କଟକ: ସତେ ଯେମିତି ପୁର୍ନଜନ୍ମ ପାଇଛନ୍ତି ଭାରତୀ। ଗଲା ତିନି ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଜ ମଲା ଶିଶୁକୁ ଧରି ବକ୍ସି ବଜା‌ରରେ ବୁଲୁଥିବା ଭାରତୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ପରିବାର ପାଖକୁ ଫେରିଛନ୍ତି। ନିଜ ୩ ପିଲାଙ୍କୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି। ଦେଢ଼ ବର୍ଷ ତଳେ ସହରରେ ମଲା ଶିଶୁକୁ ଧରି ଭାରତୀ ବୁଲିବା ଖବର ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଥିଲା। ଘଟଣାକ୍ରମ ଥିଲା ଏହିଭଳି... କଟକ ଗୋପାଳଜିଉ ଲେନ ମଠସାହି ସାହିର ବାସିନ୍ଦା ସୁବାସ ଚନ୍ଦ୍ର ନାୟକଙ୍କ ପତ୍ନୀ ଭାରତୀ ପ୍ରଭା ନାୟକଙ୍କ ବୟସ ୩୫ ବର୍ଷ। ସେ ତିନୋଟି ସନ୍ତାନର ମାଆ। ଗତ ତିନି ବର୍ଷ ହେବ ଭାରତୀ ପାରିବାରିକ କଳହ ଯୋଗୁଁ ମାନସିକ ରୋଗରେ ଆକ୍ରାନ୍ତ ହୋଇ ସ୍ବାମୀଙ୍କ ଠାରୁ ଦୂରେଇ ଘର ଛାଡ଼ି ପିଲାଙ୍କୁ ଧରି ରାସ୍ତା କଡ଼ରେ ରହୁଥିଲେ। ଏ ସଂପର୍କରେ ସୂଚନା ପାଇ ଚାଇଲଡ୍‌ ଲାଇନ ଓ ଡ଼ିସିପିଓ ଭାରତୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେ ଜିଦ୍‌ କରି ତାଙ୍କ ପିଲାଙ୍କୁ ନେଇ ସେଠାରୁ ପଳେଇ ଥିଲେ। ଏପରିକି ତିନିବର୍ଷ ମଧ୍ୟରେ ତିନିଥର ତାଙ୍କୁ ଉଦ୍ଧାର କରଯାଇଥିଲେ ମଧ୍ୟ ସେ ସେଠାରୁ ପଳାଉଥିଲେ। ପରେ ମାତାମଠ ଠାରେ ରାସ୍ତା କଡ଼ରେ ପିଲାଙ୍କୁ ନେଇ ରହିଥିଲେ। ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା ଓ ପରେ ଶିଶୁକନ୍ୟାଟି ମୃତ୍ୟୁ ବରଣ କରିଥିଲା। ଭାରତୀ ମଲା ଶିଶୁଟିକୁ ଧରି ବକ୍ସିବଜାର ଅଞ୍ଚଳରେ ବୁଲୁଥିଲେ। ଏହି ଖବର ପାଇ ୨୦୨୦ ଅକ୍ଟୋବର ୪ ତାରିଖ ଦିନ ତାଙ୍କୁ ପୁଣି ଥରେ ଉଦ୍ଧାର କରାଯାଇ ଗତିରାଉତପାଟଣା ସ୍ଥିତ ସ୍ବାଧାର ସେଲ୍ଟର ହୋମରେ ରଖାଯାଇଥିଲା। ପରେ ମଲା ଶିଶୁଟିର ବ୍ୟବଚ୍ଛେଦ କରାଯାଇ ଅନ୍ୟ ପିଲାଙ୍କୁ ବିଡ଼ାନାସୀ ସ୍ଥିତି ବସୁନ୍ଧରାକୁ ପଠାଯାଇଥିଲା। ସ୍ବାଧାର ସେଲ୍ଟର ହୋମରେ ଭାରତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଏସସିବି ମେଡ଼ିକାଲର ମାନସିକ ବିଭାଗରେ ଭର୍ତ୍ତି କରାଯାଇ ତିନିମାସ ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲା। ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଚୌଦ୍ବାର ସ୍ଥିତ ଜନନୀ ସେଲ୍ଟର ହୋମକୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା କରାଗଲା। ଏସ୍‌ସିବି ମେଡିକାଲରେ ଭାରତୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ସ୍ବାମୀ ତାଙ୍କୁ ଭେଟି ଘରକୁ ନେବାକୁ ଚାହୁଁଥିଲେ।

Advertisment

publive-image Sambad

ହେଲେ ଡ଼ାକ୍ତରଙ୍କ ପରାମର୍ଶ ଯୋଗୁଁ ସେ ତାଙ୍କୁ ମେଡ଼ିକାଲ ଓ ପରେ ଜନନୀ ସେଲ୍ଟର ହୋମରେ ଚିକିତ୍ସିତ ହେବାକୁ ଛାଡ଼ିଥି‌ଲେ। ଏବଂ ନିଜ ପତ୍ନୀଙ୍କୁ ପ୍ରତ୍ୟେକଦିନ ଯାଇ ଭେଟୁଥିଲେ। ଆଜିକୁ ଦେଢ଼ ବର୍ଷ ହେବ ଭାରତୀଙ୍କ ଚିକିତ୍ସା ଠିକ୍‌ ଢ଼ଙ୍ଗରେ ହୋଇ ଆସୁଥିବାବେଳେ ଭାରତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାସହ ସେ ଏବେ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏବଂ ଗତକାଲି ତାଙ୍କର ଜନନୀ ସେଲ୍ଟର ହୋମ ଠାରେ ସମସ୍ତ ପରକ୍ଷା କରାଯାଇଥିବା‌ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କ ସ୍ବାମୀ ସୁବାସଙ୍କ ସହ ତାଙ୍କୁ ଘରକୁ ପଠାଯାଇଛି। ଭାରତୀଙ୍କ ୩ଟି ଶିଶୁ ମଧ୍ୟରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ଦେଢ଼ ବର୍ଷ ହେବ ବସୁନ୍ଧରାରେ ରହି ଆସୁଥିବାବେଳେ ଭାରତୀଙ୍କ ସ୍ବାମୀ ସୁବାସ ବହୁଥର ଚାଇଲ୍‌ଡ଼ଲାଇନରେ ଯୋଗାଯୋଗ କରି ପିଲାଙ୍କୁ ଘରକୁ ନେବାକୁ ଚାହୁଁଥିଲେ। ହେଲେ ଭାରତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦେଖି ପିଲାଙ୍କୁ ବାପା ସୁବାସଙ୍କ ସହ ପଠା ଯାଇ ନଥିଲା। ଭାରତୀ ସୁସ୍ଥ ହୋଇ ଫେରିଥିବା‌ବେଳେ ଆଜି ଚାଇଲ୍ଡ଼ ୱେଲଫେୟାର କମିଟି କାର୍ଯ୍ୟାଳୟ ଠାରେ ସମସ୍ତ ନିୟମ ଅନୁଯାୟୀ ଭାରତୀ ଓ ସୁବାସ ନାୟକଙ୍କୁ ସେମାନଙ୍କ ତିନୋଟି ପିଲାଙ୍କୁ ହସ୍ତାନ୍ତର କରାଯାଇଛି। ଦେଢ଼ ବର୍ଷ ପରେ ଭାରତୀ ପିଲାଙ୍କୁ ଦେଖି ପ୍ରଥମେ ଚିହ୍ନି ପାରି ନଥିଲେ ହେଲେ କିଛି ସମୟ ମଧ୍ୟରେ ସେ ନିଜ ପିଲାଙ୍କୁ ନାଁ ଧରି ଡ଼ାକିବା ସହ ତାଙ୍କୁ କୋଳେଇ ନେଇଥିଲେ।

ତିନି ବର୍ଷର କଥା ମନେ ନାହିଁ, କିନ୍ତୁ ତା’ ପୂର୍ବ କଥା ମନେ ଅଛି...
ତିନି ବର୍ଷର କଥା କିଛି ମନେ ନାହିଁ। ହେଲେ ତା’ ପୂର୍ବର କଥା ସବୁ ମନେ ଅଛି। ପିଲା ଟିକେ ବଡ଼ ହୋଇଯାଇଛନ୍ତି ଓ ରଙ୍ଗର ପରିବର୍ତ୍ତନ ଆସିଛି। ସେଥିପାଇଁ ପ୍ରଥମେ ଜାଣିପାରିଲିନି। ହେଲେ ପିଲାଙ୍କ ଗତିବିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ଚିହ୍ନି ପାରିଲି। ସ୍ବାମୀ ପ୍ରତ୍ୟେକ ଦିନ ମୋତେ ଭେଟିଥାନ୍ତି। ଆଶା ରହିଥିଲା ଖୁବଶୀଘ୍ର ଭଲ ‌ହୋଇ ଫେରିବି। ଏବଂ ଆଜି ତାହା ସତରେ ପରିଣତ ହୋଇଛି। ଚିକିତ୍ସା ସମୟରେ ଡ଼ାକ୍ତର ଓ ଜନନୀ ସେଲ୍‌ଟର ହୋମ୍‌ର ସମସ୍ତ ସଦସ୍ୟ ଭଲ ଭାବେ ମୋର ଯତ୍ନ ନେଇଛନ୍ତି। ମୋ ତିନୋଟି ପିଲା ଓ ସ୍ବାମୀଙ୍କୁ ପାଖରେ ପାଇ ବହୁତ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ଭାରତୀ ପ୍ରଭା ନାୟକ।

publive-image Sambad

ସ୍ବପ୍ନ ଭଳି ଲାଗୁଛି...
ପରିସ୍ଥିତି ବହୁ ଖରାପ ରହିଥିଲା। ଆଜିର ଏ ଦିନ ମୋ ପାଇଁ ଏକ ସ୍ବପ୍ନ ଭଳି ମନେ ହେଉଛି। ହେଲେ ଆଶା କେବେ ଛାଡ଼ି ନଥିଲା। ଡ଼ାକ୍ତରଙ୍କର ଭଲ ଭା‌ବେ ଚିକିତ୍ସା କାରଣରୁ ଆଜି ମୋ ପତ୍ନୀ ଭାରତୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ଏବଂ ଆଜି ସମସ୍ତ ରିପୋର୍ଟ ଯାଞ୍ଚ ପରେ ମୋ ପିଲାଙ୍କୁ ମଧ୍ୟ ମୁଁ ଫେରି ପାଇ ବହୁତ ଖୁସି ଅଛି ବୋଲି ସୁବାସ ଚନ୍ଦ୍ର ନାୟକ କହିଛନ୍ତି।

publive-image Sambad

ପ୍ରତିଶ୍ରୁତି ପୂରଣ କରାଯାଇଛି
ଭାରତୀଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ରହିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସିତ କରାଯାଉଥିଲା। ହେଲେ ମା’କୁ ତା’ ଛୁଆ ଠାରୁ ଅଲଗା କରାଯାଇ ପାରିନଥିଲା। ସେଥିପାଇଁ ପ୍ରଥମେ ସ୍ବାଧାର ଗୃହରେ ରଖାଯାଇଥିଲା। ପରେ ପିଲାଙ୍କୁ ବହୁ କ‌ଷ୍ଟରେ ବସୁନ୍ଧରାକୁ ପଠାଯାଇଥିଲା। ତାଙ୍କ ସ୍ବାମୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଯେବେ ଭାରତୀ ସୁସ୍ଥ ହେବେ ତ‌ାଙ୍କ ପିଲାଙ୍କୁ ହସ୍ତାନ୍ତର କରାଯିବ। କମିଟି ସଦସ୍ୟ ସବୁ କିଛି ଯାଞ୍ଚ କରିବା ପରେ ଆଜି ପିଲାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଛି।
ମନ୍ଦାକିନୀ ଜେମା
ଅଧ୍ୟକ୍ଷା, ଚାଇଲ୍‌ଡ଼ ୱେଲଫେୟାର କମିଟି