କଟକ(ସିଡିଏ): ତିନିବର୍ଷ ତଳେ ଆରମ୍ଭ ହୋଇଥିଲା କାଠଯୋଡ଼ି ନଦୀବନ୍ଧ ଦୋହରୀକରଣ କାମ। ଏହି କାମ ବେଲ୍‌ଭ୍ୟୁ ଛକରୁ ବିଜୁ ପଟ୍ଟନାୟକ ପାର୍କ ଗଡ଼ା ଛକଯାଏ ହେବାକୁ ଥିଲା। ପ୍ରାୟ ତିନି କିଲୋମିଟର ଲମ୍ବ ଏହି କାମ ବର୍ତ୍ତମାନ ସୁଦ୍ଧା ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ କାମ କେବେ ସରିବ ସେ କଥା କାହାକୁ ଜଣା ନାହିଁ। ଆରମ୍ଭରୁ ଠିକାଦାର ରାସ୍ତାର ଗୋଟିଏ ପାର୍ଶ୍ବରୁ କାମ ନ କରି, ଏଠୁ ଟିକେ, ସେଠୁ ଟିକେ କରି କାମ ଆରମ୍ଭ କରିଥିଲେ। ବେଲ୍‌ଭ୍ୟୁ ଛକରୁ କିଛିବାଟ କାମ ଆରମ୍ଭ କରାଯିବା ପରେ କାମ ବନ୍ଦ କରିଦିଆଗଲା। କିଛିମାସ ପରେ ପୂନର୍ବାର କାମ ଆରମ୍ଭ ହୋଇଥିଲା। ରାସ୍ତାରେ ପ୍ରାୟ ୫୦ ମିଟର ଲମ୍ବ ଏକ ପୋଲ ନିର୍ମାଣ କରାଯିବାକୁ ଥିବା ବେଳେ ତାହା ନିର୍ମାଣ କରା ନଯାଇ ଅନ୍ୟ ପଟେ ରାସ୍ତା ନିର୍ମାଣ କରାଗଲା। ଏହାର ବହୁଦିନ ପରେ ପୋଲର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତାହା ମଧ୍ୟ ୬ ମାସ ଯାଏ ଚାଲିଲା।

Advertisment

ସେପଟେ ବହୁ ଜାଗାରେ ରାସ୍ତା କାମ ଅଧପନ୍ତରିଆ ଭାବେ କରାଯାଉଥିବା ବେଳେ ମାସ ମାସ ଧରି କାମ ବନ୍ଦ ରହିବା ପରେ ପୁନର୍ବାର କାମ ଆରମ୍ଭ ହେଉଥିଲା। ରାସ୍ତାର ୯୦ ଭାଗ କାମ ସରିଥିବା ବେଳେ ଏବେ ଆହୁରି କିଛି କାମ ବାକି ପଡିଛି। ରାସ୍ତା ଦୋହରୀକରଣ କାମ ସଂପୂର୍ଣ୍ଣ ନ ହେବା କାରଣରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏବେ ଏହି ରାସ୍ତା ଦେଇ କଟକ ଓ ଭୁବନେଶ୍ବରରୁ ରାତିରେ ରାଉରକେଲା, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଆଠମଲ୍ଲିକ ଆଦି ଅଞ୍ଚଳକୁ ବହୁ ବସ୍ ଯିବାଆସିବା କରୁଛି। ରାତିରେ ଲୋକେ ଘରକୁ ଫେରିବା ବେଳେ ରାସ୍ତା ସଂକୀର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଅଧପନ୍ତରିଆ କାମ ସାରିବାକୁ ସାଧାରଣରେ ଦାବି ହେଉଛି।