ଷ୍ଟେସନ୍‌ରେ ବିହାରୀ ଲୁଟେରାଙ୍କ ଡେରା, ସକାଳେ ଟାର୍ଗେଟ୍‌ରେ ଛତ୍ରବଜାର

କଟକ: ଆପଣ ସକାଳ ୬ଟାରୁ ୯ଟା ଭିତରେ ଛତ୍ରବଜାର ଯାଉଛନ୍ତି କି? ସାବଧାନ! ବିହାରୀ ଓ ତେଲୁଗୁ ଲୁଟେରା ଦଳ ଏହି ସମୟରେ ଛତ୍ରବଜାରକୁ ଆସୁଥିବା ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି। ତରବର ହେଇ ପରିବା କିଣୁଥିବା ଗ୍ରାହକଙ୍କୁ ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କରୁଛନ୍ତି।  ଗଲା ୩ ମାସ ଭିତରେ ବାଦାମବାଡ଼ି ଥାନା ପୁଲିସ ହାତରେ ୫ଟି ଗ୍ୟାଙ୍ଗର ୧୦ ଜଣ ଅନ୍ତରାଜ୍ୟ ଲୁଟେରା ଗିରଫ ହୋଇ ସାରିଲେଣି। ତେଣୁ ଛତ୍ରବଜାରକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ ବାଦାମବାଡ଼ି ଥାନା ପୁଲିସ ପକ୍ଷରୁ ସତର୍କ କରାଯାଇଛି। ଯେଉଁମାନେ ଏହି ସମୟ ଭିତରେ ପରିବା କିଣିବାକୁ ଆସୁଛନ୍ତି, ସେମାନେ ଅନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଛତ୍ରବଜାରରେ କରୋନାର ଦ୍ବିତୀୟ ଲହର ଶେଷ ଆଡ଼କୁ ଅର୍ଥାତ ଗଲା ସେପ୍ଟେମ୍ବର ପରେ ପରେ ରାଜ୍ୟ ବାହାରର ଲୁଟେରା ଗୋଷ୍ଠୀଙ୍କ ଉତ୍ପାତ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ବାଦାମବାଡ଼ି ଥାନା ପୁଲିସ ହାତରେ ଧରାପଡ଼ିଥିବା ୫ଟି ଗ୍ୟାଙ୍ଗ ମଧ୍ୟରେ ତେଲୁଗୁ ପିଲା ୪ ଜଣ, ବିହାର ଓ ଝାଡଖଣ୍ଡର ଦୁଇ ଜଣ, ଜଗତପୁର ନିମପୁର ବସ୍ତି, ଛତ୍ରବଜାର ବାଲି ସାହି ଓ ପ୍ରଫେସରପଡ଼ାରେ ରହୁଥିବା ୩ ଜଣ ବିହାରୀ, ଝାଡଖଣ୍ଡୀ ଓ ପଶ୍ଚିମବଙ୍ଗର ଯୁବକ ଅଛନ୍ତି। ଝାଡଖଣ୍ଡ, ବିହାର କିମ୍ବା କଲିକତା ପଟୁ ଆସୁଥିବା ଲୁଟେରା ଗ୍ୟାଙ୍ଗ୍ ଟ୍ରେନରେ କଟକ ଆସୁଛନ୍ତି। କଟକ ଷ୍ଟେସନରେ ହିଁ ଏମାନେ ଅତି କମରେ ୩ ଦିନ ଡେରା ପକାଉଛନ୍ତି। ଷ୍ଟେସନରୁ ଚାଲି ଚାଲି ଆସି ଛତ୍ରବଜାରରେ ମୋବାଇଲ୍ ଲୁଟ୍ କରୁଛନ୍ତି। କିନ୍ତୁ ତେଲୁଗୁ ଲୁଟେରା ଗ୍ୟାଙ୍ଗ୍ ବାଇକ୍ ଯୋଗେ ଗଞ୍ଜାମରୁ ଆସୁଛନ୍ତି। ଏମାନେ ଯାଜପୁର କୋରେଇରେ ଆଡା ଜମାଉଛନ୍ତି।

ଛତ୍ରବଜାରକୁ ଦୁଇ ଜଣିଆ ଗ୍ୟାଙ୍ଗ୍ ଆସୁଛନ୍ତି। ଜଣେ ବଜାରଠୁ କିଛି ଦୂରରେ ବାଇକ୍ ସହିତ ରହୁଥିବା ବେଳେ ଅନ୍ୟ ଜଣେ ଛତ୍ରବଜାର ଭିତରେ ଭିଡ଼ ଅଞ୍ଚଳରେ ଗ୍ରାହକଙ୍କ ମୋବାଇଲ୍ ଓ ଟଙ୍କା ଲୁଟି ପୂର୍ବରୁ ଅପେକ୍ଷା କରିଥିବା ସହଯୋଗୀର ବାଇକରେ ଫେରାର ହୋଇଯାଇଛନ୍ତି। ମୋବାଇଲ୍ ଚୋରି କଲା ପରେ ଏହି ଲୁଟେରା ଗ୍ୟାଙ୍ଗମାନେ ଭରତିଆ ଟାଓ୍ବାରରେ ବିକ୍ରି କରୁଛନ୍ତି। ଆଉ କିଛି ମୋବାଇଲ୍ ମାଲଗୋଦାମରେ ଟ୍ରଲି ଚଳାଉଥିବା ବିହାରୀ ଲୋକଙ୍କ ମାଧ୍ୟମରେ ବିକ୍ରି କରୁଛନ୍ତି। ଏହି ଟ୍ରଲି ଚାଳକଙ୍କ ମାଧ୍ୟମରେ ରାଜ୍ୟ ବାହାରକୁ ମୋବାଇଲ୍ ଚାଲାଣ ହେଉଥିବା କୁହାଯାଉଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତବାକ, ଗଲା ଅଗଷ୍ଟ ୧୭ ତାରିଖରେ ଏକ ଚୋରି ମାମଲାରେ ବାଦାମବାଡ଼ି ଥାନା ପୁଲିସ ୨୦ ତାରିଖରେ ବିହାରର ଦିଲପା ଓରଫ ଦିଲ୍ଲୀପ ମାଝିୀ, ପ୍ରଫେସରପଡ଼ାରେ ରହୁଥିବା କରନ୍ ସାହାଣୀ ଓ ଚୌଦ୍ବାର ଓଟିଏମ୍ କଲୋନିରେ ରହୁଥିବା ଝୁନା ଓରଫ ହେମନ୍ତ କୁମାର ଦୋରାଙ୍କୁ  ଗିରଫ କରିଥିଲା। ଏମାନଙ୍କ ନିକଟରୁ ୧୨ଟି ଚୋରା ମୋବାଇଲ୍ ଜବତ କରିଥିଲା।

ସେପ୍ଟେମ୍ବର ୧୭ ତାରିଖରେ ଛତ୍ରବଜାରରେ ଏକ ଲୁଟ୍ ମାମଲାରେ ବାଦାମବାଡ଼ି ଥାନା ପୁଲିସ ୧୯ ତାରିଖରେ ପଶ୍ଚିମବଙ୍ଗ ବର୍ଦ୍ଧମାନର ସୁରଜ ପାଶଓ୍ବାନ୍ ଏବଂ ଝାଡଖଣ୍ଡ ସାହେବଗଞ୍ଜର ଭୋଲା କୁମାରଙ୍କୁ ଗିରଫ କରିବା ସହିତ ୪ଟି ଚୋରା ମୋବାଇଲ୍ ଜବତ କରିଥିଲା। ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗ ପୁରୁଲିଆର ଦୀପକ ଯାଦବ, ଆକାଶ ରଓ୍ବାନି ଏବଂ ଝାଡଖଣ୍ଡର ରାହୁଲ ଥଲଓ୍ବାଲଙ୍କୁ ଗିରଫ କରିଥିଲା। ଏଭଳି ମୋଟ୍ ୫ ଅନ୍ତରାଜ୍ୟ ଅପରାଧୀ ଗ୍ୟାଙ୍ଗର ୧୦ ଜଣଙ୍କୁ ପୁଲିସ ଗିରଫ କରିଛି। ଛତ୍ରବଜାରରେ ସକାଳେ ଲୁଟ୍ ହେଉଥିବାରୁ ରାଜ୍ୟ ବାହାରର ଲୁଟେରାଙ୍କୁ ସାବାଡ଼ କରିବା ପାଇଁ ବାଦାମବାଡ଼ି ଥାନା ପୁଲିସ ପକ୍ଷରୁ ଦୈନିକ ୩ରୁ ୪ ଜଣ ସାଦା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର