ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା ଯୋଜନା : ଭାରତ ସ୍ୱାଇଁ-ଶିବ ଗୋଛିକୁ ଟେକିନେଲା ପୁଲିସ

କଟକ-ମହାନଦୀ ବିହାର : ଧଳସାମନ୍ତ ଗ୍ୟାଙ୍ଗର ସଦସ୍ୟ କୁହାଯାଉଥିବା ଗଣ୍ଡରପୁର ଅଂଚଳର  ଭାରତ ଭୂଷଣ ସ୍ୱାଇଁ ଏବଂ ଶିବ ଗୋଛିଙ୍କୁ ଆଜି ଟେଣ୍ଡର ଫିକ୍ସିଂ ଯୋଜନାରେ ସଂପୃକ୍ତ ଥିବା ଅଭିଯୋଗରେ ଚାଉଳିଆଗଂଜ ଥାନା ପୁଲିସ ଉଠାଇ ନେଇଛି। ଚାଉଳିଆଗଞ୍ଜ ଥାନା ଆଇଆଇସି ଦୀପକ କୁମାର ମିଶ୍ର ଟେଣ୍ଡର ଫିକ୍ସିଂ ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିବା ବେଳେ ଏହି ଟିମ ଆଜି ଗଣ୍ଡରପୁର ଡ୍ରେନେଜ ଅଫିସ ନିକଟରେ ଚଢଉ କରି ସେମାନଙ୍କୁ ଉଠାଇ ନେଇଛନ୍ତି। ସୂଚନା ଅନୁଯାୟୀ ଭାରତ ଏବଂ ଶିବ ଗୋଛି କିଛି ଦିନ ହେବ ଡ୍ରେନେଜ ଅଫିସରେ କଟକ ଜିଲ୍ଲାର ବିଭିନ ଠିକାଦାରଙ୍କୁ ଡକାଇ ଟେଣ୍ଡର ଫିକ୍ସିଂ ଯୋଜନା କରୁଥିବା ସଂପର୍କରେ ଚାଉଳିଆଗଞ୍ଜ ଥାନା ପୁଲିସ ସୂଚନା ପାଇଥିଲା। ପୂର୍ବରୁ ଭାରତ ଡ୍ରେନେଜ ଅଫିସରେ ଟେଣ୍ଡର ଫିକ୍ସିଂ କରିବା ଅଭିଯୋଗ ରହିଥିଲା। ଧଳସାମନ୍ତ ଭାଇ ଗିରଫ ହେବା ପରେ ସେମାନଙ୍କର ସ‌ହଯୋଗୀ ମାନଙ୍କୁ ଧରିବା ପ୍ରକ୍ରିୟାରେ ଭାରତ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା। ସେ ଜେଲ ଯାଇ ଜାମିନରେ ମୁକୁଳିବାର କିଛି ମାସ ପରେ ପୂର୍ବ ପରି ଟେଣ୍ଡେର ଫିକ୍ସିଂ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। ଭାରତ ଏବଂ ଶିବ ନାମରେ ଚଉଳିଆଗଞ୍ଜ ଥାନାରେ ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ର କାରବାର, ଟେଣ୍ଡର ଫିକ୍ସିଂ, ଧମକ, ଦାଦାବଟି ଆଦାୟ ଭଳି ପ୍ରାୟ ୮ ରୁ ଅଧିକ ସଂଗୀନ ମାମଲା ରହିଛି। ଆଜି ଉଭୟଙ୍କୁ ଦଫା ୧୧୦ ରେ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଉଭୟଙ୍କୁ ରିମାଣ୍ଡରେ ଆଣି ଧଳସାମନ୍ତ ଭାଇଙ୍କ କାରବାର ଏବଂ ଟେଣ୍ଡର ଫିକ୍ସିଂ ସଂପର୍କରେ ଜେରା କରାଯିବ ବୋଲି ଆଇଆଇସି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର