ ତୃତୀୟାରେ ଅଷ୍ଟପ୍ରହରୀ, କାର୍ତ୍ତିକ ପୂର୍ଣ୍ଣିମା ଓ ଶିବବିବାହ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ।

ଦୀର୍ଘ ଦିନର ଦାବି ପୂରଣ ହେବ…
ଠାକୁରଙ୍କ ସବୁ ନୀତିକାନ୍ତି ପାଇଁ ଏକ କମିଟି ରହିଛି। ସମାଜସେବୀ ନୀଳମାଧବ ଖୁଣ୍ଟିଆ କହିଛନ୍ତି ଯେ, ଉତ୍ତର ପାର୍ଶ୍ୱରୁ ଭକ୍ତମାନେ ଆସିବା ପାଇଁ ବାରମ୍ବାର ଦାବି କରିବା ପରେ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରଚେଷ୍ଟାରେ ତାଳଦଣ୍ଡା କେନାଲରେ ପୋଲ ନିର୍ମାଣ ହୋଇଛି।
ଅନୁଭୂତିରେ ବେଲେଶ୍ବର…..
ପ୍ରଭୁଙ୍କ ଅଲୌକିକ ମହିମା ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମିଶ୍ର କହିଛନ୍ତି ଯେ, ବେଲେଶ୍ୱର ପୂର୍ବରୁ ପୋଲ ନିର୍ମାଣ ସମୟରେ ତାଳଦଣ୍ଡା କେନାଲ୍‌ ଖନନ ବେଳେ ପ୍ରଚୁର ପାଣି ଝରୁଥିବାରୁ ସମସ୍ୟା ହୋଇଥିଲା। ଜାଗର ଦିନ ପ୍ରଭୁଙ୍କ ପାଖରେ ଶରଣ ଗଲୁ। ତା’ପରେ କାର୍ଯ୍ୟାରମ୍ଭ କଲୁ। ଆଶ୍ଚର୍ଯ୍ୟଜନକ ଭାବେ ୧୫ ଫୁଟ୍‌ ଖୋଳିବା ପରେ ଖାଲି ବାଲି, ଟୋପାଏ ପାଣି ବାହାରିଲା ନାହିଁ। ଠିକ୍ ଅବଧି ପୂର୍ବରୁ ପୋଲ ନିର୍ମାଣ ଶେଷ ହୋଇଗଲା।
ମଟର ପମ୍ପ ସ୍ଥାପନ ହେଉ…..
ସେହିପରି ନୀଳମାଧବ ଖୁଣ୍ଟିଆ କହିଛନ୍ତି, ବୈଶାଖ ମାସରେ ଚାପ ଖେଳିବା ପାଇଁ ବଡ଼ ପୋଖରୀ ଓ ମନ୍ଦିର ଅଛି। କିନ୍ତୁ ସେଠାରେ ପାଣି ନାହିଁ। ପ୍ରଶାସନ ପକ୍ଷରୁ ଏକ ମଟର ପମ୍ପ ସ୍ଥାପନ କରାଗଲେ ପ୍ରଭୁଙ୍କ ଚାପଖେଳ ନୀତି ହୋଇପାରନ୍ତା।

ସମ୍ବନ୍ଧିତ ଖବର