ସମସ୍ୟା ଘେରରେ ଭଦ୍ରେଶ୍ବର ଫାଣ୍ଡି; ବହୁ ପଦବି ଖାଲି, କର୍ମଚାରୀଙ୍କ ରହିବା ପାଇଁ ନାହିଁ ଘର

ଗାଡ଼ି ଅବସ୍ଥା ଶୋଚନୀୟ, ନାହାନ୍ତି ସ୍ଥାୟୀ ଡ୍ରାଇଭର

ମାହାଙ୍ଗା: ମାହାଙ୍ଗା ଥାନା ଅଧୀନ ଭଦ୍ରେଶ୍ବର ଫାଣ୍ଡି ଏବେ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଜଣାଯାଇଛି। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ପୂର୍ବାଞ୍ଚଳର ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ୧୯୮୨ ମସିହାରେ ଏହି ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। କୁରୁଜଙ୍ଗା, ଗୋପାଳପୁର, ଭଦ୍ରେଶ୍ବର, ଗୋତରା, ଉମର, ନାହଙ୍ଗ, ହଳଦିଆ ଆଦି ୭ଟି ପଞ୍ଚାୟତର ୪୦ ହଜାରରୁ ଅଧିକ ଲୋକଙ୍କୁ ଏହି ଫାଣ୍ଡି ସେବା ଯୋଗାଉଛି। ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଏହି ଫାଣ୍ଡି ଅଧୀନ ପ୍ରମୁଖ ରାସ୍ତାଗୁଡ଼ିକ କଟକ-ଚାନ୍ଦବାଲି ଓ ପାରାଦୀପ-ଚଣ୍ତିଖୋଲ ଜାତୀୟ ରାଜପଥ ଏବଂ ଯାଜପୁର, କେନ୍ଦ୍ରପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଛି।

ଏହା ସୀମାନ୍ତ ଅଞ୍ଚଳରେ ଥିବାରୁ ବାହାର ଜିଲ୍ଲାର ଅପରାଧୀମାନେ ଅନାୟାସରେ ଅପରାଧ ଘଟାଇ ଖସି ଯିବାକୁ ସକ୍ଷମ ହେଉଛନ୍ତି। ସେହିପରି ଫାଣ୍ଡି ଅଧୀନ ବିଭିନ୍ନ ସ୍ଥାନରେ ବୋମା, ଗୁଳିମାଡ଼, ହତ୍ୟା, ଚୋରି, ରାହାଜାନି, ଡକାୟତି, ଚୋରା ମାଦକ ଦ୍ରବ୍ୟ କାରବାର ଆଦି ହେବାର ନଜିର ରହିଛି। ଫଳରେ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମଣୁ ନାହନ୍ତି। ହେଲେ, ଭଦ୍ରେଶ୍ବର ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଜଣାଯାଇଛି। ଏଠାରେ ଜଣେ ଅଫିସର, ଜଣେ କନଷ୍ଟବଳ ଓ ଦୁଇଜଣ ଓଏପିଏଫ୍ ଫୋର୍ସ ନିୟୋଜିତ ହୋଇଛନ୍ତି । କିନ୍ତୁ ଏଠାରେ ୪ଜଣ କନଷ୍ଟ‌େବଳଙ୍କ ଆବଶ୍ୟକତା ରହିଛି।

ସେହିପରି ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏଠାରେ ଆଦୌ ଗୃହ ନାହିଁ। କର୍ମଚାରୀମାନେ ଦିନରାତି ଫାଣ୍ଡିରେ ରହିବାକୁ ବାଧ୍ୟ ହେଉଛନ୍ତି। ଫାଣ୍ଡିରେ ଥିବା ଜିପ୍ ଶୋଚନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଫଳରେ ପାଟ୍ରୋଲିଂ ଓ ଅନ୍ୟ କାର୍ଯ୍ୟ ସମୟରେ ପୁଲିସ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଗାଡ଼ି ପାଇଁ ସ୍ଥାୟୀ ଡ୍ରାଇଭର ନ ଥିବାରୁ ଫାଣ୍ଡିର ହୋମ୍‌ଗାର୍ଡ ପଙ୍କଜ ସିଂହ ଗାଡ଼ି ଚଳାଉଥିବା ଜଣାପଡ଼ିଛି। ଏ ନେଇ ମାହାଙ୍ଗା ଥାନାଧିକାରୀ ରଞ୍ଜନ ପ୍ରଧାନଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଯଥାଶୀଘ୍ର ଏହି ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଓ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର