ଆଇଆଇସି ଲାଞ୍ଚ ମାଗିବା ଘଟଣାରେ ନୂଆ ମୋଡ଼: ଗାଡ଼ି ଚୋରି ଅଭିଯୋଗ ଆଣିଲେ ଯୁବକ

କଟକ: କଟକ କମିସନରେଟ୍ ପୁଲିସର କ୍ୟାଣ୍ଟନମେଣ୍ଟ୍ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଲାଞ୍ଚ ମାଗିବା ଘଟଣାରେ ନୂଆ ମୋଡ଼ ଆସିଛି। କ୍ୟାଣ୍ଟନମେଣ୍ଟ ଥାନାରେ ମହମ୍ମଦ ଆସିଫ୍ ନାମକ ଜଣେ ଯୁବକ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେହି ଷ୍ଟାଣ୍ଡରୁ ତାଙ୍କର ଗାଡ଼ି ଚୋରି ହୋଇଥିଲା। ସେ ବାଲିଯାତ୍ରା ପଡ଼ିଆରେ ସେହି ଷ୍ଟାଣ୍ଡ ଓ ତାର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ହେଲେ ପାଇଲେ ନାହିଁ। କଳା ରଙ୍ଗର ଏହି ବାଇକର ନମ୍ବର ହେଲା ଓଡି-୦୫-ଡବ୍ଲୁ ୦୫୭୧ ବୋଲି ଅଭିଯୋଗକାରୀ ମହମ୍ମଦ ଆସିଫ୍ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଚୋରି ଯାଇଥିବା ମୋଟର ସାଇକେଲକୁ ଖୋଜି ବାହାର କରିବା ଓ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କଟକ କମିସନରେଟ୍ ପୁଲିସର କ୍ୟାଣ୍ଟନମେଣ୍ଟ୍ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଲାଞ୍ଚ ମାଗୁଛନ୍ତି। ଟଙ୍କା ନଦେଲେ ମାମଲାରେ ଫସାଇବାର ଧମକ ଦେଉଛନ୍ତି। ବାଲିଯାତ୍ରାରେ ସାଇକେଲ ଷ୍ଟାଣ୍ଡ୍ କରିଥିବା ବ୍ୟକ୍ତିଙ୍କୁ ଥାନାକୁ ଡାକି ଏଭଳି ଧମକ ଦେଇ ବଟି ମାଗିବାର ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ଏବେ ଅକଳରେ ପଡ଼ିଥିଲା କମିସନରେଟ୍ ପୁଲିସ। ତୁରନ୍ତ ପଦକ୍ଷେପ ସ୍ବରୂପ କ୍ୟାଣ୍ଟନମେଣ୍ଟ୍ ଥାନା ଆଇଆଇସି ଶ୍ରୀମିଶ୍ରଙ୍କୁ ଦାୟିତ୍ବରୁ ହଟାଇ ନିଆଯାଇ ଡିସିପି ଅଫିସ୍ରେ ଅବସ୍ଥାପିତ କରାଯାଇଥିଲା। ଡିସିପି ପିନାକ ମିଶ୍ର ଏବେ ଛୁଟିରେ ଅଛନ୍ତି। ସେ ଫେରିଲା ପରେ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଥିଲେ।
ଏଣେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହାର ଏକ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ପୌର ନିଗମର ଷ୍ଟାଣ୍ଡକୁ ଲିଜ୍ରେ ନେଇଥିବା ଭବାନୀ ଶଙ୍କର ବେଉରା ଓ ତାଙ୍କ ସାଙ୍ଗ ସ୍ମୃତି ରଂଜନ ମିଶ୍ରଙ୍କଠାରୁ ୫୦ ହଜାର ଟଙ୍କା ବଟି ମାଗିଥିଲେ। ସେ ଥାନା ପିଣ୍ଡାରେ ବସି ଟଙ୍କା ଦାବି କରୁଥିବା ବେଳେ ତାଙ୍କ ସହଯୋଗୀ ମୋତିଲାଲ ମାରାଣ୍ଡି ଏକ ଡାଏରିରେ ବଟି ଟଙ୍କାର ହିସାବ ଲେଖୁଥିଲେ। ଦାବି ଅନୁସାରେ ଟଙ୍କା ନଦେଲେ ଗାଡ଼ିଷ୍ଟାଣ୍ଡ ନେଇଥିବା ସବୁ ବ୍ୟକ୍ତିଙ୍କୁ ମିଛ କେସ୍ରେ ଯୋଡ଼ିବାକୁ କହିବା ସହ ଥାନାଅଧିକାରୀ ସେମାନଙ୍କୁ ଗାଳି କରିଥିଲେ। ସେପଟେ ୫୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ସ୍ମୃତିରଂଜନ ୨୦ ହଜାର ଟଙ୍କା ଦେଇଥିବା ବୋଲି ଭିଡ଼ିଓରେ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର